ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ତଥା ବିଶିଷ୍ଟ ସାହିତ୍ୟିକ ପ୍ରବୋଧ କୁମାର ରାଉତଙ୍କ ମଙ୍ଗଳବାର ଦେହାନ୍ତ ହୋଇଛି। କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ତାଙ୍କୁ ମାତ୍ର ୫୨ ବର୍ଷ ହୋଇଥିଲା। ପ୍ରବୋଧ ରାଉତଙ୍କ ପରଲୋକ ଖବର ପାଇ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କର ଶେଷଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ପ୍ରବୋଧ କୁମାର ରାଉତ ରବିବାର ସକାଳେ କଟକ ସ୍ଥିତ ବିଜୁ ପଟ୍ଟନାୟକ ଛକ ନିକଟରେ ଏକ ଦୁର୍ଘଟଣାର ଶିକାର ହୋଇ ଗୁରୁତର ଭାବେ ଆହତ ହୋଇଥିଲେ। ଚିକିତ୍ସା ପାଇଁ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ଆଇସିୟୁରେ ରହିଥିଲେ ମଧ୍ୟ ତାଙ୍କର ଚେତା ଫେରି ନଥିଲା। ମଙ୍ଗଳବାର ପ୍ରବୋଧ ରାଉତଙ୍କ ମୃତ୍ୟୁବେଳେ ତାଙ୍କ ପତ୍ନୀ ପୁଷ୍ପଲତା ରାଉତ, ପୁଅ ଓ ଅନ୍ୟ ଆତ୍ମୀୟସ୍ଵଜନମାନେ ଉପସ୍ଥିତ ଥିଲେ।

ପ୍ରବୋଧ ରାଉତଙ୍କ ବିୟୋଗରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଅଶ୍ଵିନୀ କୁମାର ପାତ୍ର ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଶୋକ ସନ୍ତପ୍ତ ପରିବାର ବର୍ଗକୁ ସମବେଦନା ଜଣାଇଛନ୍ତି।

ସେହିପରି କଟକ ଜିଲ୍ଲାପାଳ ଡକ୍ଟର ଭବାନୀ ଶଙ୍କର ଚୟନୀ, କେନ୍ଦ୍ର ସାହିତ୍ୟ ଏକାଡେମୀ ଓଡ଼ିଆ ଉପଦେଷ୍ଟା ମଣ୍ଡଳୀର ଆବାହକ ଡକ୍ଟର ଗୌରହରି ଦାସ, ପ୍ରଫେସର ଡକ୍ଟର ବିଜୟାନନ୍ଦ ସିଂହ, ଉତ୍କଳ ସାହିତ୍ୟ ସମାଜର ସଭାପତି ଡକ୍ଟର ଗୋବିନ୍ଦ ଚାନ୍ଦ ପ୍ରମୁଖ ପ୍ରବୋଧ ରାଉତଙ୍କ ବିୟୋଗରେ ଦୁଃଖ ପ୍ରକାଶ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ପ୍ରବୋଧ କୁମାର ରାଉତ ୧୯୭୧ ମସିହାରେ ଜଗତସିଂହପୁର ଜିଲ୍ଲା କଟରା ପଞ୍ଚାୟତ ଗୋପାଳପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ସେ ଅର୍ଥନୀତିରେ ସ୍ନାତକୋତ୍ତର ଡିଗ୍ରି ସହ ଆଇନରେ ସ୍ନାତକ ହାସଲ କରି ଓଡ଼ିଶା ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ। ଓଏଏସ୍ ଅଧିକାରୀ ଭାବେ ସେ କୋରାପୁଟ, ଆସ୍କା, ଅନୁଗୁଳ, ଛେଣ୍ଡିପଦା, ଜଟଣୀ, କଟକ, ଭୁବନେଶ୍ଵର ଆଦି ସହରରେ କାର୍ଯ୍ୟ କରିଛନ୍ତି। ସେ ୨୦୨୧ ମସିହା ମେ’ ୨୮ ତାରିଖରୁ ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଭାବେ ଦାୟିତ୍ଵ ଗ୍ରହଣ କରିଥିଲେ।

ପ୍ରବୋଧ କୁମାର ରାଉତ ଏକାଧାରାରେ ଜଣେ କବି, ଗାଳ୍ପିକ, ଶିକ୍ଷାବିତ ଏବଂ ନାଟ୍ୟକାର ଥିଲେ। ତାଙ୍କର କବିତା ଗ୍ରନ୍ଥ ‘ଏକାବନ କବିତା’, ‘ମିନି କବିତା’ ‘ଭୁଲିପାରୁନି ବୋଲି’, ‘ଗୀତ ବହି’ ଏବଂ ‘ହୃଦୟ ସଂଗୀତ’ ଅତି ମଧୁର।

ସେହିପରି ଗଳ୍ପ ବହି ‘ଗପସପ’, ‘ଅଜନ୍ତା ଏଲୋରା ପରୀ’, ହୃଦୟ ମାଗୁଥିବା ଝିଅ ଏବଂ ନାଟକ ବହି ‘ନାଟ୍ୟଶାଳା’, ଇଂରାଜୀ ନାଟକ ‘ମିଷ୍ଟ୍ରି ଅଫ ବ୍ରୋଙ୍କ ଟ୍ରଙ୍କ’ ଆଦି ପାଠକଙ୍କ ମଧ୍ୟରେ ବେଶ ଆଦୃତ ହୋଇଥିଲା।

ବୃତ୍ତିରେ ଜଣେ ପ୍ରଶାସନିକ ଅଧିକାରୀ ‌ହୋଇଥିଲେ ମଧ୍ୟ ସାହିତ୍ୟ ପ୍ରତି ପ୍ରବୋଧଙ୍କର ବିଶେଷ ରୁଚି ଥିଲା। ସାହିତ୍ୟ ସାଧନା ପାଇଁ ତାଙ୍କୁ କଟକ ଆକାଶବାଣୀ ସମେତ ବହୁ ସାରସ୍ଵତ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି।

Tags: #ProbodhKumarRout #OdishaSahityaAkademi #EminentWriter #Odisha

 

LEAVE A REPLY

Please enter your comment!
Please enter your name here