ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଆଠଗଡ଼ରେ ପୁଣି ଚାଲିବକି ରାଜାଙ୍କ ରାଜ୍, ନା ବାଜି ମାରିନେବେ ବିଜେପି-କଂଗ୍ରେସ?

ଆଠଗଡ଼ରେ ତିନି ପ୍ରମୁଖ ରାଜନୈତିକ ଦଳର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀଙ୍କ ଚିତ୍ର ସ୍ପଷ୍ଟ ହୋଇସାରିଛି। ଭେଟେରାନ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ବିରୋଧରେ ବିଜେପିରୁ ଅଭୟ ବାରିକ ଓ କଂଗ୍ରେସରୁ ମେହେଭୁବ ଅହମ୍ମଦ ଖାନ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି।

ପ୍ରାର୍ଥୀ ମନୋନୟନ ସରିବା ପରେ ସରଗରମ ହୋଇଛି ନିର୍ବାଚନୀ ମାହୋଲ। ଛାମୁଆ ନେତା ଏବଂ କର୍ମୀମାନେ ବୁଥ୍ ସ୍ତରରୁ ନିଜ କାମ ଆରମ୍ଭ କରିଥିବାବେଳେ ବିଭିନ୍ନ ଦଳରେ ମିଶ୍ରଣ ପର୍ବ ଆୟୋଜନ କରି ବଳ ଗୋଟାଇବାକୁ ଚେଷ୍ଟା ଜାରି ରହିଛି।

ଆଠଗଡ଼ ପାଇଁ ରାଜାଙ୍କ ରଣନୀତି

ଆଠଗଡ଼ ହେଉଛି କଟକ ରାଜନୀତିର ଏକ ଗୁରୁତ୍ୱପୂର୍ଣ୍ଣ ବିଧାନସଭା କ୍ଷେତ୍ର। ଏଠାରୁ ବହୁ ରଥୀ ମହାରଥୀ ନିର୍ବାଚନ ଲଢ଼ିଛନ୍ତି। ରାଧାନାଥ ରଥ, ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଭଳି ନେତୃତ୍ୱ ସୃଷ୍ଟି କରିଥିବା ଏହି ଆଠଗଡ଼ କ୍ଷେତ୍ର ବିଗତ ୧୯୯୦ ମସିହାରୁ ଜନତା ଦଳ ଓ ୨୦୦୦ ମସିହାରୁ ବିଜୁ ଜନତା ଦଳର କବ୍ଜାରେ ରହିଆସିଛି। ୨୦୧୯ ନିର୍ବାଚନରେ ରଣେନ୍ଦ୍ର ପ୍ରତାପ ସ୍ଵାଇଁଙ୍କୁ ୯୮ ହଜାର ୧୧୪ ଖଣ୍ଡ ଭୋଟ ମିଳିଥିବାବେଳେ ବିଜେପି ପ୍ରାର୍ଥୀ ବ୍ରଜେନ୍ଦ୍ର କୁମାର ରାୟଙ୍କୁ ମିଳିଥିଲା ୪୦ ହଜାର ୧୧୯ ଖଣ୍ଡ ଭୋଟ।

ଆଠଗଡ଼ରୁ ୭ ଥର ବିଧାୟକ ହୋଇଥିବା ରଣେନ୍ଦ୍ରପ୍ରତାପ ସ୍ୱାଇଁ ଏଥର ପୁଣିଥରେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ଆଶା କରାଯାଉଥିଲା ଏଥର ରଣେନ୍ଦ୍ର ପୁଅ ଆଦିତ୍ୟପ୍ରତାପ ସ୍ୱାଇଁଙ୍କୁ ଆଗକୁ ଛାଡ଼ିବେ। କିନ୍ତୁ ରାଜନୈତିକ ପାଣିପାଗକୁ ଦେଖି ରଣେନ୍ଦ୍ର ପୁଣି ଥରେ ନେତୃତ୍ୱ ନେଇଛନ୍ତି।

ଅଭୟଙ୍କ ଉପରେ ବିଜେପିର ଭରସା

ଗତ ସାଧାରଣ ନିର୍ବାଚନରେ ସ୍ଵାଧୀନ ଭାବେ ପ୍ରତିଦ୍ଵନ୍ଦ୍ଵିତା କରିଥିବା ଅଭୟ ବାରିକ କିଛି ମାସ ତଳେ ବିଜେପିରେ ମିଶିବା ସହ ଟିକେଟ ହାତେଇଛନ୍ତି। ବିଭିନ୍ନ ସମୟରେ ଆଠଗଡ଼ର ସମସ୍ୟା ଏବଂ ଦୁର୍ନୀତି ବିରୋଧରେ ସ୍ୱର ଉଠାଇ ଚର୍ଚ୍ଚାରେ ଥିବା ଅଭୟ ଏଥରକ ନିର୍ବାଚନରେ କିଛି କମାଲ କରିବେ ବୋଲି ଦଳ ଆଶା ରଖିଛି।

ଗତ କିଛିଦିନ ଧରି ଦଳୀୟ ସଙ୍ଗଠନ ସହିତ ମତଭେଦ ସାଙ୍ଗକୁ ନେତା ମାନଙ୍କ ସହିତ ମନୋମାଳିନ୍ୟ ପାଇଁ ଚର୍ଚ୍ଚାରେ ଥିବା ବିଜେପି ଶେଷ ମୁହୂର୍ତ୍ତରେ ଏକାଠି ହୋଇଛି। ପୂର୍ବରୁ ବିଧାୟକ ପ୍ରାର୍ଥୀ ଭାବେ ଲଢ଼ିଥିବା ଜିଲ୍ଲା ସାଧାରଣ ସମ୍ପାଦକ ରାମନାରାୟଣ ମହାନ୍ତି, ବିକ୍ରମ କେଶରୀ ଦାଶ, ବ୍ରଜେନ୍ଦ୍ର ରାଏଙ୍କୁ ଏବେ ଗାଟିଏ ମଞ୍ଚରେ ଦେଖିବାକୁ ମିଳୁଛି। ନିଜର ତଥା ଦଳର ସାଙ୍ଗଠନିକ ଦକ୍ଷତାକୁ ଆଧାର କରି ଏଥର ନିର୍ବାଚନ ବୈତରଣୀ ପାର୍ ହେବା ପାଇଁ ଆଶା ରଖିଛନ୍ତି ଅଭୟ।

ଟକ୍କର ଦେବେ ମେହେଭୁବ

କଂଗ୍ରେସ ପକ୍ଷରୁ ବିଧାୟକ ପ୍ରାର୍ଥୀ ଘୋଷଣା ପରେ କଂଗ୍ରେସ ଶିବିରରେ ହଲଚଲ ଆରମ୍ଭ ହୋଇଛି। ତିଗିରିଆ ଅଞ୍ଚଳର ଟାଣୁଆ ନେତା ଭାବେ ପରିଚିତ ତଥା ଜେମାଦେଇପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ମେହେଭୁବ ଅହମ୍ମଦ ଖାନଙ୍କ ଉପରେ ଭରସା କରିଛି ଦଳ। ବିଗତ ଦିନମାନଙ୍କରେ ତିଗିରିଆ କଂଗ୍ରେସର ଗଡ଼ ଥିଲା। ବିଗତ ୩୦ ବର୍ଷ ଧରି ମେହେଭୁବ ଅହମ୍ମଦ ଖାନ ସେହି ସଙ୍ଗଠନକୁ ସକ୍ରିୟ କରି ରଖିଛନ୍ତି।

ନବେ ଦଶକର ଆରମ୍ଭରୁ କଂଗ୍ରେସର ଗଡ଼ ଥିବା ଆଠଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀକୁ ଅଣ କଂଗ୍ରେସ ଶିବିରରେ ପରିଣତ କରିଥିବା ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ଟକ୍କର ଦେବାକୁ ମେହେଭୁବଙ୍କୁ ମଇଦାନକୁ ଓହ୍ଲାଇଛି କଂଗ୍ରେସ।

ଗତ ୫ ବର୍ଷ ଭିତରେ ଆଠଗଡ଼ରେ ଅନେକଗୁଡ଼ିଏ ପ୍ରସଙ୍ଗ ମୁଣ୍ଡ ଟେକିଛି। ଆଠଗଡ଼କୁ ଜିଲ୍ଲା ମାନ୍ୟତା ଦାବି ସେଥିମଧ୍ୟରୁ ପ୍ରମୁଖ। ଏହାସହ ଆବାସ କେଳେଙ୍କାରୀରେ ଶାସକ ଦଳକୁ ବିରୋଧୀ ବାରମ୍ବାର ଘେରିଛନ୍ତି। କୃଷି ମନ୍ତ୍ରୀଙ୍କ ଅଞ୍ଚଳରେ ଶୀତଳ ଭଣ୍ଡାରର ଆବଶ୍ୟକତାକୁ ସାଧାରଣ ଲୋକେ ଅନୁଭବ କରିଛନ୍ତି। ଚାଷୀମାନଙ୍କ ଲାଗି ଏହା ସବୁଠାରୁ ବଡ଼ ପ୍ରସଂଗ ରହିଛି। ରାସ୍ତାଘାଟ ସମସ୍ୟାଠାରୁ ଆରମ୍ଭ କରି ଆଠଗଡ଼ରୁ ଅନେକ ଗାଁ ସିଡିଏରେ ମିଶିବା ଆଦି ବିଭିନ୍ନ ପ୍ରସଙ୍ଗ ବିଗତ ଦିନରେ ଆଠଗଡ଼ରେ ଶାସକ ଦଳକୁ ଅକଳରେ ପକାଇଥିଲା।

କିନ୍ତୁ ଏହାକୁ ବେଶ୍ ଚତୁରତାର ସହ ପରିଚାଳନା କରି ଜନବିଦ୍ରୋହକୁ ଥଣ୍ଡା କରିବାରେ ରଣେନ୍ଦ୍ର ରାଜନୈତିକ ଗୋଟିଚାଳନା ମଧ୍ୟ କରିଛନ୍ତି। ଗତ ପଞ୍ଚାୟତ ନିର୍ବାଚନ ପରଠାରୁ ଦଳୀୟ ସଙ୍ଗଠନ ଭିତରେ ବିରୋଧାଭାସ ଦେଖିବାକୁ ମିଳୁଛି। ଅଧିକାଂଶ ପଞ୍ଚାୟତରେ ରଣେନ୍ଦ୍ରଙ୍କ ବିରୋଧୀ ବିଜେଡି ଗୋଷ୍ଠୀ ସରପଞ୍ଚ ଭାବରେ ନିର୍ବାଚିତ ହୋଇଛନ୍ତି। ସମୟ କ୍ରମରେ କିଛି ବିଦ୍ରୋହୀ ଦଳୀୟ ସଙ୍ଗଠନରେ ମିଶିଥିଲେ ମଧ୍ୟ ଅସନ୍ତୋଷ ସମ୍ପୂର୍ଣ୍ଣ ଭାବେ ପ୍ରଶମିତ ହୋଇନାହିଁ।

ଅନ୍ୟପକ୍ଷରେ ଦୀର୍ଘ ବର୍ଷର ଅଭିଜ୍ଞତା ଓ ଗୋଟିଚାଳନାରେ ମାହିର୍ ରଣେନ୍ଦ୍ରଙ୍କ ଲାଗି ଏହା ବିଶେଷ ପ୍ରଭାବ ପକାଇବ ନାହିଁ ବୋଲି କୁହାଯାଉଛି। ମେଗା ପାନୀୟ ଜଳ ପ୍ରକଳ୍ପ, ରେଙ୍ଗାଲି, ବସଷ୍ଟାଣ୍ଡ ଆଦି ବିଭିନ୍ନ ବିଷୟରେ ଶାସକ ଦଳ ଆଗକୁ ଲୋକଙ୍କ ପାଖରେ ପହଞ୍ଚାଇବ ବୋଲି କୁହାଯାଉଛି।

ତେବେ ଆଠଗଡ଼ାରେ ପୁଣି ରାଜାଙ୍କ ରାଜ୍ ଚାଲିବ, ନା ବିଜେପି ମାରିନେବ ବାଜି, କି ଗଡ଼କୁ ଫେରିବ କଂଗ୍ରେସ ତା’ ଉପରେ ରହିଛି ସମସ୍ତଙ୍କ ନଜର।

Tags: #Politics #OdishaPolitics #AssemblyElections2024 #Odisha #BJP #BJD #Congress

Comment