ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପାଇଁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ ଓଡ଼ିଶାର ୫ଟି ଲୋକସଭା ଆସନ ଏବଂ ୩୫ଟି ବିଧାନସଭା ଆସନ ସାମିଲ ରହିଛି। ମେ’ ୨୦ ତାରିଖରେ ଏହିସବୁ ଆସନରେ ମତଦାନ ହେବ। ଶୁକ୍ରବାରଠାରୁ ଏହି ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ଏନେଇ ଭାରତୀୟ ନିର୍ବାଚନ ଅଯୋଗଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ବିଜ୍ଞପ୍ତି ଅନୁସାରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ ମେ’ ୩ ତାରିଖ ଯାଏଁ ଚାଲିବ। ସେହିପରି ମେ’ ୪ ରେ ପ୍ରାର୍ଥିପତ୍ର ଯାଞ୍ଚ ଓ ମେ’ ୬ ତାରିଖରେ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି।

ପଞ୍ଚମ ପର୍ଯ୍ୟାୟରେ ଓଡ଼ିଶାର ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ ଓ ଅସ୍କା ସଂସଦୀୟ କ୍ଷେତ୍ର ଏବଂ ଏହା ଅଧୀନରେ ଥିବା ୩୫ଟି ବିଧାନସଭା ଆସନରେ ଭୋଟ ଗ୍ରହଣ ହେବ। ପ୍ରତି ଲୋକସଭା ଆସନ ଅନ୍ତର୍ଗତ ୭ଟି ଲେଖାଏଁ ବିଧାନସଭା କ୍ଷେତ୍ର ରହିଛି।

ମେ’ ୨୦ ତାରିଖରେ ସବୁ ଆସନରେ ଭୋଟ ଗ୍ରହଣର ସମୟ କ’ଣ ରହିବ ତାହା ମଧ୍ୟ ବିଜ୍ଞପ୍ତିରେ ଦର୍ଶାଯାଇଛି। ବରଗଡ଼ ଲୋକସଭା କ୍ଷେତ୍ରର ବିଜେପୁର, ବରଗଡ଼, ଅତାବିରା, ଭଟଲି, ବ୍ରଜରାଜନଗର ଓ ଝାରସୁଗୁଡ଼ାରେ ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏଁ ଭୋଟ ଗ୍ରହଣ ହେବ। କେବଳ ପଦ୍ମପୁରରେ ଭୋଟ ଗ୍ରହଣର ସମୟ ସକାଳ ୭ଟାରୁ ଅପରାହ୍ଣ ୪ଟା ଯାଏଁ ରହିଛି।

ସେହିପରି ସୁନ୍ଦରଗଡ଼ ଲୋକସଭା ଆସନର ତଳସରା, ବୀରମିତ୍ରପୁର, ସୁନ୍ଦରଗଡ଼, ରଘୁନାଥପାଲି, ରାଉରକେଲା ଓ ରାଜଗାଙ୍ଗପୁର ବିଧାନସଭା କ୍ଷେତ୍ରରେ ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏଁ ଭୋଟ ଗ୍ରହଣ ହେବ। କେବଳ ବଣାଇରେ ସକାଳ ୭ଟାରୁ ଅପରାହ୍ଣ ୪ଟା ଯାଏଁ ଭୋଟ ଗ୍ରହଣର ସମୟ ରଖାଯାଇଛି।

ଅନ୍ୟପଟେ ବଲାଙ୍ଗିର ସଂସଦୀୟ କ୍ଷେତ୍ରରେ ଥିବା ଟିଟିଲାଗଡ଼, ବୀରମହାରାଜପୁର, ବଲାଙ୍ଗିର, ସୋନପୁର ଓ ଲୋଇସିଂହା ବିଧାନସଭା ଆସନରେ ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏଁ ଭୋଟିଂ ହେବ। ତେବେ ପାଟଣାଗଡ଼ ବିଧାନସଭା କ୍ଷେତ୍ରରେ ୧୭ଟି ମତଦାନ କେନ୍ଦ୍ରରେ ସକାଳ ୭ଟାରୁ ଅପରାହ୍ଣ ୪ଟା ଓ ଅନ୍ୟ ସବୁ ବୁଥରେ ସକାଳ ୭ଟାରୁ ୫ଟା ଯାଏଁ ଭୋଟିଂ ହେବ। ଏହାସହ କଣ୍ଟାବାଞ୍ଜିରେ ମଧ୍ୟ ୧୩ ପୋଲିଂ ଷ୍ଟେସନରେ ସକାଳ ୭ଟାରୁ ୪ଟା ଯାଏଁ ଭୋଟିଂ ହେବାକୁ ଥିବାବେଳେ ଅନ୍ୟ ସବୁ ମତଦାନ କେନ୍ଦ୍ରରେ ସକାଳ ୭ଟାରୁ ୫ଟା ଯାଏଁ ଭୋଟ ଗ୍ରହଣ ଚାଲିବ।

କନ୍ଧମାଳ ଲୋକସଭା କ୍ଷେତ୍ରର ଭଞ୍ଜନଗରରେ ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏଁ ଭୋଟିଂ ହେବ। ସେହିପରି ଦଶପଲ୍ଲାରେ ସକାଳ ୭ଟାରୁ ଅପରାହ୍ଣ ୫ଟା ଯାଏଁ, ବୌଦ୍ଧ ଓ କଣ୍ଟାମାଳରେ ସକାଳ ୭ଟାରୁ ଅପରାହ୍ଣ ୪ଟା ଯାଏଁ ଭୋଟିଂ ହେବ। ତେବେ ବାଲିଗୁଡ଼ାର ୧୫ଟି ମତଦାନ କେନ୍ଦ୍ରରେ ସକାଳ ୭ଟାରୁ ୫ଟା ଯାଏଁ ଏବଂ ଅନ୍ୟ ସବୁ ବୁଥରେ ସକାଳ ୭ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ। 

ସେହିପରି କନ୍ଧମାଳ ଲୋକସଭା ଅନ୍ତର୍ଗତ ଜି ଉଦୟଗିରିର ୮ଟି ମତଦାନ କେନ୍ଦ୍ରରେ ସକାଳ ୭ଟାରୁ ଅପରାହ୍ଣ ୫ଟା ଓ ଅନ୍ୟ ବୁଥରେ ସକାଳ ୭ଟାରୁ ଅପରାହ୍ଣ ୪ଟା ଭୋଟ ଗ୍ରହଣ ହେବ। ଫୁଲବାଣୀରେ ୨୩ଟି ମତଦାନ କେନ୍ଦ୍ରରେ ୭ଟାରୁ ଅପରାହ୍ଣ ୫ଟା ଓ ଅନ୍ୟ ସବୁ ବୁଥରେ ସକାଳ ୭ଟାରୁ ଅପରାହ୍ଣ ୪ଟା ଯାଏଁ ଭୋଟ ଗ୍ରହଣ ହେବ।

ତେବେ ଆସ୍କା ଲୋକସଭା କ୍ଷେତ୍ରର ସବୁ ୭ଟି ବିଧାନସଭା କ୍ଷେତ୍ରରେ ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏଁ ଭୋଟ ଗ୍ରହଣ ହେବାନେଇ ସମୟ ଧାର୍ଯ୍ୟ ହୋଇଛି। 

Tags: #LoksabhaElections2024 #Voting #Odisha #ECI #India

Comment