ଓଡ଼ିଶାଲାଇଭ୍ ବ୍ୟୁରୋ

ବିପର୍ଜୟ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଓଡ଼ିଶା ରାଜ୍ୟ ବିପର୍ଜୟ ପରିଚାଳନା କର୍ତ୍ତୃପକ୍ଷ(ଓଏସଡିଏମଏ)କୁ ମିଳିବାକୁ ଯାଉଛି ଜାତୀୟ ସମ୍ମାନ। ୨୦୨୩ ପାଇଁ ଓଏସଡିଏମଏକୁ ମିଳିବ ସୁଭାଷ ଚନ୍ଦ୍ର ବୋଷ ବିପର୍ଜୟ ପରିଚାଳନା ପୁରସ୍କାର। ଓଏସଡିଏମଏ ସହିତ ମିଜୋରମର ଲୁଙ୍ଗଲେଇ ଅଗ୍ନିଶମ ଷ୍ଟେସନକୁ ଏହି ପୁରସ୍କାର ମିଳିବାକୁ ଯାଉଛି। ସୋମବାର କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି।

ବିପର୍ଜୟ ପରିଚାଳନାରେ ଉତ୍ତମ ପ୍ରଦର୍ଶନ ପାଇଁ ଏହି ଦୁଇ ସଂସ୍ଥାକୁ ପୁରସ୍କାର ପାଇଁ ଚୟନ କରାଯାଇଛି। ଓଏସଡିଏମଏ ଓ ଲୁଙ୍ଗଲେଇ ଅଗ୍ନିଶମ ଷ୍ଟେସନକୁ ଅନୁଷ୍ଠାନିକ ବର୍ଗରେ ବିପର୍ଜୟ ପରିଚାଳନା ପୁରସ୍କାର ପାଇଁ ଚୟନ କରାଯାଇଛି।

ବର୍ଷ ୨୦୨୩ର ଏହି ପୁରସ୍କାର ପାଇଁ ୨୦୨୨ ଜୁଲାଇ ମାସରୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ରାଜ୍ୟମାନଙ୍କୁ ନାମାଙ୍କନ କରିବା ପାଇଁ ସୂଚନା ଦେଇଥିଲେ। ପୁରସ୍କାର ଯୋଜନାର ଅନୁଷ୍ଠାନିକ ଏବଂ ବ୍ୟକ୍ତିବିଶେଷ ବର୍ଗରେ ୨୭୪ଟି ନାମାଙ୍କନ ଗ୍ରହଣ କରାଯାଇଥିଲା।

ବିଭିନ୍ନ ବାତ୍ୟା ହୁଡହୁଡ, ଫନି, ଆମ୍ଫାନ୍ ଏବଂ ୨୦୨୦ ମସିହାରେ ଓଡିଶାରେ ହୋଇଥିବା ବନ୍ୟା ସମୟରେ ଓଏସଡିଏମଏ ପ୍ରଭାବଶାଳୀ ସେବା ପ୍ରଦାନ କରିଛି। ଏହାଛଡା ସଂସ୍ଥା ପକ୍ଷରୁ ୩୮୧ଟି ସୁନାମି ପ୍ରବଣ ଗ୍ରାମ ଏବଂ ଉପକୂଳଠାରୁ ୧.୫ କିଲୋମିଟର ଦୂରରେ ଅବସ୍ଥିତ ୮୭୯ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀରେ ଉତ୍ତମ ବିପର୍ଯ୍ୟୟ ପ୍ରସ୍ତୁତି କାର୍ଯ୍ୟ କରାଯାଇଛି।

ଓଡ଼ିଶାରେ ୧୯୯୯ ମସିହା ମହାବାତ୍ୟା ପରେ ଓଏସଡିଏମଏର ପ୍ରତିଷ୍ଠା ହୋଇଥିଲା। ଏହା ଅଧିନରେ ‘ଓଡ୍ରାଫ’ ଭଳି ଫୋର୍ସର ଗଠନ କରାଯାଇଛି। ଏହାଛଡା ବିପର୍ଜୟ ସମୟରେ ପୂର୍ବସୂଚନା ଦେବା ପାଇଁ  ଓଏସଡିଏମଏ  ‘ସତର୍କ’ ନାମକ ସ୍ମାର୍ଟଫୋନ୍ ଆଧାରିତ ପ୍ଲାଟଫର୍ମ ପ୍ରସ୍ତୁତ କରିଛି।

ପ୍ରତିବର୍ଷ ଜାନୁୟାରୀ ୨୩ ତାରିଖରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ବାର୍ଷିକୀରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ବିପର୍ଜୟ ପରିଚାଳନା ପୁରସ୍କାର ଘୋଷଣା କରାଯାଏ। ଏହି ପୁରସ୍କାରର ଅନୁଷ୍ଠାନିକ ବର୍ଗରେ ୫୧ ଲକ୍ଷ ଟଙ୍କା ନଗଦ ପୁରସ୍କାର ଓ ପ୍ରମାଣପତ୍ର ଦିଆଯାଏ। ଏହାଛଡ଼ା ଜଣେ ବ୍ୟକ୍ତିବିଶେଷଙ୍କୁ ୫ ଲକ୍ଷ ଟଙ୍କା ଏବଂ ପ୍ରମାଣପତ୍ର ରୂପେ ଏହି ପୁରସ୍କାର ମିଳେ।

Tags: #SubhasChandraBoseApadaPrabandhanPrize #OSDMA #DisasterManagement #Winsprize #2023 #CentralHomeMinistry #India #Odisha

Comment