ଓଡ଼ିଶାଲାଇଭ୍ ବ୍ୟୁରୋ

ବିଗତ କିଛି ବର୍ଷ ଧରି ବିଶ୍ଵ ଜଳବାୟୁରେ ବ୍ୟାପକ ପରିବର୍ତ୍ତନ ଲକ୍ଷ୍ୟ କରାଯାଇଛି। ତୁହାକୁ ତୁହା ବାତ୍ୟା ଓ ବନ୍ୟା ଏହାର ଉଦାହରଣ। ଜଳବାୟୁ ପରିବର୍ତ୍ତନ ଆଗାମୀ ଦିନରେ ଏକ ବଡ଼ ସଙ୍କଟ ହେବାକୁ ଯାଉଛି। ଏହି କାରଣରୁ ଏବେ ବିପଦ ପଥରେ ବିଶ୍ଵ ଓ ଏଥିରେ ବାସ କରୁଥିବା ୭୦୦ କୋଟି ଲୋକଙ୍କ ଜୀବନ। ଏହି ପରିପ୍ରେକ୍ଷୀରେ ଏବେ ବିପର୍ଜୟ ପରିଚାଳନା ଏକ ନୂଆ ଆହ୍ଵାନ ସୃଷ୍ଟି କରିଛି। ଏଥିପାଇଁ ପିଲାଙ୍କୁ ଏବେଠୁ ଜଳବାୟୁ ପରିବର୍ତ୍ତନ ଜନିତ ବିପର୍ଜୟର ମୁକବିଲା କରିବା ପାଇଁ ଶିକ୍ଷା ଦେବାର ଆବଶ୍ୟକତା ରହିଛି।

ଚଳିତ ଶତାବ୍ଦୀର ଶେଷ ଭାଗ ଆଡକୁ ବିଶ୍ଵର ହାରାହାରି ତାପମାତ୍ରା ୨.୭ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇବ ବୋଲି ବୈଜ୍ଞାନିକ ମତ ଦେଇଛନ୍ତି। ଏଥିପାଇଁ ପୃଥିବୀରେ ସମୁଦ୍ର ପତ୍ତନ ବୃଦ୍ଧି ଯୋଗୁଁ ଅନେକ ଦେଶ ବୁଡ଼ି ଯିବାର ସମ୍ଭାବନା ରହିଛି। ଜାତିସଙ୍ଘ ମଧ୍ୟ ଏହାକୁ ନେଇ ସବୁ ଦେଶକୁ ସତର୍କ କରାଇଛି। ହେଲେ ବିପର୍ଜୟର ସାମ୍ନା କରିବା ପାଇଁ କୌଶଳ ଏବେ ସ୍କୁଲରୁ ହିଁ ଶିଖାଇବାର ସମୟ ଆସିଛି। ପିଲାମାନେ ଏବେଠୁ ସଚେତନ ହେଲେ ସେମାନେ ଆଗକୁ ଯାଇ ଜଳବାୟୁ ପରିବର୍ତ୍ତନର ଉପଯୁକ୍ତ ମୁକାବିଲା କରିପାରିବେ।

ଜଳବାୟୁ ପରିବର୍ତ୍ତନର ପ୍ରଭାବ

କୋଭିଡ ଓ ଅନ୍ୟ ମହାମାରୀ ଦୃଷ୍ଟିରୁ ନୁହେଁ ବରଂ ପରିବେଶ ଦୃଷ୍ଟିରୁ ସମଗ୍ର ବିଶ୍ଵରେ ଅବସ୍ଥା ବିଗିଡ଼ିବାରେ ଲାଗିଛି। ଆମେରିକା ଓ ୟୁରୋପରେ ଗ୍ରୀଷ୍ମ ଋତୁରେ ଜଙ୍ଗଲରେ ବ୍ୟାପକ ନିଆଁ ଲାଗିବା, ଚୀନ ଓ ଜର୍ମାନୀରେ ପ୍ରଳୟଙ୍କରୀ ବନ୍ୟା ଆଦି ଏହାର ପୂର୍ବ ସଙ୍କେତ ବୋଲି କୁହାଯାଉଛି। କ୍ରମାଗତ ତାପମାତ୍ରା ବଢ଼ିବା ଯୋଗୁଁ ଆଗାମୀ କିଛି ବର୍ଷ ମଧ୍ୟରେ ଘୋର ବିପର୍ଯ୍ୟୟ ଆସିପାରେ ବୋଲି ଆକଳନ କରାଯାଇଛି। ଭାରତ ମଧ୍ୟ ଏହାର ଶିକାର ହେବାର ସମ୍ଭାବନା ରହିଛି।

ବୈଜ୍ଞାନିକଙ୍କ ମତରେ ବିଶ୍ଵର ତାପମାତ୍ରା ନିର୍ଦ୍ଧାରିତ ସ୍ତରରେ ରହିବା ଦରକାର। ମାତ୍ର ତାପମାତ୍ରା ବୃଦ୍ଧି ପାଉଥିବାରୁ ଏହାର ପ୍ରଭାବ ଜୀବନ ଓ ଜୀବିକା ଉପରେ ଗୁରୁତର ଭାବେ ପଡ଼ୁଛି। ଏଥିଲାଗି ସମସ୍ତ ରାଷ୍ଟ୍ର ପଦେକ୍ଷେପ ଲାଗି ୨୦୧୬ରେ ପ୍ୟାରିସ ରାଜିନାମାରେ ଗୃହିତ ହୋଇଥିଲା। ହେଲେ ବର୍ତ୍ତମାନ ହାତରୁ ସମୟ ସରି ସରି ଆସୁଛି ବୋଲି କହିଛନ୍ତି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ।

ପ୍ୟାରିସ ରାଜିନାମାରେ ୨୦୩୦ ସୁଦ୍ଧା ବିଶ୍ଵର ଅଙ୍ଗାରକାମ୍ଳ ଗ୍ୟାସ ନିର୍ଗମନ ପରିମାଣ ୪୫ ପ୍ରତିଶତ ହ୍ରାସ କରିବା ଲାଗି ନିଷ୍ପତ୍ତି ନିଆଯାଇଥିଲା। ଏଥିପାଇଁ ଯେଉଁ ପଦକ୍ଷେପ ସବୁ ନିଆଯାଉଛି ତାହା ଫଳପ୍ରଦ ହୋଇ ପାରୁନି। ବର୍ତ୍ତମାନର ଧାରାକୁ ଆକଳନ କଲେ ସ୍ପଷ୍ଟ ହେଉଛି ଯେ ୨୦୩୦ ବେଳକୁ ନିର୍ଗମନ ପରିମାଣ କମିବା ବଦଳରେ ଆହୁରି ୧୬ ପ୍ରତିଶତ ବୃଦ୍ଧି ପାଇବ। ଉଦବେଗର ବିଷୟ ଯେ ଏହି ଅଙ୍ଗାରକାମ୍ଳ ହ୍ରାସ ନେଇ କୌଣସି ବିକଶିତ ରାଷ୍ଟ୍ର ଗୁରୁତ୍ଵ ଦେଉନାହାନ୍ତି।

ଓଡ଼ିଶା ଉପରେ ପ୍ରଭାବ

ଜଳବାୟୁ ପରିବର୍ତ୍ତନର ପ୍ରଭାବ ଆମ ଓଡ଼ିଶା ଉପରେ ମଧ୍ୟ ପଡ଼ୁଛି। ରାଜ୍ୟରେ କେଉଁଠି ମାତ୍ରାଧିକ ବର୍ଷା ତ କେଉଁଠି ମରୁଡ଼ି ଦେଖାଯାଉଛି। ଏହାସହ ଏବେ ଓଡ଼ିଶା ଉପକୂଳରେ ଆସୁଥିବା ବାତ୍ୟା ବହୁତ କ୍ଷୟକ୍ଷତି ଘଟାଉଛି। ହେଲେ ଏହି ସମୟରେ ଓଡ଼ିଶାର ବିପର୍ଜୟ ପରିଚାଳନା ଅନେକ ଲୋକଙ୍କ ଜୀବନ ବଞ୍ଚାଇପାରୁଛି।

୧୯୯୯ ମସିହା ମହାବାତ୍ୟା ପରେ ରାଜ୍ୟରେ ବିପର୍ଜୟ ପରିଚାଳନା ଦିଗରେ ଅନେକ କାମ ହୋଇଛି। ଯାହାର ଫଳ ଆଜି ଆମେ ପାଉଛୁ। ବିପର୍ଜୟ ପରିଚାଳନା ପାଇଁ ଓଡ଼ିଶା ବିଭିନ୍ନ ସ୍ଥାନରୁ ସମ୍ମାନିତ ହେବା ସହ ଅନେକ ପ୍ରଶଂସା ପାଉଛି। ଓଡ଼ିଶା ସରକାର ବିପର୍ଯ୍ୟୟ ପରିଚାଳନାକୁ ସ୍କୁଲରେ ଏକ ପାଠ୍ୟକ୍ରମରେ ମଧ୍ୟ ଅନ୍ତର୍ଭୁକ୍ତ କରିଛନ୍ତି।

୨୦୨୧ରେ ସ୍କଟଲ୍ୟାଣ୍ଡର ଗ୍ଲାସଗୋଠାରେ ଅନୁଷ୍ଠିତ କପ ୨୬ ସମ୍ମିଳନୀରେ ଭାରତ ସମେତ ବିଭିନ୍ନ ଦେଶ ପକ୍ଷରୁ ଯେଉଁ ବିଚାର ବିମର୍ଷ ଚାଲିଥିଲା ତାହା ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ରୋକିବାରେ ସହାୟକ ହେବ ବୋଲି ଆଶା କରାଯାଉଛି। ହେଲେ ଏହା ସାମାଜିକ ସଚେତନତା ଉପରେ ବହୁଳ ଭାବେ ନିର୍ଭର କରିବ। ବିପର୍ଯ୍ୟୟ ପରିଚାଳନାକୁ ସ୍କୁଲ ଶିକ୍ଷାରେ ସାମିଲ କରାଗଲେ ଏହା ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ଅନେକ ସହାୟ ହୋଇପାରିବ।

Tags: #ClimateChange #DisasterManagement #DisasterManagementCourse #SchoolStudents   

Comment