ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ନବରଙ୍ଗପୁର ଜିଲ୍ଲା ଉମରକୋଟ ବିଧାନସଭା ଆସନରେ ବଢ଼ୁଛି ରାଜନୈତିକ ଉଷ୍ମତା। ଏକଦା କଂଗ୍ରେସର ଗଡ଼ ଥିବା ଏହି ଆସନରେ ୨୦୦୪ରୁ କେବେ ବିଜେଡି ତ ବିଜେପି ଉଡ଼ାଇଛି ବିଜୟ ବାନା। ୨୦୧୯ରେ ବିଜେପି ହାତରେ ଥିଲା ଏ ଆସନ। ତେବେ ଚଳିତ ନିର୍ବାଚନରେ ଏହି ଆସନ ହାତେଇବାକୁ ରଣନୀତି କରୁଛି ବିଜେଡି। ସେହିପରି ଏଠାରେ ବିଜେପି ଆସନ ବଞ୍ଚାଇବାକୁ ପ୍ରସ୍ତୁତ ହେଉଥିବାବେଳେ କଂଗ୍ରେସ ବି କିଛି ଦୁର୍ବଳ ସ୍ଥିତିରେ ନାହିଁ।

ବିଜେଡି ଖେଳିଛି ମହିଳା କାର୍ଡ

୨୦୧୯ରେ ଉମରକୋଟ ନିର୍ବାଚନ ମଣ୍ଡଳୀରେ ୩ ଦଳ ବହୁତ ଭଲ ସ୍ଥିତିରେ ଥିଲେ। ୨୦୨୨ ପଞ୍ଚାୟତ ନିର୍ବାଚନରେ ବିଜେଡି ବହୁତ ଭଲ ପ୍ରଦର୍ଶନ କରିଥିଲା। ତଥାପି ବିଜେଡି ଏଥର ପ୍ରାର୍ଥୀ ବଦଳାଇ ଦେଇଛି।୨୦୧୧ ଉପ ନିର୍ବାଚନ ଓ ୨୦୧୪ ନିର୍ବାଚନରେ ଜିତିଥିବା ସୁବାସ ଗଣ୍ଡଙ୍କ ଉପରେ ଭରସା କରିନି ଦଳ। କିନ୍ତୁ ଅସନ୍ତୁଷ୍ଟ ବି କରିବାକୁ ଚାହିଁନି। ତାଙ୍କ ପତ୍ନୀ ତଥା ରାଇଘର ବ୍ଲକ ଅଧ୍ୟକ୍ଷା ନବୀନା ନାୟକଙ୍କୁ ପ୍ରାର୍ଥୀ କରିଛି ବିଜେଡି।

୨୦୦୯ରେ ବିଜୟୀ ହୋଇଥିବା ବିଜେଡି ବିଧାୟକ ଜଗବନ୍ଧୁ ମାଝୀଙ୍କୁ ମାଓବାଦୀ ହତ୍ୟା କରିବା ପରେ ସେଠାରେ ଉପ ନିର୍ବାଚନ ହୋଇଥିଲା। ଜଗବନ୍ଧୁଙ୍କ ଡ୍ରାଇଭର ସୁବାସଙ୍କୁ ପ୍ରାର୍ଥୀ କରିଥିଲା ବିଜେଡି। ଭଲ ବ୍ୟବଧାନରେ ଜିତିଥିଲେ ସୁବାସ। ସେହି ସଫଳତାକୁ ସେ ୨୦୧୪ ବିଧାନସଭା ନିର୍ବାଚନରେ ବଜାୟ ରଖିଥିଲେ। କିନ୍ତୁ ୨୦୧୯ରେ ଏ ଆସନ ଛଡ଼ାଇ ନେଇଥିଲା ବିଜେପି।

୨୦୨୪ରେ ସୁବାସଙ୍କ ସପକ୍ଷରେ ରିପୋର୍ଟ ନ ମିଳିବାରୁ ବିଜେଡି ପ୍ରାର୍ଥୀ ବଦଳାଇଥିଲା। କିନ୍ତୁ ସୁବାସ ଅସନ୍ତୁଷ୍ଟ ହେଲେ ବିଜେଡି କ୍ଷତିଗ୍ରସ୍ତ ହେବା ଆଶଙ୍କା କରି ତାଙ୍କ ପତ୍ନୀ ନବୀନାଙ୍କୁ ଟିକଟ ଦେଇଛି ଦଳ। ଗୋଟିଏ ପଟେ ପ୍ରାର୍ଥୀ ବଦଳାଇ ଥିବା ବେଳେ ଅନ୍ୟ ପଟେ ମହିଳା ଭୋଟରଙ୍କୁ ଏକତ୍ରିତ କରିବା ପାଇଁ ମହିଳା କାର୍ଡ ଖେଳିଛି ବିଜେଡି।

“ଜନସାଧାରଣଙ୍କ ସମର୍ଥନ ବିଜେଡି ପ୍ରତି ରହିଛି ପୂର୍ବ ପଞ୍ଚାୟତ ନିର୍ବାଚନରେ ମଧ୍ୟ ବିଜେଡି ବହୁତ ଭଲ ପ୍ରଦର୍ଶନ କରିଛି ତେଣୁ ଏ ନିର୍ବାଚନରେ ବି ବିଜେଡି ବିଜୟୀ ହେବ’’, କହିଛନ୍ତି ବିଜେଡି ପ୍ରାର୍ଥୀ ନବୀନା ନାୟକ

ଗୋଷ୍ଠୀ କନ୍ଦଳ କରିପାରେ ବିଜେଡିର ଅଙ୍କ ଗୋଳମାଳ

ବିଜେଡି ନୂଆ ପ୍ରାର୍ଥୀ ଦେଇଥିଲେ ମଧ୍ୟ ସେହି ପରିବାରର ସଦସ୍ୟଙ୍କୁ ଟିକଟ ଦେଇଛି। ତେଣୁ ଆଶାୟୀ ଥିବା ଅନ୍ୟ ପ୍ରାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ ଥିବା ଚର୍ଚ୍ଚା ହେଉଛି। ସେ ଅସନ୍ତୋଷକୁ ପ୍ରଶମିତ କରିପାରିବା ବିଜେଡି ପାଇଁ ବଡ଼ ଆହ୍ଵାନ। ଯେତେ ଶୀଘ୍ର ଏ ବିବାଦର ସମାଧାନ ହେବା ବିଜେଡି ପାଇଁ ଶୁଭଙ୍କର ବୋଲି ରାଜନୈତିକ ସମୀକ୍ଷକମାନେ କହିଛନ୍ତି।

ମୁକାବିଲା କରିବାକୁ ବିଜେପି ବି ପ୍ରସ୍ତୁତ

ବିଜେଡି ପ୍ରାର୍ଥୀଙ୍କ ସହ କଡ଼ା ମୁକାବିଲା ପାଇଁ ବିଜେପି ମଧ୍ୟ ପ୍ରସ୍ତୁତ ରହିଛି। ବୁଥ ସ୍ତରରେ ପ୍ରସ୍ତୁତି ଚଳାଇଛି ଦଳ। ବିଧାୟକ ନିତ୍ୟାନନ୍ଦ ଗଣ୍ଡ ପୁଣି ଟିକଟ ପାଇଛନ୍ତି। ବିଜେପି ଉମରକୋଟରେ ୨ ଥର ନିର୍ବାଚନ ଜିତିଛି। ତେଣୁ ଲୋକ ସମ୍ପର୍କ ଦୃଷ୍ଟିରୁ ବିଜେପି ଏଠାରେ ବହୁତ ପଛରେ ନାହିଁ। ବିଜେଡିର ଗୋଷ୍ଠୀ କନ୍ଦଳକୁ ଭୋଟରେ ରୂପାନ୍ତରିତ କରିପାରିଲେ ବିଜେପି ପାଇଁ ଭଲ ହେବ। ଏହା ସହିତ କଂଗ୍ରେସ ଯଦି ନିଜ ଭୋଟ ଜଗିବାରେ ବିଫଳ ହୁଏ ତେବେ ଫଳାଫଳ କିଛି ବି ହୋଇ ପାରେ ବୋଲି କୁହାଯାଉଛି।

“ଏ ଆସନ କେବେ ବି ବିଜେଡିର ଗଡ଼ ନଥିଲା। ଗତ ନିର୍ବାଚନରେ ଆମେ ଭଲ ପ୍ରଦର୍ଶନ କରିଥିଲୁ। ବିଧାୟକ ଭାବେ ମୋର ଭଲ ପ୍ରଦର୍ଶନ ରହିଛି। ଏଥର ବିଜେପିର ସ୍ଥିତି ଓ ମୋଦିଙ୍କ ଗ୍ୟାରେଣ୍ଟି ଯୋଗୁଁ ଆମେ ବହୁ ଭୋଟ ବ୍ୟବଧାନରେ ବିଜୟୀ ହେବୁ”, କହିଛନ୍ତି ବିଜେପି ପ୍ରାର୍ଥୀ ନିତ୍ୟାନନ୍ଦ ଗଣ୍ଡ।

କଂଗ୍ରେସ ବି ପଛରେ ନାହିଁ

ରାଜ୍ୟର ବିଭିନ୍ନ ନିର୍ବାଚନମଣ୍ଡଳୀରେ କଂଗ୍ରେସର ସ୍ଥିତି ଦୁର୍ବଳ ରହିଛି। କିନ୍ତୁ ଉମରକୋଟ ନିର୍ବାଚନରେ କଂଗ୍ରେସର ପାରମ୍ପରିକ ଭୋଟ୍ ଏବେ ବି ସଂଗଠିତ ହୋଇରହିଛି। ଯଦିଓ କିଛି ଦିନ ତଳେ କଂଗ୍ରେସର ବରିଷ୍ଠ ନେତା ତଥା ୨୦୧୪ର ପ୍ରାର୍ଥୀ ଯତୀନ୍ଦ୍ର ନାଥ ଗଣ୍ଡ ଓ ତାଙ୍କ ପତ୍ନୀ ତଥା  ଯଶୋଦା ଗଣ୍ଡ ବିଜେଡି ଶିବିରକୁ ଚାଲିଯାଇଛନ୍ତି। ଏହା କିଛି ମାତ୍ରାରେ କଂଗ୍ରେସ ପ୍ରାର୍ଥୀ ସନରାଜ ପକାଇବ ବୋଲି ରାଜନୈତିକ ସମୀକ୍ଷକମାନେ କହିଛନ୍ତି। କିନ୍ତୁ ଯତୀନ୍ଦ୍ର ଓ ଯଶୋଦା ଯଦି ଏବେ ବି ଅସନ୍ତୁଷ୍ଟ ଥିବେ ତେବେ ବିଜେଡି ବିଶେଷ ଫାଇଦା ପାଇବ ନାହିଁ ବୋଲି ଚର୍ଚ୍ଚା ହେଉଛି।

ଲୋକଙ୍କ ସାଧାରଣ ସମସ୍ୟାକୁ ନେଇ ଆମେ ନିର୍ବାଚନ ଲଢୁଛୁ। ଲୋକଙ୍କର ଅନେକ ଦାବି ଏବେ ବି ଅପୂରଣୀୟ ରହିଛି। ଏ ପ୍ରସଙ୍ଗକୁ ନେଇ ଆମେ ନିର୍ବାଚନ ଲଢ଼ିବୁ ଓ ଜିତିବୁ”, କଂଗ୍ରେସ ପ୍ରାର୍ଥୀ ସନରାଜ ଗଣ୍ଡ।

ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ଵର୍ଗତ ସଦାଶିବ ତ୍ରିପାଠୀ ଉମରକୋଟରୁ ବିଧାନସଭାକୁ ଆସିଥିଲେ।  ଦକ୍ଷିଣ ଓଡ଼ିଶାରେ ଏହାର ଏକ ସ୍ଵତନ୍ତ୍ର ପରିଚୟ ରହିଛି। ତେବେ କୌଣସି ଦଳର ଉମରକୋଟରେ ଏକତରଫା ବିଜୟ ସହଜ ନୁହେଁ। କାରଣ ପ୍ରତ୍ୟକ ଥର ସବୁ ଦଳର ପ୍ରାର୍ଥୀ ଜୋରଦାର ଲଢ଼େଇ କରିଥିବା ପରିସଂଖ୍ୟାନ କହୁଛି।

୨୦୦୯ ନିର୍ବାଚନରେ ବିଜେଡି ପ୍ରାର୍ଥୀ ଜଗବନ୍ଧୁ ମାଝୀ ୪୪ ହଜାର ୩୨୬, ବିଜେପି ପ୍ରାର୍ଥୀ ଧର୍ମୁ ଗଣ୍ଡ ୩୦ ହଜାର ୧୫୫ ଓ କଂଗ୍ରେସ ପ୍ରାର୍ଥୀ ପରମା ପୂଜାରୀ ୨୫ ହଜାର ୫୧୨ଟି ଭୋଟ ପାଇଥିଲେ।

ସେହିପରି ୨୦୧୪ ନିର୍ବାଚନରେ ବିଜେଡି ପ୍ରାର୍ଥୀ ସୁବାସ ଗଣ୍ଡ ୫୦ ହଜାର ୫୦୦, କଂଗ୍ରେସ ପ୍ରାର୍ଥୀ ଯତୀନ୍ଦ୍ର ନାଥ ଗଣ୍ଡ ୩୯ ହଜାର ୯୭୮ ଓ ବିଜେପି ପ୍ରାର୍ଥୀ ନିତ୍ୟାନନ୍ଦ ଗଣ୍ଡ ୨୧ ହଜାର ୩୫୧ ଭୋଟ ପାଇଥିଲେ।

୨୦୧୯ରେ କିନ୍ତୁ ବିଜେଡି ଗଡ଼ ରଖିବାରେ ବିଫଳ ହୋଇଥିଲା। ବିଜେପି ପ୍ରାର୍ଥୀ ନିତ୍ୟାନନ୍ଦ ଗଣ୍ଡ ୫୯ ହଜାର ୬୬୩ ଭୋଟ ପାଇ ବିଜୟୀ ହୋଇଥିଲେ। ବିଜେଡି ପ୍ରାର୍ଥୀ ସୁବାସ ଗଣ୍ଡ ୪୯ ହଜାର ୯୭୩ ଓ କଂଗ୍ରେସ ପ୍ରାର୍ଥୀ ଯଶୋଦା ଗଣ୍ଡ ୩୨ ହଜାର ୩୦୭ ଭୋଟ୍ ପାଇଥିଲେ।

ଏଠାକାର ପରିସଂଖ୍ୟାନରେ ମତଦାନର ଏକ  ଭିନ୍ନ ଦିଗ ମଧ୍ୟ ପରିଲକ୍ଷିତ ହୋଇଥାଏ। ଏଠାରେ ଛୋଟଦଳ ଓ ସ୍ଵାଧୀନ ପ୍ରାର୍ଥୀ ମଧ୍ୟ ୫ ହଜାର କିମ୍ବା ତାଠାରୁ ଅଧିକ ଭୋଟ୍ ପାଇ ଭୋଟ ବିଭାଜନ କରିବାରେ ସଫଳ ହୋଇଛନ୍ତି। ଏଥିପାଇଁ ସମୟ ସମୟରେ ଜିତିବା ପ୍ରାର୍ଥୀଙ୍କୁ ପରାଜୟର ସ୍ଵାଦ ଚାଖିବାକୁ ପଡ଼ିଥାଏ।

Tags: #OdishaAssemblyElections2024 #UmerkoteAssemblyseat #BJD #BJP #Congress #Politics #Odisha

Comment