ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଓଡ଼ିଶା ଗସ୍ତରେ ଆସିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ରବିବାର ସେ ବ୍ରହ୍ମପୁରର ଆମ୍ବପୁଆଠାରେ ବିଜେପିର ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଲୋକସଭା ଓ ବିଧାନସଭା ଆସନ ପାଇଁ ବିଜେପି ପ୍ରାର୍ଥୀଙ୍କ ପ୍ରଚାର କରିଥିଲେ। ଏଠାରେ ସେ ନିଜ ସମ୍ବୋଧନରେ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି।

ଜେପି ନଡ୍ଡା ରବିବାର ଅପରାହ୍ଣ ୫ଟାରେ ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଥିଲେ। ସେଠାରୁ ଏକ ସ୍ଵତନ୍ତ୍ର ବିମାନରେ ବ୍ରହ୍ମପୁର ଅଭିମୁଖେ ବାହାରିଥିଲେ। ସେ ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପରେ ପହଞ୍ଚିଲା ପରେ ତାଙ୍କୁ ରାଜ୍ୟ ବିଜେପିର ବରିଷ୍ଠ ନେତାମାନେ ସ୍ଵାଗତ କରିଥିଲେ। ଏହାପରେ ସେ ବିଜୟ ସଂକଳ୍ପ ସମାବେଶରେ ଉପସ୍ଥିତ ଲୋକମାନଙ୍କୁ ସମ୍ବୋଧିତ କରିଥିଲେ। ଏଠାରେ ସେ ଉତ୍କଳଗୌରବ ମଧୁସୂଦନ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ନିଜର ଅଭିଭାଷଣ ଆରମ୍ଭ କରିଥିଲେ।

“ଏଥରର ନିର୍ବାଚନ ବିକଶିତ ଭାରତର ନିର୍ମାଣ ପାଇଁ ହେବାକୁ ଯାଉଛି। ଓଡ଼ିଶା ମଧ୍ୟ ଭାରତର ବିକାଶ ଯାତ୍ରାରେ ସକ୍ରିୟ ଭୂମିକା ବହନ କରିବ। ଓଡ଼ିଶା ପାଖରେ ସବୁ ଥାଇ ମଧ୍ୟ ଏଠାରେ ବିକାଶ ହୋଇପାରିନାହିଁ। ବିଜେଡି ସରକାର କେନ୍ଦ୍ରର ଯୋଜନାଗୁଡ଼ିକୁ ରାଜ୍ୟରେ ଲାଗୁ ହେବାକୁ ଦେଉନାହାନ୍ତି। ଏଠାରେ ନେତା ଅଫିସରଙ୍କ ଦୁର୍ନୀତି ସବୁ ସୀମା ପାର କରିଛି। ଚଳିତ ନିର୍ବାଚନରେ ଓଡ଼ିଶାବାସୀ ଏହାର ଜବାବ ଦେବେ”, କହିଛନ୍ତି ଜେପି ନଡ୍ଡା।

ଏହି ନିର୍ବାଚନୀ ସମାବେଶରେ ଜେପି ନଡ୍ଡା ବିଜେଡିକୁ ସମାଲୋଚନା କରିଥିଲେ। ରାଜ୍ୟ ରାଜନୀତିରେ କାହିଁକି ବାହାରର ଲୋକଙ୍କୁ ପ୍ରଶ୍ରୟ ଦିଆଯାଉଛି ବୋଲି ସେ ପ୍ରଶ୍ନ କରିଥିଲେ। ଓଡ଼ିଶାରେ ବିଜେପି ସରକାର ଗଠନ ହେଲେ ରାଜ୍ୟକୁ ସବୁ କ୍ଷେତ୍ରରେ ବିକଶିତ କରିବାକୁ ସେ ପ୍ରତିଶ୍ରୁତି ଦେଇଥିଲେ।      

ଚଳିତ ନିର୍ବାଚନ ସମୟରେ ଏହା ଜେ ପି ନଡ୍ଡାଙ୍କ ପ୍ରଥମ ଓଡ଼ିଶା ଗସ୍ତ ହୋଇଥିବାରୁ ରାଜ୍ୟ ବିଜେପିର ନେତା ଓ କର୍ମୀ ଉତ୍ସାହିତ ହୋଇଛନ୍ତି। ବ୍ରହ୍ମପୁରର ସଭାସ୍ଥଳୀରେ ଦଳର ହଜାର ହଜାର କର୍ମୀ ଓ ସମର୍ଥକଙ୍କ ସାମାଗମ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ବରିଷ୍ଠ ବିଜେପି ନେତା ବିପ୍ଲବ ଦେବ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ରାଜ୍ୟ ବିଜେପି ପ୍ରଭାରି ବିଜୟପାଲ ସିଂହ ତୋମର ପ୍ରମୁଖ ଯୋଗ ଦେଇଥିଲେ। ଏହାସହ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଲୋକସଭା ଏବଂ ବିଧାନସଭା ଆସନର ପ୍ରାର୍ଥୀଙ୍କ ସମେତ ଅନ୍ୟ ନେତାମାନେ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

ଜେପି ନଡ୍ଡା ରବିବାର ରାତିରେ ବିଜେପିର ବରିଷ୍ଠ ନେତା ଓ ପ୍ରାର୍ଥୀଙ୍କ ବୈଠକରେ ଯୋଗ ଦେବେ। ଏଠାରେ ଦକ୍ଷିଣ ଓଡ଼ିଶାରେ ଦଳର ନିର୍ବାଚନୀ ରଣନୀତି ପ୍ରସ୍ତୁତ ହେବାର ସମ୍ଭାବନା ରହିଛି। ସେ ରବିବାର ରାତିରେ ବ୍ରହ୍ମପୁରରେ ରହି ସୋମବାର ସକାଳେ ଭୁବନେଶ୍ଵର ଆସି ଦିଲ୍ଲୀ ଫେରିଯିବେ।

Tags: #OdishaAssemblyElections2024 #JPNadda #ElectionCampaign #BJP #Berhampur #Odisha 

Comment