ଓଡ଼ିଶାଲାଇଭ୍ ବ୍ୟୁରୋ

‘ବିଜ୍ଞାପନ’ ପ୍ରକାଶନ ସଂସ୍ଥା ପକ୍ଷରୁ ଉନ୍ମୋଚିତ ହୋଇଛି ‘ଓଡ଼ିଶା ରାଜନୀତି’ ପୁସ୍ତକ। ଏଥିରେ ଓଡ଼ିଶାର ଜନପ୍ରତିନିଧିମାନଙ୍କ ଯୋଗାଯୋଗ ନମ୍ବର ରହିଛି। ଏହାସହ ରାଜନେତାମାନଙ୍କ ସହ ବିଶେଷ ସାକ୍ଷାତକାରକୁ ପୁସ୍ତକରେ ସ୍ଥାନିତ କରାଯାଇଛି। ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଲିମିଟେଡ୍ (ୟୁସିସିଆଇଏଲ୍) ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ପୁସ୍ତକଟିର ଉନ୍ମୋଚନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ସନ୍ଦୀପ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

‘ଓଡ଼ିଶା ରାଜନୀତି’ ପୁସ୍ତକରେ ଓଡ଼ିଶାର ୧୧ ହଜାରରୁ ଅଧିକ ଜନପ୍ରତିନିଧିଙ୍କ ଯୋଗାଯୋଗ ନମ୍ବର ରହିଛି। ରାଜ୍ୟର ସବୁ ସାଂସଦ, ବିଧାୟକ ଓ ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ସରପଞ୍ଚ, ବ୍ଲକ ଅଧ୍ୟକ୍ଷ, ଜିଲ୍ଲା ପରିଷଦ ସଭ୍ୟ, ସଭାପତି ତଥା ଉପସଭାପତିଙ୍କ ଫୋନ ନମ୍ବର ରହିଛି ଏହି ପୁସ୍ତକରେ।

ସେହିପରି ସହରାଞ୍ଚଳରେ ବିଭିନ୍ନ ନଗର ନିଗମ ତଥା ପୌର ପରିଷଦର ଅଧ୍ୟକ୍ଷ, ଉପାଧ୍ୟକ୍ଷ, ସଦସ୍ୟ, ଶୀର୍ଷ ସମବାୟ ସଂସ୍ଥାର ସଭାପତି ଏବଂ ପ୍ରମୁଖ ରାଜନୈତିକ ଦଳର କର୍ମକର୍ତ୍ତାଙ୍କ ଯୋଗାଯୋଗ ନମ୍ବର ପୁସ୍ତକଟିରେ ରହିଛି।

“‘ବିଜ୍ଞାପନ’ ପ୍ରକାଶନ ସଂସ୍ଥା ଦ୍ଵାରା ପ୍ରକାଶିତ ‘ଓଡ଼ିଶା ରାଜନୀତି’ ଏକ ଉପାଦେୟ ପୁସ୍ତକ। ସାଧାରଣ ଲୋକଙ୍କ ପାଇଁ ଓଡ଼ିଶାର ଜନପ୍ରତିନିଧିଙ୍କୁ ଜାଣିବା ଓ ସେମାନଙ୍କ ସହ ସମ୍ପର୍କ ସ୍ଥାପନରେ ଏହି ପୁସ୍ତକ ବିଶେଷ ସହାୟକ ହେବ। ସାରା ରାଜ୍ୟରେ ଲୋକମାନଙ୍କ ପାଖରେ ଏହି ପୁସ୍ତକ ପହଞ୍ଚି ପାରିଲେ ଏହାର ଉଦ୍ଦେଶ୍ୟ ସାର୍ଥକ ହେବ”, କହିଛନ୍ତି ସନ୍ଦୀପ ସାହୁ।

କାର୍ଯ୍ୟକ୍ରମରେ ‘ବିଜ୍ଞାପନ’ ସଂସ୍ଥାର ନିର୍ଦ୍ଦେଶକ ମନୋଜ ପୃଷ୍ଟି ଓ ସମ୍ପାଦକ ଦିଲ୍ଲୀପ ମିଶ୍ର ‘ଓଡ଼ିଶା ରାଜନୀତି’ ପୁସ୍ତକର ବିଭିନ୍ନ ଦିଗ ସମ୍ପର୍କରେ ସୂଚନା ଦେଇଥିଲେ। ଏହାସହ କାର୍ଯ୍ୟକ୍ରମରେ ରାଜ୍ୟର କିଛି ନିର୍ବାଚିତ ପ୍ରତିନିଧିମାନେ ବକ୍ତବ୍ୟ ରଖିବା ସହ ପୁସ୍ତକର ଗୁରୁତ୍ଵ ବିଷୟରେ କହିଥିଲେ।

ଏହି କାର୍ଯ୍ୟକ୍ରମରେ ୟୁସିସିଆଇଏଲର ସଭାପତି ବ୍ରହ୍ମାନନ୍ଦ ମିଶ୍ର, ବିଶ୍ଵ ଓଡ଼ିଆ ସୋସାଇଟିର ସଭାପତି କିଶୋର ଦ୍ଵିବେଦୀ ଓ ବିଶିଷ୍ଟ ସମାଜସେବୀ ବିବେକାନନ୍ଦ ପାଣିଗ୍ରାହୀ ଅତିଥି ଭାବେ ଯୋଗ ଦେଇଥିଲେ। ଏହାସହ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଜନପ୍ରତିନିଧି ଓ ବିଶିଷ୍ଟ ବ୍ୟକ୍ତି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

Tags: #OdishaRajaneeti #BookLaunch #UCCIL #VigyanpanPublication #Bhubaneswar

LEAVE A REPLY

Please enter your comment!
Please enter your name here