ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତରେ ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ ଓଡ଼ିଶାର ୬ଟି ଲୋକସଭା ଆସନ ଏବଂ ୪୨ଟି ବିଧାନସଭା ଆସନ ସାମିଲ ରହିଛି। ମେ’ ୨୫ ତାରିଖରେ ଏହିସବୁ ଆସନରେ ମତଦାନ ହେବ। ସୋମବାରଠାରୁ ଏହି ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ଏନେଇ ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ବିଜ୍ଞପ୍ତି ଅନୁସାରେ ଷଷ୍ଠ ପର୍ଯ୍ୟାୟରେ ଓଡ଼ିଶାର ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ଭୁବନେଶ୍ୱର ଓ ପୁରୀ ସଂସଦୀୟ କ୍ଷେତ୍ର ଏବଂ ଏହା ଅଧୀନରେ ଥିବା ୪୨ଟି ବିଧାନସଭା ଆସନରେ ଭୋଟ ଗ୍ରହଣ ହେବ। ପ୍ରତି ଲୋକସଭା ଆସନ ଅନ୍ତର୍ଗତ ୭ଟି ଲେଖାଏଁ ବିଧାନସଭା କ୍ଷେତ୍ର ରହିଛି।

ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ ମେ’ ୬ ତାରିଖ ଯାଏଁ ଚାଲିବ। ସେହିପରି ମେ’ ୭ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ ଏବଂ ମେ’ ୯ରେ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି। ଏହାସହ ମେ’ ୨୫ ତାରିଖରେ ରାଜ୍ୟର ସବୁ ଆସନରେ ଭୋଟ ଗ୍ରହଣର ସମୟ କ’ଣ ରହିବ ତାହା ମଧ୍ୟ ବିଜ୍ଞପ୍ତିରେ ଦର୍ଶାଯାଇଛି।

ଷଷ୍ଠ ପର୍ଯ୍ୟାୟରେ ସାରା ଭାରତରେ ୫୭ଟି ଲୋକସଭା ଆସନରେ ଭୋଟଗ୍ରହଣ ହେବ। ଓଡ଼ିଶା ସହ ବିହାର, ଦିଲ୍ଲୀ, ହରିୟଣା, ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗରେ ଏହି ସବୁ ଆସନ ରହିଛି।

Tags: #LoksabhaElections2024 #Voting #Odisha #ECI #India

Comment