ଓଡ଼ିଶାଲାଇଭ୍ ବ୍ୟୁରୋ

ଉତ୍ତର-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଗଭୀର ଅବପାତରେ ପରିଣତ ହୋଇଛି। ଏହା ପ୍ରଭାବରେ ପଶ୍ଚିମ ଓଡ଼ିଶା ସମେତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବୁଧବାରଠାରୁ ପ୍ରବଳ ବର୍ଷା ହେବ। ଏହାସହ ରାଜ୍ୟର ବିଭିନ୍ନ ନଦୀର ଜଳସ୍ତର ବଢ଼ିବ। ଏ ନେଇ ସୋଆ ବିଶ୍ୱବିଦ୍ୟାଳୟ ଦ୍ୱାରା ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ରର (ସିଇସି) ନିର୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି।

ଏବେ ଉତ୍ତର-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଗଭୀର ଅବପାତରେ ପରିଣତ ହୋଇଛି। ଏହା ଉତ୍ତର ଓ ଉତ୍ତର-ପଶ୍ଚିମ ଦିଗକୁ ଯାଇ ବାଂଲାଦେଶ ଉପକୂଳ ଦେଇ ପରବର୍ତୀ ସମୟରେ ପଶ୍ଚିମବଙ୍ଗ, ଝାଡଖଣ୍ଡ ଓ ଛତିଶଗଡ ଆଡ଼କୁ ଗତି କରିବାର ସମ୍ଭାବନା ଅଛି।

ଏହି ଅବପାତ ପ୍ରଭାବରେ ଦେବଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ସୋନପୁର ଆଦି ପଶ୍ଚିମ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ବୁଧବାର ପ୍ରବଳ ବର୍ଷା ହେବ। ଏହା ଫଳରେ ଆସନ୍ତା ଦୁଇଦିନ ଭିତରେ ସୁବର୍ଣ୍ଣରେଖା ଓ ବ୍ରାହ୍ମଣୀ ନଦୀର ଉପର ମୁଣ୍ଡ ଏବଂ ମହାନଦୀର ଉଭୟ ଉପର ଓ ତଳ ମୁଣ୍ଡରେ ଜଳସ୍ତର ବଢ଼ିବାର ସମ୍ଭାବନା ରହିଛି,

ଅନ୍ୟପଟେ ଭୁବନେଶ୍ୱର ସହରରେ ସୋମବାର ଦିନ ହୋଇଥିବା ଝଡ଼ବର୍ଷା ଏକ ଆକସ୍ମିକ ଘଟଣା। ଏହା ପରିବେଶରେ ଆସୁଥିବା ପରିବର୍ତ୍ତନକୁ ଦର୍ଶାଉଛି। ଏଭଳି ମନ୍ତବ୍ୟ ଦେଇଛନ୍ତି ଡକ୍ଟର ଶରତ ଚନ୍ଦ୍ର ସାହୁ।

“ସୋମବାର ଭୁବନେଶ୍ଵରରେ ଅପରାହ୍ଣ ୨ଟାରୁ ଝଡ଼ବର୍ଷା ଆରମ୍ଭ ହୋଇ ସନ୍ଧ୍ୟା ୭ଟା ୩୦ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହରର ଅନେକ ଅଞ୍ଚଳରେ ପାଣି ପଶି ଯାଇଥିଲା। ସୋଆ ସ୍ଥିତ ସିଇସିରେ ଥିବା ଅବସର୍ଭେଟୋରିରେ ଏହି ସାଢେ ପାଞ୍ଚ ଘଣ୍ଟା ସମୟ ମଧ୍ୟରେ ୨୫୧.୬ ମିଲିମିଟର ବର୍ଷା ରେକର୍ଡ ହୋଇଥିଲା। ପ୍ରକୃତରେ ଏହାଠାରୁ ଅଧିକ ବର୍ଷା ହୋଇଥାଇପାରେ”, କହିଛନ୍ତି ଶରତ ଚନ୍ଦ୍ର ସାହୁ।

ସେ ଆହୁରି ମଧ୍ୟ କହିଛନ୍ତି, “ଭୁବନେଶ୍ୱର ସହରରେ ପୂର୍ବେ ଏହାଠାରୁ ଅଧିକ ବର୍ଷା ହୋଇଥିବା ରେକର୍ଡ ରହିଛି, କିନ୍ତୁ ଏହା ୨୪ ଘଣ୍ଟା ବା ତା’ଠାରୁ ଅଧିକ ସମୟରେ ରେକର୍ଡ କରାଯାଇଥିଲା। ସୋମବାର କାମ ସମୟ ଭିତରେ ଏତେ ଅଧିକ ବର୍ଷା କେବବି ଦେଖିବାକୁ ମିଳିନଥିଲା।”

 

ଭୁବନେଶ୍ଵରରେ ୧୯୬୯ ଜୁଲାଇ ୩୦ ତାରିଖରେ ୨୮୨.୩ ମିଲିମିଟର, ୧୯୭୧ ଜୁନ୍ ୨୨ ତାରିଖରେ ୨୭୭.୮ ମିଲିମିଟର ଏବଂ ୧୯୯୭ ଅଗଷ୍ଟ ୨୦ ତାରିଖରେ ୨୫୪.୨ ମିଲିମିଟର ବର୍ଷା ହୋଇଥିବା ରେକର୍ଡ ରହିଛି। ସେହିପରି ୧୯୯୯ ଅକ୍ଟୋବର ୩୦ ତାରିଖ ଦିନ ମହାବାତ୍ୟା ହେଉଥିବା ସମୟରେ ଭୁବନେଶ୍ୱରରେ ୪୨୬.୪ ମିଲିମିଟର ବର୍ଷା ରେକର୍ଡ ହୋଇଥିଲା। ଏହି ଦିନଗୁଡ଼ିକରେ ଯଥେଷ୍ଟ ଅଧିକ ସମୟ ଯାଏଁ ବର୍ଷା ଲାଗି ରହିଥିଲା।

 

Tags: #HeavyRainfall #EnvironmentChange #ClimateChange #DrSaratChandraSahoo

LEAVE A REPLY

Please enter your comment!
Please enter your name here