ଓଡ଼ିଶାଲାଇଭ୍ ବ୍ୟୁରୋ

ନୟାଗଡ଼ ଜିଲ୍ଲା ଦଶପଲ୍ଲା ନିକଟସ୍ଥ ଶାଳଭଙ୍ଗା ଜଙ୍ଗଲ ରାସ୍ତାରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଶୁକ୍ରବାର ବିଳମ୍ବିତ ରାତିରେ ଏଠାରେ ଏକ ପିକନିକ ବସ୍ ଓ ଟ୍ରକର ମୁହାଁମୁହିଁ ଧକ୍କାରେ ୩ ଜଣ ସ୍କୁଲ ଛାତ୍ରୀଙ୍କ ମୃତ୍ୟୁ ହୋଇଛି। ଏହାସହ ୧୧ ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କୁ ନୟାଗଡ଼ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଦଶପଲ୍ଲାର ଏକ ଘରୋଇ କୋଚିଂ ସେଣ୍ଟରର ପ୍ରାୟ ୫୦ ଜଣ ଛାତ୍ରଛାତ୍ରୀ ବସରେ ହରିଶଙ୍କରକୁ ପିକନିକ ପାଇଁ ଯାଉଥିଲେ। ବସଟି ଶୁକ୍ରବାର ରାତିରେ ଦଶପଲ୍ଲାରୁ କିଛି ଦୂର ଆଗରେ ୫୭ ନମ୍ବର ଜାତୀୟ ରାଜପଥ ଶାଳଭଙ୍ଗା ଜଙ୍ଗଲ ରାସ୍ତାରେ ଥିବାବେଳେ ଅନ୍ୟ ଦିଗରୁ ଆସୁଥିବା ଏକ ଟ୍ରକ ସହ ଧକ୍କା ହୋଇଥିଲା।  

ଏହି ଦୁର୍ଘଟଣା ଯୋଗୁଁ ଘଟଣା ସ୍ଥଳରେ ଦୁଇ ଜଣ ଛାତ୍ରୀ ପ୍ରାଣ ହରାଇଥିଲେ। ଦୁର୍ଘଟଣାର ଖବର ପାଇଁ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।

ଆହତମାନଙ୍କୁ ପ୍ରଥମେ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୧୨ ଜଣ ଗୁରୁତରଙ୍କୁ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ତେବେ ନୟାଗଡ଼ ଯିବା ରାସ୍ତାରେ ଜଣେ ଆଉ ଜଣେ ଛାତ୍ରୀଙ୍କର ମୃତ୍ୟୁ ହୋଇଥିଲା।

ତେବେ ଏହି ଘଟଣା ସମଗ୍ର ଦଶପଲ୍ଲା ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି। ମୃତ ଛାତ୍ରୀଙ୍କ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ଅନ୍ୟପଟେ ଏବେ ଦୁର୍ଘଟଣାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣା ହୋଇଥିବା ଟ୍ରକ୍ ଡ୍ରାଇଭର ଓ ହେଲପରଙ୍କୁ ଅଟକ ରଖି ପୋଲିସ ପକ୍ଷରୁ ପଚରାଉଚରା କରାଯାଉଛି।

Tags: #RoadAccident #PicnicBusCollision #SchoolStudents #Dasapalla #Nayagarh

LEAVE A REPLY

Please enter your comment!
Please enter your name here