ଓଡ଼ିଶାଲାଇଭ୍ ବ୍ୟୁରୋ

(ଜୟପୁର): କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ଛକ ନିକଟରେ ଶୁକ୍ରବାର ଭୋର ସମୟରେ ଗୋଟିଏ କାର୍ ଭାରସାମ୍ୟ ହରାଇ ଗଛକୁ ଧକ୍କା ଦେବା ଫଳରେ ୩ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଅନ୍ୟ ୩ ଜଣ ଗୁରୁତର ଆହତ ହୋଇ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।
ନୟାଗଡ଼ର ସୁଦୀପ୍ତ କୁମାର ସିଂସାମନ୍ତଙ୍କ ପରିବାର ଲୋକେ ଏକ କାର ଯୋଗେ ନୟାଗଡ଼ରୁ ମାଲକାନଗିରି ଯାଉଥିଲେ। ଆଜି ଭୋର ସମୟରେ ବୈପାରୀଗୁଡ଼ା ଛକ ନିକଟରେ କାରର ଡ୍ରାଇଭର ଭାରସାମ୍ୟ ହରାଇ ୩୨୬ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଏକ ଗଛକୁ ଧକ୍କା ଦେଇଥିଲେ। ଫଳରେ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିଲା।
ମୃତକଙ୍କ ମଧ୍ୟରେ ଦୁଇଜଣ ମହିଳା ଓ ଡ୍ରାଇଭର ରହିଛନ୍ତି। ଏହି ଦୁର୍ଘଟଣାରେ ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ପ୍ରଥମେ ବୈପାରିଗୁଡ଼ା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ପରେ ଜୟପୁର ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
Tags: #RoadAccident #Death #Baipariduda #Koraput #Odisha