ଓଡ଼ିଶାଲାଇଭ୍ ବ୍ୟୁରୋ

ଆମେରିକାରେ ହେବାକୁ ଯାଉଛି ଅନ୍ତର୍ଜାତୀୟ ପରିଦର୍ଶକ ନେତୃତ୍ଵ କାର୍ଯ୍ୟକ୍ରମ (ଆଇଭିଏଲପି)। ଏହି କାର୍ଯ୍ୟକ୍ରମରେ ଭାରତର ବିଭିନ୍ନ ରାଜ୍ୟର ପ୍ରତିନିଧିମାନେ ଯୋଗ ଦେବେ। ଓଡିଶାରୁ ବରିଷ୍ଠ ସାମ୍ବାଦିକ ତଥା ‘ସମ୍ବାଦ’ର ଡେପୁଟି ଜେନେରାଲ ମ୍ୟାନେଜର (ନ୍ୟୁଜ୍) ଭବାନୀ ଶଙ୍କର ତ୍ରିପାଠୀଙ୍କୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ମନୋନୀତ କରାଯାଇଛି।

ଆମେରିକାର ବୈଦେଶିକ ବିଭାଗ ପକ୍ଷରୁ ଏହି ଆଇଭିଏଲପି କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଏହି କାର୍ଯ୍ୟକ୍ରମରେ ‘ଜଳବାୟୁ ପରିବର୍ତ୍ତନ ଓ ଜୈବ ବିବିଧତା ସଂରକ୍ଷଣ’ ପ୍ରକଳ୍ପ ଉପରେ ଅଲୋଚନା ପାଇଁ ଭବାନୀ ଶଙ୍କର ତ୍ରିପାଠୀଙ୍କୁ ମନୋନୀତ କରାଯାଇଛି। ଏଥିରେ ଭାରତ ସମେତ ବିଶ୍ଵର ଅନେକ ଦେଶର ଅଢ଼େଇ ଲକ୍ଷରୁ ଅଧିକ ପ୍ରତିନିଧିମାନେ ଯୋଗ ଦେବେ। ମାର୍ଚ୍ଚ ୧୩ ତାରିଖରୁ ଆରମ୍ଭ ହେଉଥିବା ଏହି କାର୍ଯ୍ୟକ୍ରମ ଏପ୍ରିଲ ୧ ତାରିଖ ଯାଏଁ ଚାଲିବ।

“ଆମେରିକା ଜଳବାୟୁ ପରିବର୍ତ୍ତନ ଓ ଏହାର ମୁକିବାଲା ପାଇଁ ଏବେ ଅଧିକ ଗୁରୁତ୍ଵ ଦେଉଛି। ଆମେରିକାର ଜଳବାୟୁ ପରିବର୍ତ୍ତନ ନୀତିର ସମଗ୍ର ବିଶ୍ଵରେ ବିଶେଷ ପ୍ରଭାବ ରହିଛି। ଚୀନ୍‌ ପରେ ଆମେରିକା ହେଉଛି ବିଶ୍ଵର ଦ୍ଵିତୀୟ ସର୍ବାଧିକ ଗ୍ରିନ୍ ହାଉସ୍ ଗ୍ୟାସ (ସବୁଜ ଗ୍ୟାସ) ଉତ୍ପର୍ଣ୍ଣକାରୀ ଦେଶ। ଏହାସହ ମୁଣ୍ଡପିଛା ଗ୍ରିନ୍ ହାଉସ ଗ୍ୟାସ ହିସାବରେ ଆମେରିକା ପୃଥିବୀରେ ସବୁଠାରୁ ଆଗରେ ରହିଛି”,କହିଛନ୍ତି ଭବାନୀ ଶଙ୍କର ତ୍ରିପାଠୀ।

ସେ ଆହୁରି ମଧ୍ୟ କହିଛନ୍ତି,“ଆମେରିକା ପ୍ରତିବର୍ଷ ୪୦୦ ବିଲିଅନ୍ ଟନ ଗ୍ରିନ୍‌ ହାଉସ ଗ୍ୟାସ ବାୟୁମଣ୍ଡଳକୁ ଛାଡ଼ୁଛି। ଏହା ବିଶ୍ଵର ଯେ କୌଣସି ଦେଶଠାରୁ ଯଥେଷ୍ଟ ଅଧିକ। ତେଣୁ ମୁଁ ଆମେରିକାର ସ୍ଥାନୀୟ ପ୍ରଶାସନ ସମେତ ସେଠାରେ ଥିବା ଏନ୍‌ଜିଓ ଓ ଗଣମାଧ୍ୟମରେ ସବୁଜ ଗ୍ୟାସର  ମୁକାବିଲା ନେଇ କେଉଁ କେଉଁ ପ୍ରକାର ପଦକ୍ଷେପ ନିଆଯାଉଛି ସେଗୁଡ଼ିକୁ ଅନୁଧ୍ୟାନ କରିବି।”

ପୁରୀ ଜିଲ୍ଲାର ଭବାନୀ ଶଙ୍କର ତ୍ରିପାଠୀ ୧୯୯୯ ମସିହାରୁ ଓଡ଼ିଶାର ଗଣମାଧ୍ୟମରେ ସକ୍ରିୟ ଅଛନ୍ତି। ରାଜନୀତି ସମେତ ସାମାଜିକ ସମସ୍ୟା ଓ ପରିବେଶ ଉପରେ ସେ ଲଗାତାର ଖବର ପ୍ରକାଶ କରିଆସୁଛନ୍ତି। ୨୦୧୯ ମସିହାରୁ ସେ ବଜ୍ରକାପ୍ତାର ଚୋରା ଚାଲାଣକୁ ରୋକିବା ଦିଗରେ ନିଜ ଖବର ଜରିଆରେ ଲୋକମାନଙ୍କୁ ସଚେତନ କରୁଛନ୍ତି। ଏହାଛଡ଼ା ସେ ଜଳବାୟୁ ପରିବର୍ତ୍ତନ ଓ ତାପମାତ୍ରା ବୃଦ୍ଧି ସଂପର୍କିତ ବିଭିନ୍ନ ଖବର ଲେଖୁଛନ୍ତି।

୧୯୪୦ ମସିହାରୁ ଆମେରିକାର ଆଇଭିଏଲପି କାର୍ଯ୍ୟକ୍ରମ ଜାରି ରହିଛି। ବୈଦେଶିକ ପ୍ରତିନିଧି ତଥା ନେତାବୃନ୍ଦଙ୍କ ସହିତ ଆମେରିକାର ବର୍ତ୍ତମାନ ସରକାରଙ୍କ ପ୍ରତିନିଧିଙ୍କ ସଂପର୍କ ସ୍ଥାପନ କରିବା ହେଉଛି ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ବିଶ୍ଵବ୍ୟାପୀ ଆମେରିକାର ଥିବା ଦୂତାବାସ ପକ୍ଷରୁ ‌ପରିଦର୍ଶନକାରୀଙ୍କୁ ଚୟନ କରାଯାଇଥାଏ।

Tags: #IVLP #InternationalVisitorLeadershipProgram #USA #ClimateChange #BhabaniShankarTripathy #Odisha

Comment