ଓଡ଼ିଶାଲାଇଭ୍ ବ୍ୟୁରୋ

ସିକ୍କିମରେ ବାଦଲଫଟା ବର୍ଷା ଯୋଗୁଁ ତୀସ୍ତା ନଦୀରେ ଆସିଥିବା ପ୍ରଳୟଙ୍କରୀ ବନ୍ୟା ବ୍ୟାପକ କ୍ଷୟକ୍ଷତି ଘଟାଇଛି। ମଙ୍ଗଳବାର ରାତିରେ ଆସିଥିବା ଏହି ଆକସ୍ମିକ ବନ୍ୟାରେ ଏ ଯାଏଁ ୨୨ ଜଣଙ୍କର ମୃତ୍ୟୁ ହୋଇଛି। ବନ୍ୟାରେ ଭାସି ଯାଇଥିବା ଶତାଧିକ ଲୋକ ଏବେ ବି ନିଖୋଜ ଅଛନ୍ତି। ଏହାସହ ସିକ୍କିମର ବିଭିନ୍ନ ଅଞ୍ଚଳରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବାରୁ ୩ ହଜାରରୁ ଅଧିକ ପର୍ଯ୍ୟଟକ ଫସି ରହିଛନ୍ତି।

ଏହି ବନ୍ୟାରେ ନିଖୋଜଥିବା ଲୋକଙ୍କ ମଧ୍ୟରୁ ୨୨ ଜଣଙ୍କ ମୃତଦେହ ଠାବ କରାଯାଇଛି। ସେମାନଙ୍କ ମଧ୍ୟରୁ ୭ ଜଣ ଭାରତୀୟ ସେନାର ଯବାନ ବୋଲି ସିକ୍କିମ ଗୃହ ବିଭାଗ ପକ୍ଷରୁ କୁହାଯାଇଛି। ଏବେବି ନିଖୋଜ ଥିବା ୧୬ ଜଣ ଯବାନଙ୍କ ପତ୍ତା ମିଳୁନାହିଁ। ନିଖୋଜ ଯବାନ ଓ ଅନ୍ୟ ଲୋକମାନଙ୍କୁ ଠାବ କରିବା ପାଇଁ ସେନା ପକ୍ଷରୁ ଅଭିଯାନ ଜାରି ରହିଛି।

ସିକ୍କିମରେ ଏବେ ବନ୍ୟା କମିବା ପରେ ବିପର୍ଜୟର ପ୍ରକୃତ ଚିତ୍ର ସାମ୍ନାକୁ ଆସିଛି। ବନ୍ୟାରେ ଦକ୍ଷିଣ ସିକ୍କିମର ଗ୍ୟାଙ୍ଗଟକ, ପାକୟଙ୍ଗ, ନାମଚି ଓ ମଙ୍ଗନ ଆଦି ଅଞ୍ଚଳରେ ବହୁତ କ୍ଷୟକ୍ଷତି ହୋଇଛି। ସେଠାରେ ଅନେକ ରାସ୍ତା ଓ ୧୩ଟି ବ୍ରିଜ ନଷ୍ଟ ହୋଇଯାଇଛି। ଏହାସହ ଅନେକ ଲୋକଙ୍କ ଘରେ ମଧ୍ୟ ବନ୍ୟା ଜଳ ଓ କାଦୁଅ ପଶି ଯାଇଥିବା ଦେଖିବାକୁ ମିଳିଛି।    

ଅନ୍ୟପଟେ ସିକ୍କିମରେ ଏବେ ଭାରତୀୟ ସେନା ଓ ଏନଡିଆରଏଫ ପକ୍ଷରୁ ଉଦ୍ଧାର କାର୍ଯ୍ୟକୁ ଜୋରଦାର କରାଯାଇଛି। ବନ୍ୟା ପ୍ରଭାବିତ ଅଞ୍ଚଳରୁ ପ୍ରାୟ ୨,୨୦୦ ଲୋକଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ପଠାଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ମୋଟ ୨୬ଟି ରିଲିଫ ଶିବିର ଖୋଲାଯାଇଛି। ଏହାସହ ସିକ୍କିମରେ ଫସିଥିବା ପର୍ଯ୍ୟଟକଙ୍କୁ ଉଦ୍ଧାର କରିବା ପାଇଁ ଯୋଜନା କରାଯାଇଛି।

ସିକ୍କିମର ଲାଚେନ୍ ଘାଟିରେ ମଙ୍ଗଳବାର ପ୍ରବଳ ବର୍ଷା ଯୋଗୁଁ ତୀସ୍ତା ନଦୀରେ ଜଳସ୍ତର ଅଚାନକ ବଢ଼ିଯାଇଥିଲା। ଏଥିପାଇଁ ଉତ୍ତର ସିକ୍କିମର ଚୁଙ୍ଗଥାଙ୍ଗ୍‌ ଜଳଭଣ୍ଡାରର ସବୁ ଗେଟ ଖୋଲି ଦିଆଯାଇଥିଲା। ଫଳରେ ତଳମୁଣ୍ଡର ଜଳସ୍ତର ୧୫ରୁ ୨୦ ଫୁଟ୍‌ ପର୍ଯ୍ୟନ୍ତ ବଢ଼ିଗଲା। ଏଥିପାଇଁ ବଡ଼ଧରଣର ବନ୍ୟା ସୃଷ୍ଟି ହୋଇଥିଲା।     

Tags: #Sikkim #Floods #HeavyRainfall #TeestaRiver #RescueOperation #IndianArmyJawans #India

LEAVE A REPLY

Please enter your comment!
Please enter your name here