ଓଡ଼ିଶାଲାଇଭ୍ ବ୍ୟୁରୋ

ସ୍ଵର୍ଗତ ସ୍ଵାମୀଙ୍କ ଜନ୍ମ ଦିବସରେ ଛାତ୍ରଛାତ୍ରୀଙ୍କ କମ୍ପ୍ୟୁଟର ଶିକ୍ଷା ପାଇଁ ଅର୍ଥ ଦାନ କଲେ ପତ୍ନୀ। ସ୍ୱର୍ଗତ ପ୍ରଫେସର ଡାକ୍ତର ଚିତ୍ତରଞ୍ଜନ କରଙ୍କ ୬୦ତମ ଜନ୍ମଦିନରେ ବ୍ରହ୍ମପୁରର ସରକାରୀ କୁଇନ ଅଫ୍ ଦି ମିଶନ୍ସ ହାଇସ୍କୁଲକୁ ୧ ଲକ୍ଷ ଟଙ୍କାର ଆର୍ଥିକ ସହାୟତା କରିଛନ୍ତି ପତ୍ନୀ ସୁମିତା ମିଶ୍ର। ଏହି ଟଙ୍କା ସ୍କୁଲରେ କମ୍ପ୍ୟୁଟର ଶିକ୍ଷା ପାଇଁ ଖର୍ଚ୍ଚ କରାଯିବ।

ସୁମିତା ମିଶ୍ରଙ୍କ ପକ୍ଷରୁ ତାଙ୍କ ପୁଅ ପଙ୍କଜ ପ୍ରିୟଦର୍ଶୀ କର ବୁଧବାର ଭୁବନେଶ୍ୱର ସ୍ଥିତ ଓଡି଼ଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) କାର୍ଯ୍ୟାଳୟରେ ଏଥିପାଇଁ ଚେକ୍ ପ୍ରଦାନ କରିଥିଲେ। ଓଡ଼ିଶା ‘ମୋ ସ୍କୁଲ୍‌’ ଅଭିଯାନର ସଚିବ ତଥା ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦେଶକ ଅନୁପମ ଶାହା ଏବଂ ‘ମୋ ସ୍କୁଲ୍‌’ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମରଜିତ ଜେନା ଚେକ୍ ଗ୍ରହଣ କରିଥିଲେ।

ଏହି ଅନୁଦାନ ଟଙ୍କାରେ ‘ମୋ ସ୍କୁଲ୍‌’ ପକ୍ଷରୁ ଆଉ ଦୁଇ ଗୁଣା ଟଙ୍କା ମିଶାଇ କୁଇନ ଅଫ୍ ଦି ମିଶନ୍ସ ହାଇସ୍କୁଲ ପାଇଁ କମ୍ପ୍ୟୁଟର କିଣାଯିବ। ଏହାସହ ସ୍କୁଲରେ କମ୍ପ୍ୟୁଟର ପ୍ରଶିକ୍ଷକଙ୍କୁ ନିୟୋଜିତ କରାଯିବ। ଏହାଦ୍ଵାରା ଛାତ୍ରଛାତ୍ରୀମାନେ ସୁବିଧାରେ କମ୍ପ୍ୟୁଟର ଶିକ୍ଷା ଗ୍ରହଣ କରିପାରିବେ।

ପ୍ରଫେସର ଡାକ୍ତର ଚିତ୍ତରଞ୍ଜନ କର ଏସସିବି ମେଡିକାଲ କଲେଜର ନେଫ୍ରୋଲୋଜି ବିଭାଗର ପୂର୍ବତନ ମୁଖ୍ୟ ଥିଲେ। ସେ କୁଇନ ହାଇସ୍କୁଲର ୧୯୭୭ ବ୍ୟାଚର ଛାତ୍ର ଥିଲେ। ସବୁବେଳେ ସ୍କୁଲର ଉନ୍ନତି ସହ ସେ ଜଡ଼ିତ ରହୁଥିଲେ। ୨୦୨୦ ମସିହାରେ କରୋନା ମହାମାରୀ ସମୟରେ ରୋଗୀଙ୍କ ସେବା କରି ସଂକ୍ରମିତ ହେବାରୁ ତାଙ୍କର ମୃତ୍ୟୁ ହୋଇଥିଲା।

ବୁଧବାର ଡାକ୍ତର କରଙ୍କ ଜନ୍ମଦିନ ଅବସରରେ କୁଇନ ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ସ୍ମୃତି ସଭା ପାଳନ ହୋଇଥିଲା। ଏଠାରେ ଛାତ୍ରଛାତ୍ରୀଙ୍କୁ ତାଙ୍କ ଜୀବନୀ ଓ ଜନସେବା ସମ୍ପର୍କରେ ଅବଗତ କରାଯାଇଥିଲା।

Tags: #ProfDrChittaranjanKar #financialDonation #ComputerEducation #SchoolStudents #Odisha

 

Comment