ଓଡ଼ିଶାଲାଇଭ୍ ବ୍ୟୁରୋ

  • ‘ବ୍ରିଦିଙ୍ଗ ଉଇଦାଉଟ ଏୟାର’ ଏକ କ୍ଷୁଦ୍ର ଡକ୍ୟୁମେଣ୍ଟାରି ଫିଲ୍ମ
  • ଫିଲ୍ମ ହେରିଟେଜ୍ ଫାଉଣ୍ଡେସନ ପକ୍ଷରୁ ମିଳିଲା ଫିଲ୍ମ ଐତିହ୍ୟର ମାନ୍ୟତା
  • କପିଳାସ ଭୂୟାଁ ଚଳଚ୍ଚିତ୍ରର ନିର୍ଦେଶନା ଦେଇଛନ୍ତି

କପିଳାସ ଭୂୟାଁ ଓଡ଼ିଶାର ଜଣେ ଜଣାଶୁଣା ଚଳଚ୍ଚିତ୍ର ନିର୍ଦେଶକ ତଥା ବରିଷ୍ଠ ସାମ୍ବାଦିକ। ସେ ନିଜର ଫିଲ୍ମଗୁଡ଼ିକ ପାଇଁ ଅନେକ ସ୍ଥାନରୁ ସମ୍ମାନିତ ହୋଇଛନ୍ତି। ଏବେ ଫିଲ୍ମ ହେରିଟେଜ୍ ଫାଉଣ୍ଡେସନ ତାଙ୍କ ନିର୍ଦେଶିତ କ୍ଷୁଦ୍ର ଡକ୍ୟୁମେଣ୍ଟାରି ଫିଲ୍ମ ‘ବ୍ରିଦିଙ୍ଗ ଉଇଦାଉଟ ଏୟାର’କୁ ଏକ ଫିଲ୍ମ ଐତିହ୍ୟ ରୂପେ ଅନ୍ତର୍ଭୁକ୍ତ କରିଛି। ଏଥିଲାଗି ଫାଉଣ୍ଡେସନ ପକ୍ଷରୁ ଫିଲ୍ମର ନିର୍ଦେଶକ କପିଳାସ ଭୂୟାଁଙ୍କ ଫିଲ୍ମ ଜୀବନ ଉପରେ ଏକ ଆଲେଖ୍ୟ ପ୍ରକାଶ ପାଇଛି।

୨୦୦୩ ମସିହାରେ ନିର୍ମିତ ‘ବ୍ରିଦିଙ୍ଗ ଉଇଦାଉଟ ଏୟାର’ ଚଳଚ୍ଚିତ୍ରକୁ ପ୍ୟାରିସ ଫିଲ୍ମ ଫେସ୍ଟିଭାଲରେ ଶ୍ରେଷ୍ଠ କ୍ଷୁଦ୍ର ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା। ଏହାଛଡ଼ା ଏହି ଫିଲ୍ମକୁ ନ୍ୟୁୟର୍କ କ୍ଷୁଦ୍ର ଫିଲ୍ମ ଫେସ୍ଟିଭାଲ ଓ ଅନ୍ୟ କେତେକ କାର୍ଯ୍ୟକ୍ରମରେ ସମ୍ମାନ ମିଳିଛି।

‘ବ୍ରିଦିଙ୍ଗ ଉଇଦାଉଟ ଏୟାର’ ହେଉଛି ଦକ୍ଷିଣ ଓଡ଼ିଶାର ‘ମୁଣ୍ଡପୋତା କେଳା ସମ୍ପ୍ରଦାୟଙ୍କ’ ଜୀବନ ଶୈଳୀ ଉପରେ ଆଧାରିତ ଏକ କ୍ଷୁଦ୍ର ଚଳଚ୍ଚିତ୍ର। ଏହି ସମ୍ପ୍ରଦାୟର ଗୋଟିଏ ପରିବାରର ବାପା ଓ ପୁଅର ଜୀବନକୁ ଫିଲ୍ମରେ ଦର୍ଶା ଯାଇଛି। ଏହି ଚଳଚ୍ଚିତ୍ରରେ କୌଣସି ଡାଇଲଗ ନଥିଲା।

“ବ୍ରିଦିଙ୍ଗ ଉଇଦାଉଟ ଏୟାରକୁ ଫିଲ୍ମ ଐତିହ୍ୟ ରୂପେ ଗ୍ରହଣ କରାଯିବା ମୋ ପାଇଁ ଗର୍ବର ବିଷୟ। ଏହି ଚଳଚ୍ଚିତ୍ର ଓଡ଼ିଶାର ଏକ ଅଜଣା ସମ୍ପ୍ରଦାୟକୁ ଲୋକଲୋଚନକୁ ଆଣିଛି। ଏବେ ଏହି କ୍ଷୁଦ୍ର ଚଳଚ୍ଚିତ୍ର ଐତିହ୍ୟରେ ପରିଣତ ହେବା ଓଡ଼ିଶା ତଥା ଦେଶରେ ଲୁଚି ରହିଥିବା ଅନେକ ସମ୍ପ୍ରଦାୟଙ୍କ ଜୀବନକୁ ଏକ ନୂଆ ପରିଚୟ ଦେବ”, କହିଛନ୍ତି କପିଳାସ ଭୂୟାଁ।

ନିର୍ଦେଶକ କପିଳାସ ଭୂୟାଁ ନିଜ ଜୀବନରେ ଅନେକ ଫିଲ୍ମ ନିର୍ମାଣ କରିଛନ୍ତି। ସେ ନିଜର ଫିଲ୍ମ ଜରିଆରେ ସମାଜର ବାସ୍ତବ ରୂପକୁ ଦେଖାଇଥାନ୍ତି। ତାଙ୍କ ନିର୍ଦେଶିତ କ୍ଷୁଦ୍ର ଫିଲ୍ମ ‘ଯାତ୍ରା ଜୀବନ, ଜୀବନ ଯାତ୍ରା’କୁ ୨୦୦୬ ମସିହାରେ ଜାତୀୟ ପୁରସ୍କାର ମିଳିଥିଲା। ଏଥିରେ ଓଡ଼ିଶାର ଯାତ୍ରା ପରମ୍ପରାକୁ ବିଶେଷ ଭାବେ ପରିଦର୍ଶିତ କରଯାଇଥିଲା। ଏହାଛଡ଼ା ୨୦୧୨ରେ ଆସିଥିବା ତାଙ୍କ ଫିଲ୍ମ ‘ଲାଲ ଓଢ଼ଣି’କୁ ଦର୍ଶକ ବେଶ ପସନ୍ଦ କରିଥିଲେ।

ଫିଲ୍ମ ହେରିଟେଜ୍ ଫାଉଣ୍ଡେସନ ଫିଲ୍ମ ଐତିହ୍ୟର ସୁରକ୍ଷା ପାଇଁ କରିବା ପାଇଁ କାର୍ଯ୍ୟ କରୁଥିବା ଏକ ସଂସ୍ଥା। ଏହା ଆଗରୁ ହୋଇଥିବା ବିଭିନ୍ନ ଚଳଚ୍ଚିତ୍ରର କାହାଣୀ ତଥା କାର୍ଯ୍ୟଙ୍କୁ ଲୋକଲୋଚନକୁ ଆଣିଥାଏ। ୨୦୧୪ ମସିହାରୁ ଏହି ସଂସ୍ଥା କାର୍ଯ୍ୟ କରୁଛି।

Tags: #BreathingWithoutAir #ShortFilm #FilmHeritage #FilmHeritageFoundation #KapilasBhuyan

LEAVE A REPLY

Please enter your comment!
Please enter your name here