ଓଡ଼ିଶାଲାଇଭ୍ ବ୍ୟୁରୋ

ଉତ୍କଳ ଚାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଲିମିଟେଡ (ୟୁସିସିଆଇଏଲ୍) ପକ୍ଷରୁ ଭୁବନେଶ୍ଵରରେ ପରିବେଶ ସୁରକ୍ଷା ପାଇଁ ନେଟ୍-ଜିରୋ ଯାତ୍ରାରେ କାର୍ବନ ଅଫସେଟର ଭୂମିକା ସମ୍ପର୍କରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଏକାଧିକ ଶିଳ୍ପପତି, ଅଧ୍ୟାପକ, ବୁଦ୍ଧିଜୀବୀ ଏବଂ ଜଳବାୟୁ ବିଶେଷଜ୍ଞମାନେ ଯୋଗ ଦେଇଥିଲେ। ବେଦାନ୍ତ ଲିମିଟେଡର ସଭାପତି ତପନ କୁମାର ଚାନ୍ଦ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ।

ଏହି କାର୍ଯ୍ୟକ୍ରମରେ ଦିଲ୍ଲୀ, ବେଙ୍ଗାଳୁରୁ ଏବଂ ହାଇଦ୍ରାବାଦ ଭଳି ସହରରୁ ପରିବେଶ ବିଶେଷଜ୍ଞମାନେ ଯୋଗ ଦେଇଥିଲେ। ଆଗକୁ ସ୍ଥିର କରାଯାଇଥିବା ନେଟ୍-ଜିରୋ ଯାତ୍ରାରେ କମ୍ପାନିଗୁଡ଼ିକ ପାଇଁ କାର୍ବନ ଅଫସେଟର ଭୂମିକା ସମ୍ପର୍କରେ ଏଠାରେ ବିଶେଷଜ୍ଞମାନେ ଆଲୋଚନା କରିଥିଲେ। ଏହାସହ ଜଳବାୟୁ ପରିବର୍ତ୍ତନ ରୋକିବା ଓ ପରିବେଶ ସୁରକ୍ଷା ପାଇଁ ଶିଳ୍ପସଂସ୍ଥାଗୁଡ଼ିକର ଦାୟିତ୍ଵ ବିଷୟରେ ମଧ୍ୟ ଚର୍ଚ୍ଚା କରାଯାଇଥିଲା।

“ଆମକୁ ସମ୍ବେଦନଶୀଳ ହୋଇ ପ୍ରକୃତିର ଆହ୍ୱାନ ଶୁଣିବାକୁ ପଡ଼ିବ। ପ୍ରକୃତିକୁ ସୁରକ୍ଷିତ ଓ ସଂରକ୍ଷିତ ରଖିବା ଆମର କର୍ତ୍ତବ୍ୟ। ଏଥିପାଇଁ ଶିଳ୍ପସଂସ୍ଥାଗୁଡ଼ିକୁ ସମସ୍ତ ପ୍ରକାର ନିର୍ଗମନର ପରିମାଣ ପ୍ରକାଶ କରିବାକୁ ହେବ। କାର୍ବନ ଅଫସେଟ ଯୋଜନାକୁ ଦେଖିଚାହିଁକି ବ୍ୟବହାର କରିବାକୁ ପଡ଼ିବ। ଏହା ଆମକୁ ଅଧିକ ପ୍ରଦୂଷଣ କରିବାକୁ ଲାଇସେନ୍ସ ଦେଇନାହିଁ”, କହିଛନ୍ତି ତପନ କୁମାର ଚାନ୍ଦ।

ଏହି କାର୍ଯ୍ୟକ୍ରମଟି ‘ବେଦ କ୍ଲାଇମେଟ୍ ଚେଞ୍ଜ ସଲ୍ୟୁସନ୍ସ’, ‘ସାଉଥ୍ ପୋଲ୍’ ଓ ‘ସେ ଟ୍ରିଜ୍ ଏନଭରମେଣ୍ଟାଲ୍ ଟ୍ରଷ୍ଟ’ ଭଳି ସଂସ୍ଥାର ସହଯୋଗରେ ଆୟୋଜିତ ହୋଇଥିଲା। ସେମାନେ ଏଠାରେ ପରିବେଶ ପାଇଁ ଆଞ୍ଚଳିକ ଓ ଅନ୍ତର୍ଜାତୀୟ ସମସ୍ୟାଗୁଡ଼ିକ ସମ୍ପର୍କରେ ଦର୍ଶାଇ ସେସବୁର ସମାଧାନର ପନ୍ଥା ଉପସ୍ଥାପନ କରିଥିଲେ। ୟୁସିସିଆଇଏଲ୍ ସମ୍ପାଦକ ଅଶୋକ କୁମାର ଶାରଦା ଏହି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ।

କାର୍ଯ୍ୟକ୍ରମରେ ଟାଟା ମାଇନିଂର ପରିଚାଳନା ନିର୍ଦେଶକ ପଙ୍କଜ ସତିଜା, ଏସାର ମିନମେଟର ସିଇଓ ତଥା ପରିଚାଳନା ନିର୍ଦେଶକ ଶଶି ଶେଖର ମହାନ୍ତି ଏବଂ ଓଡ଼ିଶା ଜଙ୍ଗଲ ବିଭାଗର ଅବସରପ୍ରାପ୍ତ ଅତିରିକ୍ତ ମହାନିର୍ଦେଶକ ଅରୁଣ କୁମାର ବଂସଲ୍ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏହାଛଡ଼ା ଅନେକ ବନ ବିଶେଷଜ୍ଞ, ଓଡ଼ିଶା ପରିବେଶ ସମିତିର ସଦସ୍ୟ, ଅବସରପ୍ରାପ୍ତ ବନ ଅଧିକାରୀ ସଂଘର ସଦସ୍ୟମାନେ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

କାର୍ବନ ଅଫସେଟ କ’ଣ ?

କାର୍ବନ ଅଫସେଟ ହେଉଛି ଅଙ୍ଗାରକାମ୍ଳ ଓ ଅନ୍ୟାନ୍ୟ ଗ୍ରୀନ ହାଉସ୍ ଗ୍ୟାସର ନିର୍ଗମନକୁ ହ୍ରାସ ବା ଅପସାରଣ କରିବା ଏକ ପ୍ରକ୍ରିୟା। ଏଥିରେ ଏକ କମ୍ପାନି ଯଦି ସରକାରଙ୍କ ପକ୍ଷରୁ ଧାର୍ଯ୍ୟ ହୋଇଥିବା ନିର୍ଗମନର ମାତ୍ରାରୁ ଅଧିକ ଗ୍ୟାସ ବାୟୁମଣ୍ଡଳକୁ ଛାଡ଼ୁଥାଏ, ତେବେ ଏହା କମ ଗ୍ୟାସ ଛାଡ଼ୁଥିବା କମ୍ପାନିକୁ କିଛି ଟଙ୍କା ଦେଇ ଉକ୍ତ କମ୍ପାନିର ନିର୍ଗମନ ଲିମିଟକୁ ବ୍ୟବହାର କରିପାରିବ। ଏହା ଏକ ପ୍ରକାର କାର୍ବନ କ୍ରେଡିଟ୍ ବା ଅଫସେଟ୍ କ୍ରେଡିଟ୍ ଯାହାର କିଣାବିକା କରାଯାଇପାରିବ।

Tags: #UCCIL #ClimateChange #CarbonOffset #EnvironmentProtection #NetZeroCarbonemission

Comment