ଓଡ଼ିଶାଲାଇଭ୍ ବ୍ୟୁରୋ

(ଭୁବନେଶ୍ଵର): ୟୁସିସିଆଇଏଲ ନାରୀ ଶକ୍ତି କମିଟି ଏବଂ ଡବ୍ଲ୍ୟୁଟିସି ମହିଳା ଫୋରମର ମିଳିତ ଉଦ୍ୟମରେ ଭୁବନେଶ୍ଵରସ୍ଥିତ ରେଡକ୍ରସ ଭବନଠାରେ ବୁଧବାର ଦିନ ଆୟୋଜିତ ହୋଇଯାଇଛି ‘ନାରୀଶକ୍ତି କନକ୍ଳେଭ’। ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ଉପଲକ୍ଷେ ପ୍ରଥମ ଥର ଲାଗି ଏହି କନକ୍ଳେଭର ଆୟୋଜନ କରାଯାଇଛି।

ଏହି ଅବସରରେ ଆୟୋଜିତ ସଭାରେ ୟୁସିସିଆଇଏଲର ସଭାପତି ବ୍ରହ୍ମା ମିଶ୍ର ଯୋଗ ଦେଇ କହିଥିଲେ, ପରିବାରଠାରୁ ଆରମ୍ଭ କରି ଦେଶର ବିକାଶରେ ମହିଳାମାନଙ୍କର ଯୋଗଦାନ ଗୁରୁତ୍ଵପୂର୍ଣ୍ଣ। ବର୍ତ୍ତମାନ ମହିଳାମାନେ କେବଳ ଘର ଭିତରେ ସୀମିତ ନରହି ନିଜ ଉଦ୍ୟମରେ ଉଦ୍ୟୋଗୀ ହୋଇପାରୁଛନ୍ତି। ‘ନାରୀଶକ୍ତି କନକ୍ଲେଭ’ ନିଶ୍ଚିତ ଭାବେ ମହିଳାମାନଙ୍କୁ ଆଗକୁ ବଢ଼ିବାକୁ ଉତ୍ସାହିତ କରିବ।

“ଜଣେ ଉଦ୍ୟୋଗୀ ହିସାବରେ ସମସ୍ତଙ୍କୁ ଗର୍ବ ଅନୁଭବ କରିବା ଉଚିତ୍, କାରଣ ଦେଶ ଅଭିବୃଦ୍ଧିରେ ସେମାନଙ୍କର ମଧ୍ୟ ଗୁରୁତ୍ଵପୂର୍ଣ୍ଣ ଯୋଗଦାନ ରହିଛି। କେବଳ ସେତିକି ନୁହେଁ ଜଣେ ଉଦ୍ୟୋଗୀ ନିଜେ ରୋଜଗାର କରିବା ସହ ଅନ୍ୟକୁ ମଧ୍ୟ ରୋଜଗାର ସୁଯୋଗ ଦେଇପାରୁଛନ୍ତି”, କହିଛନ୍ତି ମହିଳା ଆତ୍ମନିର୍ଭର ଅଭିଯାନର ସଭାପତି ତଥା ଓ୍ଵାର୍ଲଡ ଟ୍ରେଡ ସେଣ୍ଟର (ଡବ୍ଳ୍ୟୁଟିସି) ର ସଭାପତି ଡକ୍ଟର ରୀନା ରାଉତରାୟ।

ସେ ଆହୁରି କହିଥିଲେ, ମାର୍ଚ୍ଚ ୮ ତାରିଖକୁ ଆମେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରିବାକୁ ଯାଉଛେ। ପ୍ରତି ମହିଳାଙ୍କୁ ସମ୍ମାନ ଜଣାଇବା ପାଇଁ ଏହି ଦିବସ ପାଳନ କରିବା ଉପଲକ୍ଷେ ଆୟୋଜିତ ହୋଇଛି ‘ନାରୀଶକ୍ତି କନକ୍ଲେଭ’। ମହିଳା ଉଦ୍ୟୋଗୀମାନଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କ ସାମଗ୍ରୀର ପ୍ରଚାର ପ୍ରସାର ପାଇଁ ଏହା ଗୋଟିଏ ଭଲ ପ୍ଲାଟଫର୍ମ। ଏଭଳି ଉଦ୍ୟମ ଅତ୍ୟନ୍ତ ପ୍ରଶଂସନୀୟ ବୋଲି ସେ କହିଥିଲେ।

ୟୁସିସିଆଇଏଲ ନାରୀଶକ୍ତି କମିଟିରର ସଭାପତି ଜୟଶ୍ରୀ ମିଶ୍ର କହିଥିଲେ, “ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରିବା ଉଦ୍ଦେଶ୍ୟରେ ଏହି କନକ୍ଲେଭର ଆୟୋଜନ କରାଯାଇଛି। ବିଭିନ୍ନ ମହିଳା ଉଦ୍ୟୋଗୀଙ୍କ ହାତ ତିଆରି ସାମଗ୍ରୀର ବିକ୍ରି ସହ ପ୍ରଚାର ପ୍ରସାର ପାଇଁ ଏଠାରେ ଷ୍ଟଲର ବ୍ୟବସ୍ଥା କରାଯାଇଛି। ଏହା ସହ ଫୁଡ ଷ୍ଟଲ ମଧ୍ୟ ଲାଗିଛି। ପ୍ରଥମ ଥର ପାଇଁ ଏହିଭଳି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଆଗକୁ ଏହାକୁ ଆହୁରି ବ୍ୟାପକ କରିବାକୁ ଲକ୍ଷ୍ୟ ରହିଛି।”

କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଏସାର ମିନ ମେଟର ପରିଚାଳନା ନିର୍ଦ୍ଦେଶକ ଏସଏସ ମହାନ୍ତି, ଡବ୍ଲ୍ୟୁଟିସିର କନଭେନର ଚୌଧୁରୀ ଜ୍ୟୋତ୍ସ୍ନା ଦାସ ପ୍ରମୁଖ ଯୋଗଦେଇ ଏହି ଭଳି କାର୍ଯ୍ୟକ୍ରମ ମହିଳା ଉଦ୍ୟୋଗୀମାନଙ୍କୁ ଆଗକୁ ବଢ଼ିବାକୁ ଉତ୍ସାହିତ କରିବ ବୋଲି କହିଥିଲେ।

ରେଡକ୍ରସ ଭବନ ପରିସରରେ ରାଜ୍ୟର ବିଭିନ୍ନ ମହିଳା ଉଦ୍ୟୋଗୀମାନଙ୍କର ହାତ ତିଆରି ସମଗ୍ରୀ ଏବଂ ଖାଦ୍ୟର ବିକ୍ରିବଟା ଏବଂ ପ୍ରଚାର ପ୍ରସାର ଲାଗି ୪୨ଟି ଷ୍ଟଲ ଖୋଲାଯାଇଛି। ଏହି ଷ୍ଟଲଗୁଡ଼ିକରେ ହ୍ୟାଣ୍ଡଲୁମ ଶାଢ଼ି, କୁର୍ତ୍ତି, ବେଡସିଟ, ହ୍ୟାଣ୍ଡବ୍ୟାଗ, ହାତ ତିଆରି ଗହଣା, ଘରକରଣା ସାମଗ୍ରୀ ସହ ବିଭିନ୍ନ ସୁଆଦିଆ ଖାଦ୍ୟର ପସରା ମେଲିଥିଲା। ଷ୍ଟଲ ବୁଲି ଆସୁଥିବା ଦର୍ଶକ ନିଜ ମନ ପସନ୍ଦର ସାମଗ୍ରୀ କିଣିବା ସାଙ୍ଗକୁ ଖାଦ୍ୟର ମଜା ନେଇଥିଲେ।

Tags: #InternationalWomensDay #WomenEmpowerment #NarishaktiConclave #UCCIL #UCCILNarishaktiCommittee #WTCWomenForum #Odisha #Bhubaneswar

Comment