ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ସାହିତ୍ୟ ଏକାଡେମୀ ଓ ମାରୁତି ମିଡିଆ ପକ୍ଷରୁ ମିଳିତ ଭାବେ ରାଜ୍ୟସ୍ତରୀୟ ସାରସ୍ଵତ ଉତ୍ସବ ‘ଗେଟୱେ ଓଡ଼ିଶା ସାହିତ୍ୟ ସମାରୋହ -୨୦୨୬’ ଆୟୋଜିତ ହୋଇଛି। ରବିବାର ଭୁବନେଶ୍ଵରସ୍ଥିତ ଉତ୍କଳ ଚାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଲିମିଟେଡ (ୟୁସିସିଆଇଏଲ୍) ପରିସରରେ ଆୟୋଜିତ ଏହି ବିଶେଷ କାର୍ଯ୍ୟକ୍ରମରେ ବହୁ କବି, ସାହିତ୍ୟିକ ଓ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ। ୟୁସିସିଆଇଏଲ୍ ସଭାପତି ଡକ୍ଟର ପ୍ରବୋଧ ମହାନ୍ତି କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ।
ଏହି ସାହିତ୍ୟ ସମାରୋହରେ ବିଶିଷ୍ଟ ସାହିତ୍ୟିକା ପ୍ରଫେସର ଡକ୍ଟର ସଂଘମିତ୍ରା ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ବିଶିଷ୍ଟ କବି ତଥା ଭାରତ ସରକାରଙ୍କ ପ୍ରେସ ଇନଫର୍ମେସନ ବ୍ୟୁରୋର ଅତିରିକ୍ତ ମହାନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର ସମ୍ମାନିତ ଅତିଥି ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଡକ୍ଟର ଚନ୍ଦ୍ରଶେଖର ହୋତା ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ।
ଏହି ଅବସରରେ ବିଶିଷ୍ଟ କବି ସୂର୍ଯ୍ୟ ମିଶ୍ର, ପ୍ରାବନ୍ଧିକ ଭାସ୍କର ପରିଚ୍ଛା, ଗାଳ୍ପିକା ହିରଣ୍ମୟୀ ମିଶ୍ର ଓ ମୌସୁମୀ ଦାସ୍, କବି ଡକ୍ଟର ଗଣେଶ୍ୱର ଜେନା, ଔପନ୍ୟାସିକା ମନୋରମା ସାହୁ ଏବଂ ପ୍ରାବନ୍ଧିକା ପ୍ରୀତିଛନ୍ଦା ଧଳଙ୍କୁ ‘ଗେଟୱେ ଓଡ଼ିଶା ସାହିତ୍ୟ ସମ୍ମାନ -୨୦୨୬’ରେ ସମ୍ମାନିତ କରାଯାଇଥିଲା।

ଅନ୍ୟ ପକ୍ଷରେ ଲେଖକ ତଥା ସାମ୍ବାଦିକ ପ୍ରଫେସର ଡକ୍ଟର ମୃଣାଳ ଚାଟାର୍ଜୀ, ପ୍ରଦୀପ ପ୍ରମାଣିକ, ଅରୁଣ କୁମାର ନାୟକ, ଡକ୍ଟର ଦ୍ଵିତୀ ଚନ୍ଦ୍ର ସାହୁ ଏବଂ ଶ୍ରୀମତୀ ଅନସୂୟା ପଣ୍ଡାଙ୍କୁ ‘ଗେଟୱେ ଓଡ଼ିଶା ସାରସ୍ଵତ ପ୍ରତିଭା ସମ୍ମାନ-୨୦୨୬’ରେ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ବିଶିଷ୍ଟ ଶିଳ୍ପପତି ସୁନୀଲ ରାଉତ ଓ ପବିତ୍ର ରାଉତରାୟଙ୍କୁ ‘ଗେଟୱେ ଓଡ଼ିଶା ପ୍ରିୟ ବନ୍ଧୁ ସମ୍ମାନ-୨୦୨୬’ ପ୍ରଦାନ କରାଯାଇଥିଲା।
ଯଶ ଲାଳସାର ଉର୍ଦ୍ଧ୍ଵକୁ ଯାଇ ସାହିତ୍ୟିକମାନେ ସାହିତ୍ୟ ସର୍ଜନାରେ ମଗ୍ନ ରହିବା ଉଚିତ ବୋଲି କାର୍ଯ୍ୟକ୍ରମରେ ବିଶିଷ୍ଟ ସାହିତ୍ୟିକମାନେ ମତ ପୋଷଣ କରିଥିଲେ।
ଏହାପରେ ଦ୍ଵିତୀୟ ପର୍ଯ୍ୟାୟରେ ଅନୁଷ୍ଠିତ କବିତା ପାଠୋତ୍ସବରେ ବିଶିଷ୍ଟ କବି ତଥା ଭୁବନେଶ୍ଵର ସାହିତ୍ୟ ସମାଜ ଟ୍ରଷ୍ଟ ସଭାପତି ସୂର୍ଯ୍ୟ ମିଶ୍ର ସଭାପତି ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀ ସହ-ସଚିବ ସଞ୍ଜୟ କୁମାର ଛୁଆଳସିଂହ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।
ମାରୁତି ମିଡିଆ ନିର୍ଦ୍ଦେଶକ ମନୋଜ ପୃଷ୍ଟିଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି ଉତ୍ସବରେ ମାରୁତି ମିଡିଆର ସମ୍ପାଦକ ଦିଲୀପ ମିଶ୍ର ପତ୍ରିକା ଓ ଉତ୍ସବ ସମ୍ପର୍କରେ ସୂଚନା ପ୍ରଦାନ କରିଥିବାବେଳେ ଉପଦେଷ୍ଟା କମଳାକାନ୍ତ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।
Tags: #GatewayOdisha #LiteratureFestival #OdishaSahityaAkademi #MarutiMedia #UCCIL


















