ଓଡ଼ିଶାଲାଇଭ୍ ବ୍ୟୁରୋ

ମୋବାଇଲ ଫୋନକୁ ଆସୁଥିବା ଏମର୍ଜେନ୍ସି ଆଲର୍ଟକୁ ନେଇ ଭୟଭୀତ ହେଉଛନ୍ତି ଲୋକେ।

ବୁଧବାର ଦିନ ହଠାତ୍ ଲୋକଙ୍କ ମୋବାଇଲକୁ ଆସିଛି ଏକ ଏମର୍ଜେନ୍ସି ଆଲର୍ଟ। ମେସେଜ ସହ ଏକ ସାଇରନ ଶବ୍ଦ ମଧ୍ୟ ହେଉଛି। ଆସିଥିବା ମେସେଜ ତଳେ ରହିଥିବା ‘ଓକେ’ ପ୍ରେସ କରିବା ପରେ ଏହି ସାଇରନ ଶବ୍ଦଟି ବନ୍ଦ ହୋଇଯାଉଛି। ହଠାତ୍ ଏହିଭଳି ମେସେଜକୁ ଦେଖି ଲୋକଙ୍କ ମନରେ ଛନକା ପଶିଛି।

ବିପର୍ଯ୍ୟୟ ସମୟରେ ଗୋଟିଏ କ୍ଲିକରେ ଦେଶବାଶୀଙ୍କୁ ସତର୍କ କରିବା ଲାଗି ଟେଲିକମ୍ ବିଭାଗର ସେଲ ବ୍ରଡକାଷ୍ଟିଂ ସିଷ୍ଟମ ମାଧ୍ୟମରେ ପରୀକ୍ଷା ନିରୀକ୍ଷା କରାଯାଉଛି। ଜାତୀୟ ବିପର୍ଯ୍ୟ ପରିଚାଳନା ପ୍ରାଧିକରଣ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।

ବୁଧବାର ଦିନ ୧୧ଟା ପରଠାରୁ ସମସ୍ତଙ୍କୁ ଏହିଭଳି ମେସେଜ ଆସିବାକୁ ଲାଗିଛି। ଆଣ୍ଡ୍ରଏଡ ଫୋନଠାରୁ ଆରମ୍ଭ କରି କି’ପ୍ୟାଡ୍ ଫୋନ ସବୁଠିକୁ ଏହି ମେସେଜ ପଠାଯାଉଛି। ଏଭଳି ସାଇରନ ଶବ୍ଦ ସହ ପୂର୍ବରୁ ଲୋକଙ୍କ ପାଖକୁ କୌଣସି ମେସେଜ ଆସିନଥିବାରୁ ଆଜି ମେସେଜକୁ ନେଇ ଲୋକେ ଏକ ପ୍ରକାର ଛାନିଆ ହୋଇଯାଇଥିଲେ।

ଉଭୟ ଓଡ଼ିଆ ଏବଂ ଇଂରାଜୀ ଭାଷାରେ ମେସେଜ ଆସୁଛି। ଏହି ଏମର୍ଜେନ୍ସି ଆଲର୍ଟରେ ଲେଖାଯାଇଛି, ‘ଏହା ହେଉଛି ଟେଲିକମ ବିଭାଗ, ଭାରତ ସରକାରଙ୍କ ଦ୍ଵାରା ସେଲ ବ୍ରୋଡକାଷ୍ଟିଂ ସିଷ୍ଟମ ମାଧ୍ୟମରେ ପଠାଯାଇଥିବା ଏକ ନମୁନା ପରୀକ୍ଷା ବାର୍ତ୍ତା। ଦୟାକରି ଏହି ସନ୍ଦେଶକୁ ଅଣଦେଖା କରନ୍ତୁ, କାରଣ ଏହା ଆପଣଙ୍କ ତରଫରୁ କୌଣସି ପଦକ୍ଷେପ ଆବଶ୍ୟକ କରେନାହିଁ। ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଦ୍ଵାରା କାର୍ଯ୍ୟକାରୀ ହେଉଥିବା ଅଲ ଇଣ୍ଡିଆ ଜରୁରୀକାଳୀନ ଆଲର୍ଟ ସିଷ୍ଟମ ପରୀକ୍ଷା କରିବାକୁ ଏହି ବାର୍ତ୍ତା ପଠାଯାଇଛି। ଜନସାଧାରଣଙ୍କ ସୁରକ୍ଷାକୁ ବଢ଼ାଇବାକୁ ଏବଂ ଜାରୁରୀକାଳୀନ ସମୟରେ ଠିକ୍ ସମୟରେ ସତର୍କ ସୂଚନା ପ୍ରଦାନ କରିବାକୁ ସିଷ୍ଟମ ଲକ୍ଷ୍ୟ ରଖିଛି।’

ଏହା ପୂର୍ବରୁ ମଙ୍ଗଳବାର ଦିନ ସମସ୍ତ ମୋବାଇଲକୁ ଏକ ମେସେଜ ଆସିଥିଲା, ଯେଉଁଥିରେ ଉଲ୍ଲେଖ କରାଯାଇଥିଲା, ‘ଏକ ଭିନ୍ନ ଶବ୍ଦ ଏବଂ କମ୍ପନ ସହିତ ଜାରୁରୀକାଳୀନ ପରିସ୍ଥିତି ବିଷୟରେ ଆପଣ ନିଜ ମୋବାଇଲରେ ଏକ ମେସେଜ ଗ୍ରହଣ କରିପାରନ୍ତି। ଦୟା କରି ଭୟଭୀତ ହୁଅନ୍ତୁ ନାହିଁ, ଏହି ମେସେଜ ପ୍ରକୃତରେ କୌଣସି ଜାରୁରୀକାଳୀନ ପରିସ୍ଥିତି ବିଷୟରେ ସୂଚାଏ ନାହିଁ। ଯୋଜନାବଦ୍ଧ ପରୀକ୍ଷା ପ୍ରକ୍ରିୟାର ଏକ ଅଂଶ ଭାବରେ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ସହଯୋଗରେ ଭାରତ ସରକାରଙ୍କ ଟେଲିକମ ବିଭାଗ ଦ୍ଵାରା ଏହି ବାର୍ତ୍ତା ପଠାଯାଉଛି।’

ବିପର୍ଯ୍ୟୟ ସମୟରେ ଲୋକଙ୍କୁ ସତର୍କ କରାଇବା ପାଇଁ ଏହା ଭାରତ ସରକାରଙ୍କ ପକ୍ଷରୁ ଏକ ପରୀକ୍ଷଣ ଏବଂ ଏହାକୁ ନେଇ ଭୟଭୀତ ନହେବାକୁ ଟେଲିକମ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।

Comment