ଓଡ଼ିଶାଲାଇଭ୍ ବ୍ୟୁରୋ

ବଙ୍ଗୋପସାଗରରେ ଆସିଥିବା ଭୀଷଣ ବାତ୍ୟା ମିଗଜୋମ୍ ଏବେ ସ୍ଥଳଭାଗ ମୁହାଁ ହେଉଛି। ଆଉ କିଛି ଘଣ୍ଟା ମଧ୍ୟରେ ଏହା  ଆନ୍ଧ୍ରପ୍ରଦେଶର ନେଲୋର ଓ ମଚ୍ଛଲିପାଟନମ୍ ମଝିରେ ଥିବା ବାପଟଲାରେ ସ୍ଥଳଭାଗ ଅତିକ୍ରମ କରିବ। ଏହା ପ୍ରଭାବରେ ଘଣ୍ଟାପ୍ରତି ୧୧୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ତେବେ ବାତ୍ୟା ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ଆରମ୍ଭ ହୋଇଛି। ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।  

ଏବେ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି ବାତ୍ୟା ମିଗଜୋମ୍। ଏହା ଘଣ୍ଟାପ୍ରତି ୧୦ କିଲୋମିଟର ବେଗରେ ଆଗକୁ ବଢ଼ୁଛି। ବର୍ତ୍ତମାନ ଏହା ନେଲୋରରୁ ୭୦ କିମି ଓ ବାପଟଲାରୁ ୮୦ କିମି ଦୂରରେ ରହିଛି। ତେବେ ବାତ୍ୟା ସ୍ଥଳଭାଗର ଯେତେ ନିକଟତର ହେଉଛି ଏହା ଅଧିକ ଶକ୍ତିଶାଳୀ ହେବାରେ ଲାଗିଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।  

ବାତ୍ୟା ଯୋଗୁଁ ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସହ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବିଶେଷ କରି ତାମିଲନାଡୁର ଚେନ୍ନାଇ, ଚେଙ୍ଗଲପଟ୍ଟୁ, କାଞ୍ଚିପୁରମ୍, ନାଗାପଟ୍ଟନମ୍, ତିରୁବଲ୍ଲୁର ଏବଂ କୁଡ୍ଡାଲୋର ଆଦି ଜିଲ୍ଲାରେ ୪୮ ଘଣ୍ଟା ମଧ୍ୟରେ ୪୦୦ରୁ ୫୦୦ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଚେନ୍ନାଇର ଅଧିକାଂଶ ଅଞ୍ଚଳରେ ପାଣି ଭାରିଯାଇଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଚେନ୍ନାଇର ବନ୍ୟା ଯୋଗୁଁ ଏବେ ସୁଦ୍ଧା ୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ କାର୍ ଭାସିଯାଇଛି। ରାସ୍ତାଘାଟ, ବିମାନ ବନ୍ଦର ଓ ବସ୍‌ ଟର୍ମିନାଲ ଜଳାର୍ଣ୍ଣବ ହୋଇଥିବାରୁ ସବୁ ପରିବହନ ବ୍ୟବସ୍ଥା ଠପ୍ ପଡ଼ିଯାଇଛି। ଏହାସହ ସହରରେ ବନ୍ୟା ଯୋଗୁଁ ବିଦ୍ୟୁତ ସେବା ମଧ୍ୟ ବ୍ୟାହତ ହୋଇଛି।   

ଅନ୍ୟପଟେ ବାତ୍ୟା ମିଗଜୋମ୍ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଛି। କୋରାପୁଟ ଜିଲ୍ଲାରେ ଗତ ୨୪ ଘଣ୍ଟାରେ ୧୧୫.୬ ମିଲିମିଟର ବର୍ଷା ହୋଇଥିବା ସୂଚନା ମିଳିଛି। ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ବୁଧବାର ଗଜପତି ଜିଲ୍ଲାରେ ସବୁ ସ୍କୁଲ ଛୁଟି ଘୋଷଣା କରାଯାଇଛି।

ସେହିପରି ମଙ୍ଗଳବାର ଅତି ପ୍ରବଳ ବର୍ଷା ପାଇଁ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଏବଂ ଗଞ୍ଜାମ ଜିଲ୍ଲାରେ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ସେହିପରି ପୁରୀ, କନ୍ଧମାଳ, କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

Tags: #CycloneMichuang #SevereCyclonicStorm #HeavyRainfall #Flood #WeatherUpdates

LEAVE A REPLY

Please enter your comment!
Please enter your name here