ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ଗସ୍ତରେ ଆସିଛନ୍ତି ବରିଷ୍ଠ ବିଜେପି ନେତା ଅମିତ ଶାହ। ଗୁରୁବାର ସେ ସୋନପୁରରେ ବିଜେପିର ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇ ରାଜ୍ୟରେ ଦଳର ନିର୍ବାଚନୀ ବିଗୁଲ୍ ଫୁଙ୍କିଛନ୍ତି। ଏଠାରେ ସେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଲୋକସଭା ଓ ବିଧାନସଭା ଆସନ ପାଇଁ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ।

ଅମିତ ଶାହ ଗୁରୁବାର ଅପରାହ୍ଣରେ ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିଥିଲେ। ସେଠାରୁ ସେ ହେଲିକପ୍ଟରରେ ସୋନପୁର ଅଭିମୁଖେ ବାହାରିଥିଲେ। ସୋନପୁରରେ ତାଙ୍କୁ ରାଜ୍ୟ ବିଜେପିର ବରିଷ୍ଠ ନେତାମାନେ ସ୍ଵାଗତ କରିଥିଲେ। ଏହାପରେ ସେ ବିଜୟ ସଂକଳ୍ପ ସମାବେଶରେ ଉପସ୍ଥିତ ଲୋକମାନଙ୍କୁ ସମ୍ବୋଧିତ କରିଥିଲେ।

“ଚଳିତ ବର୍ଷ ମୁଁ ଓଡ଼ିଶାକୁ ପ୍ରଥମ ଥର ନିର୍ବାଚନ ପ୍ରଚାର ପାଇଁ ଆସିଛି। କେନ୍ଦ୍ର ସରକାର ଓଡ଼ିଶା ପ୍ରତି ସ୍ଵତନ୍ତ୍ର ଦୃଷ୍ଟି ଦେଇଛନ୍ତି। କେନ୍ଦ୍ର ପକ୍ଷରୁ ଗତ ୧୦ ବର୍ଷରେ ଓଡ଼ିଶାକୁ ୪ ଲକ୍ଷ ୮୧ ହଜାର କୋଟି ଟଙ୍କା ଅନୁଦାନ ମିଳିଛି। ହେଲେ ଏଠାକାର ସରକାର ରାଜ୍ୟକୁ ବିକାଶରୁ ଦୂରରେ ରଖିଛି। ଏବେ ଓଡ଼ିଶାରେ ବିଜେପିର ସରକାର ଗଢ଼ିବାର ସମୟ ଆସିଛି। ବିଜେପିର ଡବଲ ଇଞ୍ଜିନ ସରକାର ଓଡ଼ିଶାର ବିକାଶକୁ ଆହୁରି ତ୍ୱରାନ୍ୱିତ କରିବ ବୋଲି ମୋର ବିଶ୍ଵାସ”, କହିଛନ୍ତି ଅମିତ ଶାହ।  

ଏହି ନିର୍ବାଚନୀ ସମାବେଶରେ ଅମିତ ଶାହ ବିଜେଡିକୁ ସମାଲୋଚନା କରିଥିଲେ। ଓଡ଼ିଶାରେ ସବୁଠାରୁ ଅଧିକ ଖଣିଜ ସମ୍ପଦ ଥାଇ ମଧ୍ୟ, ରାଜ୍ୟର କାହିଁକି ବିକାଶ ହେଉନାହିଁ ବୋଲି ସେ ପ୍ରଶ୍ନ କରିଥିଲେ। ଓଡ଼ିଶାରେ ବିଜେପି ସରକାର ଗଠନ କଲେ ଦାଦନ ସମସ୍ୟା ଦୂର କରିବା ସହ ରାଜ୍ୟକୁ ସବୁ କ୍ଷେତ୍ରରେ ବିକଶିତ କରିବାକୁ ସେ ପ୍ରତିଶ୍ରୁତି ଦେଇଥିଲେ।        

ଚଳିତ ନିର୍ବାଚନ ସମୟରେ ଏହା ଅମିତ ଶାହଙ୍କ ପ୍ରଥମ ଓଡ଼ିଶା ଗସ୍ତ ହୋଇଥିବାରୁ ରାଜ୍ୟ ବିଜେପିର ନେତା ଓ କର୍ମୀ ଉତ୍ସାହିତ ହୋଇଛନ୍ତି। ସୋନପୁର ସଭାସ୍ଥଳୀରେ ଦଳର ହଜାର ହଜାର କର୍ମୀ ଓ ସମର୍ଥକଙ୍କ ସାମାଗମ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ବରିଷ୍ଠ ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ବରିଷ୍ଠ ନେତା ଜୁଏଲ ଓରାମ୍, ସୁରେଶ ପୂଜାରୀ, ସଙ୍ଗୀତା କୁମାରୀ ସିଂଦେଓ, ଜୟନାରାୟଣ ମିଶ୍ର ତଥା କନକବର୍ଦ୍ଧନ ସିଂଦେଓ ପ୍ରମୁଖ ଯୋଗ ଦେଇଥିଲେ।

ସୋନପୁରରେ ସଭା ସାରି ଅମିତ ଶାହ ଭୁବନେଶ୍ୱର ଆସିବେ। ଭୁବନେଶ୍ୱରରେ ସେ ଦଳର ବରିଷ୍ଠ ନେତାଙ୍କ ସହ ଓଡ଼ିଶାରେ ନିର୍ବାଚନକୁ ନେଇ ବୈଠକ କରିବେ। ଏଠାରେ ନିର୍ବାଚନୀ ରଣନୀତି ପ୍ରସ୍ତୁତ ହେବାର ସମ୍ଭାବନା ରହିଛି। ଶୁକ୍ରବାର ସକାଳେ ସେ ଏଠାରୁ ଦିଲ୍ଲୀ ଫେରିବାର କାର୍ଯ୍ୟକ୍ରମ ରହିଛି।

Tags: #OdishaAssemblyElections2024 #AmitShah #ElectionCampaign #BJP #Sonepur #Odisha  

LEAVE A REPLY

Please enter your comment!
Please enter your name here