ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ନବରଙ୍ଗପୁର ଲୋକସଭା ଆସନ ପାଇଁ ଏଥର ମଇଦାନରେ ପୁଣି ହେବାକୁ ଯାଉଛି ୩ ମାଝିଙ୍କ ମଧ୍ୟରେ କଡ଼ା ଟକ୍କର। ଏଠାରେ ରାଜ୍ୟର ପ୍ରମୁଖ ଦଳ ସେମାନଙ୍କ ହେଭିୱେଟ୍ ନେତାଙ୍କ ପ୍ରାର୍ଥୀ କରିଛନ୍ତି। ନବରଙ୍ଗପୁରରେ ବିଜେଡିରୁ ପ୍ରଦୀପ ମାଝି, ବିଜେପିରୁ ବଳଭଦ୍ର ମାଝି ଏବଂ କଂଗ୍ରେସରୁ ଭୁଜବଳ ମାଝି ପ୍ରତିଦ୍ଵନ୍ଦ୍ଵିତା କରିବାକୁ ଯାଉଛନ୍ତି।

ନବରଙ୍ଗପୁରରେ ୩ ମାଝିଙ୍କ ଲଢ଼େଇ ରାଜନୈତିକ ମାହୋଲକୁ ସରଗରମ କରିଛି। ଦକ୍ଷିଣ ଓଡ଼ିଶାର ଏହି ପ୍ରମୁଖ ଆସନରେ ୨୦୧୯ ନିର୍ବାଚନ ଭଳି ଏଥର ମଧ୍ୟ ତ୍ରିମୁଖୀ ଲଢ଼େଇ ସୁନିଶ୍ଚିତ ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି।

ବିଜେଡି ପାଇଁ କାମାଲ କରିବେ କି ପ୍ରଦୀପ?

କଂଗ୍ରେସର ଟାଣୁଆ ନେତା ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝି ଏବେ ବିଜେଡିରେ ସାମିଲ ହୋଇଛନ୍ତି। ଦଳ ତାଙ୍କୁ ଏଥର ନବରଙ୍ଗପୁରରୁ ସାଂସଦ ପ୍ରାର୍ଥୀ କରିଛି। ଅନ୍ୟପଟେ ବିଜେଡି ପକ୍ଷରୁ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝିଙ୍କୁ ଝରିଗାଁରୁ ତାଙ୍କ ଭାଇ ତଥା ବିଧାୟକ ପ୍ରକାଶ ମାଝିଙ୍କ ସ୍ଥାନରେ ପ୍ରାର୍ଥୀ କରାଯାଇଛି।

ତେବେ ପ୍ରଦୀପ ମାଝିଙ୍କର ନିଜସ୍ୱ ପକେଟ୍ ଭୋଟ୍ ରହିଛି। ବିଜେଡିର ଭୋଟ୍ ବ୍ୟାଙ୍କ୍ ବି ତାଙ୍କୁ ନିଶ୍ଚୟ ସହାୟକ ହେବ। ସେ ଏଥର ବିଜେଡି ପାଇଁ କାମାଲ କରିବାକୁ କସରତ କରୁଛନ୍ତି। ଏସବୁ ସତ୍ତ୍ୱେ ପ୍ରଦୀପ ବିଜେଡିରେ ସାମିଲ ହେବା ପରେ ଦଳ ଭିତରେ ଅନ୍ତକନ୍ଦଳ କୁହୁଳିବାରେ ଲାଗିଛି। ପ୍ରଦୀପଙ୍କୁ ରମେଶ ଓ ତାଙ୍କ ଗୋଷ୍ଠୀର ସମର୍ଥନ ନ ମିଳିଲେ, ଏହାର ଫାଇଦା ବିରୋଧୀ ଉଠାଇବା ସମ୍ଭାବନା ରହିଛି।

ଏହାକୁ ଆଖିରେ ରଖି ବିଜେଡି ନେତୃତ୍ୱ ନବରଙ୍ଗପୁର ଲୋକସଭାକୁ ଅଧିକ ଫୋକସ୍ କରିଛନ୍ତି। ତୃତୀୟ ଥର ପାଇଁ ଏହି ଆସନକୁ ବଜାୟ ରଖିବାକୁ ଶାସକ ଦଳ ଉଦ୍ୟମ ଜାରି ରଖିଛି। ସେଥିପାଇଁ ରମେଶ ଚନ୍ଦ୍ର ମାଝିଙ୍କୁ ଏଠାକାର ଲୋକସଭା ସଂଯୋଜକ ଭାବେ ଦଳ ଗୁରୁଦାୟିତ୍ୱ ଦେଇଛି।

ବାଜି ମାରିବେ କି ବଳଭଦ୍ର?

ନବରଙ୍ଗପୁରରେ ବିଜେପି ପ୍ରାର୍ଥୀ ବଳଭଦ୍ର ମାଝି ତାଙ୍କ ସମର୍ଥକଙ୍କୁ ନେଇ ଜୋରଦାର ପ୍ରଚାର ଆରମ୍ଭ କରିଛନ୍ତି। ସ୍ଥାନୀୟ ଅଞ୍ଚଳର ସେ ଜଣେ ଟାଣୁଆ ନେତା ଭାବେ ପରିଚିତ। ବିଭିନ୍ନ ପ୍ରସଙ୍ଗରେ ବିଜେଡି ସରକାରଙ୍କ ବିରାଧରେ ସ୍ୱର ଉଠାଇବା ସହ ଟାର୍ଗେଟ୍ କରିଆସୁଛନ୍ତି।

ରେଳ ଓ ଜଳସେଚନ ପ୍ରସଙ୍ଗରେ ନବରଙ୍ଗପୁର ଲୋକସଭା କ୍ଷେତ୍ରର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିବାରେ ଦୀର୍ଘ ୫ ବର୍ଷ ଧରି ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିଛନ୍ତି ବଳଭଦ୍ର।

୨୦୧୯ ନିର୍ବାଚନ ଫଳାଫଳରେ ଏହି ଲୋକସଭା ଆସନର ୭ଟି ନିର୍ବାଚନମଣ୍ଡଳୀ ମଧ୍ୟରୁ କେବଳ ଉମରକୋଟ୍ ଓ ମାଲକାନଗିରିରେ ଦଳ ବିଜୟୀ ହୋଇଥିଲା। ଏମିତିକି ଗତ ଲୋକସଭା ଆସନରେ ବିଜେପି ତୃତୀୟ ସ୍ଥାନରେ ରହିଥିଲା। ହେଲେ ଏଥର ମୋଦୀ ଲହରକୁ ନେଇ ବିଜେପି ଉତ୍ସାହିତ ରହିଛି। ବଳଭଦ୍ରଙ୍କ ନେତୃତ୍ଵ ଉପରେ ଦଳ ପୁଣି ଭରସା କରିଛି।

ସିଟ୍ ହାତେଇବାକୁ କଂଗ୍ରେସର ଜୋରଦାର କସରତ

ଅନ୍ୟପକ୍ଷରେ ନବରଙ୍ଗପୁରରେ କଂଗ୍ରେସ ମଧ୍ୟ ପଛରେ ପଡ଼ିନି। କେନ୍ଦ୍ରର ବିଜେପି ଓ ରାଜ୍ୟର ବିଜେଡି ସରକାରଙ୍କ ବିଫଳତା ଦର୍ଶାଇ ଦଳ ଏଥର ମଇଦାନକୁ ଓହ୍ଲାଇଛି। ସାଂସଦ ପ୍ରାର୍ଥୀ ଭୁଜବଳ ମାଝି କଂଗ୍ରେସର ଏହି ପୁରୁଣା ଗଡ଼କୁ ଫେରାଇ ଆଣିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି।

୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସ ଏଠାରେ ଦ୍ୱିତୀୟ ସ୍ଥାନରେ ରହିଥିଲା। ହେଲେ ଏଠାକାର ୭ଟି ବିଧାନସଭା ଆସନରୁ ଗୋଟିଏ ଥିରେ ମଧ୍ୟ କଂଗ୍ରେସ ଖାତା ଖୋଲିପାରି ନ ଥିଲା। ଦଳର ଭୋଟ୍ ବ୍ୟାଙ୍କ ପାଖାପାଖି ୩୦ ପ୍ରତିଶତ ରହିଛି। ଏହାକୁ ବୃଦ୍ଧି କରି ଏଥର କଂଗ୍ରେସ ତା’ର ଗଡ଼କୁ ଫେରାଇ ଆଣିବାକୁ ଲକ୍ଷ୍ୟ ରଖିଛି। ୭ଟି ନିର୍ବାଚନମଣ୍ଡଳୀ ଉପରେ କଂଗ୍ରେସ ପ୍ରାର୍ଥୀ ଭୁଜବଳ ଫୋକସ୍ କରିଛନ୍ତି।

ଉମରକୋଟ, ନବରଙ୍ଗପୁର, ଝରିଗାଁ, ଡାବୁଗାଁ, କୋଟପାଡ଼, ଚିତ୍ରକୋଣ୍ଡା ଓ ମାଲକାନଗିରି ଭଳି ୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀକୁ ନେଇ ଗଠିତ ନବରଙ୍ଗପୁର ଲୋକସଭା କ୍ଷେତ୍ର। ଆଗାମୀ ଦିନରେ ଏଠାକାର ୧୫ ଲକ୍ଷ ୧୦ ହଜାର ଭାଟର କାହାକୁ ବିଜୟୀ କରିବେ ତାହା ଦେଖିବାକୁ ବାକି ରହିଲା।

Tags: #Politics #OdishaPolitics #LokSabhaElection2024 #Nabarangpur #Odisha

Comment