କପିଳାସ ଭୂୟାଁ

ପଚାଶ ବର୍ଷ ତଳେ ଆମ ଦେଶରେ ସାମଗ୍ରିକ ଭାବେ ନାରୀମାନଙ୍କ ସ୍ଥିତି ଯାହା ଥିଲା ଆଜି ନିଶ୍ଚୟ ସେଭଳି ସ୍ଥିତି ଆଉ ନାହିଁ। ଶିକ୍ଷିତ ନାରୀମାନଙ୍କ ସଂଖ୍ୟା ଯଥେଷ୍ଟ ବଢ଼ିଛି। ଅଧିକାଂଶ କ୍ଷେତ୍ରରେ ଝିଅମାନେ ପୁଅମାନଙ୍କଠାରୁ ଅଧିକ ସଚେତନ ହେବାର ଲକ୍ଷ୍ୟ କରାଯାଉଛି। ପୁଅମାନଙ୍କ ସହ ଝିଅମାନେ ସମତାଳରେ ମୁଖ୍ୟସ୍ରୋତ କର୍ମକ୍ଷେତ୍ରରେ ଅଧିକ କୃତକାର୍ଯ୍ୟ ମଧ୍ୟ ହେଉଛନ୍ତି। ଏହା ସହିତ ଆଜିର ନାରୀମାନେ ମଧ୍ୟ ନିଜ ଇଚ୍ଛା ମୁତାବକ ଜୀବନ ବଞ୍ଚିବାକୁ ପସନ୍ଦ କରୁଛନ୍ତି।ନାରୀ ନିଜ ପସନ୍ଦରେ ନିଜ ଜୀବନ ବଞ୍ଚିବା ବିଷୟବସ୍ତୁ ଆଧାରରେ ପ୍ରାୟ ସାତ ବର୍ଷ ତଳେ ନିର୍ମିତ ହୋଇଥିବା ତିନିଟି କ୍ଷୁଦ୍ର ଚଳଚିତ୍ର ଏବେ ବି ୟୁଟ୍ୟୁବରେ ଯଥେଷ୍ଟ ଦର୍ଶକୀୟ ଆଦୃତି ପାଉଛି। ଯଦିଓ ବା ମହିଳାମାନଙ୍କ ପାଇଁ ପୋଷାକ ତିଆରି କରୁଥିବା ଏକ କମ୍ପାନି ପକ୍ଷରୁ ବିଜ୍ଞାପନ ପାଇଁ ଏହି ଚଳଚିତ୍ରଗୁଡ଼ିକୁ ତିଆରି କରାଯାଇଛି, ତେବେ ସେଥିରେ କୌଣସି ସାମଗ୍ରୀ ବାବଦରେ କିଛି ବି ନକହି କେବଳ ନାରୀକୈନ୍ଦ୍ରିକ ବିଷୟବସ୍ତୁର ବର୍ଣ୍ଣନା କରାଯାଇଛି ଓ ପୋଷାକ ବନାଉଥିବା କମ୍ପାନିର ପ୍ରଚାର ଅପେକ୍ଷା ନାରୀମାନଙ୍କ ଜୀବନଶୈଳୀକୁ ଅଧିକ ଗୁରୁତ୍ଵ ଦିଆଯାଇଛି। ବୋଲ୍ଡ ଏଣ୍ଡ ବିଉଟିଫୁଲ ସିରିଜ ଅନ୍ତର୍ଗତ ପ୍ରାୟ ତିନିରୁ ଚାରି ମିନିଟ ଅବଧିର ଏହି ତିନିଟି କ୍ଷୁଦ୍ର ଚଳଚିତ୍ର ହେଲା ‘ଦି ଭିଜିଟ୍’, ‘ଦି ୱ୍ହିସ୍ପର୍ଶ’ ଓ ‘ଦି ୱେଟ’।

ପାରସ୍ପରିକ ପ୍ରେମ ସମ୍ପର୍କରେ ସମ୍ପର୍କିତ ଓ ଏକତ୍ର ସହାବସ୍ଥାନ କରୁଥିବା ଦୁଇଜଣ କର୍ମଜୀବୀ ଝିଅଙ୍କ ଜୀବନଚର୍ଯ୍ୟା ଉପରେ ଆଧାରିତ ହେଲା ‘ଦି ଭିଜିଟ୍’। ହାଲକା ସଙ୍ଗୀତର ମୂର୍ଚ୍ଛନା ସହ ଚଳଚିତ୍ରଟି ଆରମ୍ଭ ହେଉଛି ଦର୍ପଣ ସାମ୍ନାରେ ବସି ପ୍ରାୟ ପଚିଶ ବର୍ଷର ଝିଅଟିଏ ପ୍ରସାଧାନ କରୁଥିବା ଦୃଶ୍ୟରୁ। ପାଖ ସୋଫାରେ ଶୋଇଛି ପ୍ରାୟ ସମାନ ବୟସର ଆଉ ଗୋଟିଏ ଝିଅ, ଯାହାର ନିଦ ଭାଙ୍ଗିଲା ପରେ ସେ ଅତି ସାଧାରଣ ଭାବେ ଅଳସ ଭାଙ୍ଗୁଛି। ପ୍ରସାଧାନ କରୁଥିବା ଦକ୍ଷିଣ ଭାରତୀୟ ଝିଅଟିକୁ ସେ “ସେମାନେ କେତେବେଳେ ପହଞ୍ଚିବେ?” ବୋଲି ପଚାରୁଛି ଓ ଯେଉଁମାନେ ଆସୁଛନ୍ତି ସେମାନଙ୍କ ପାଇଁ କଫି କରିଦେବାକୁ ପ୍ରସ୍ତାବ ଦେଉଛି।

ଅନ୍ୟ ଝିଅଟି ମୁହଁରେ ସ୍ମିତହାସ୍ୟ ଖେଳେଇ କହୁଛି ଯେ ସେମାନେ ଦକ୍ଷିଣ ଭାରତୀୟ ଓ ତେଣୁ ତା’ କଫିକୁ ହୁଏତ ସେମାନେ ପସନ୍ଦ କରିବେ ନାହିଁ। ଅର୍ଥାତ ଅନ୍ୟ ଝିଅଟି ଦକ୍ଷିଣ ଭାରତୀୟ ନୁହେଁ, ହୁଏତ ଉତ୍ତର ଭାରତର ହୋଇଥାଇପାରେ। ଏହା ଦ୍ଵାରା ଉଭୟ ଝିଅଙ୍କ ମଧ୍ୟରେ ଥିବା ସାଂସ୍କୃତିକ ତାରତମ୍ୟ ପ୍ରକାଶ ପାଉଛି।ଏହି ତାରତମ୍ୟ ସତ୍ଵେ ସେହି ଦୁଇଟି ଝିଅ ପରସ୍ପର ସହ ଏକାଠି ରହୁଛନ୍ତି। ଏହା ସେହି ଦୁଇଟି ଝିଅଙ୍କର ଆଧୁନିକ ସର୍ବଭାରତୀୟ ମନୋବୃତ୍ତିର ପରିଚୟ ଦେଉଥିବା ବେଳେ ଯେଉଁଠି ପ୍ରେମ ସମ୍ପର୍କ ଥାଏ ସେଠାରେ ଭୌଗଳିକ, ସାମାଜିକ ଓ ସାଂସ୍କୃତିକ ତାରତମ୍ୟ କୌଣସି ବାଧା ସୃଷ୍ଟି କରିପାରେ ନାହିଁ ବୋଲି ବର୍ଣ୍ଣନା କରୁଛି।

ସେଦିନ ଦକ୍ଷିଣ ଭାରତୀୟ ଝିଅଟିର ବାପା ମା’ ଝିଅ ପାଖକୁ ବୁଲିବାକୁ ଆସୁଛନ୍ତି। ଝିଅଟି ସେମାନଙ୍କ ସହ ଫୋନରେ କଥା ହେଉଛି ଓ ତା’ ଘରର ରାସ୍ତା ବତେଇ ଦେଉଛି। ସେମାନେ ଖୁବ ଅଳ୍ପ ସମୟ ଭିତରେ ଆସି ପହଞ୍ଚିବାର ସୂଚନା ଦେଉଛନ୍ତି। ଉତ୍ତର ଭାରତୀୟ ଝିଅଟି ଗାଧେଇ ସାରି ଆସି ପହଞ୍ଚିଛି। ତାକୁ କିଛି ସମୟ ଚାହିଁ ଦକ୍ଷିଣ ଭାରତୀୟ ଝିଅଟି କହୁଛି ଯେ, ତା’ ମା’ ‘ବବ୍ କଟ୍’ ପସନ୍ଦ କରନ୍ତି ନାହିଁ।

ଅନ୍ୟ ଝିଅଟି ଏକଥା ଶୁଣି ଆଶ୍ଚର୍ଯ୍ୟ ହେଉଛି ଓ କହୁଛି ଯେ, ସେ ତେବେ କାହିଁକି ତାକୁ ‘ବବ୍ କଟ୍’ କାଟି ତା’ ବାଳକୁ ଛୋଟ କରିଦେବାକୁ କହିଲା। ଦକ୍ଷିଣ ଭାରତୀୟ ଝିଅଟି ଅନ୍ୟ ଝିଅଟିକୁ କୋଳେଇ ନେଇ ଶ୍ରଦ୍ଧାର ସହ କହୁଛି ଯେ ‘ବବ୍ କଟ୍’ ସେ ନିଜେ ହିଁ  ବହୁତ ପସନ୍ଦ କରେ।ଅନ୍ୟ ଝିଅଟି ସନ୍ଦିହାନ ସ୍ଵରରେ ପଚାରୁଛି – “ସେ ସେମାନଙ୍କ ବାବଦରେ ନିଶ୍ଚିତ ତ?” ଉତ୍ତର ମିଳୁଛି –“ମୁଁ ଆମ ସମ୍ପର୍କ ବାବଦରେ ନିଶ୍ଚିତ!” ଏହି ଉତ୍ତର ଅନ୍ୟ ଝିଅଟିକୁ ବେଶ ବିଶ୍ଵାସ ଦେଉଛି ଓ ଉଭୟ ପରସ୍ପରକୁ ଘନିଷ୍ଠ ଭାବେ ଆଲିଙ୍ଗନ କରୁଛନ୍ତି। ବାହାରେ ଗୋଟିଏ ଗାଡି ରହିବାର ଓ ହର୍ଣ୍ଣ ବଜାଇବାର ଶବ୍ଦ ଶୁଭୁଛି। ଉଭୟ ଝିଅ ହାତ ଧରାଧରି ହୋଇ ଦକ୍ଷିଣ ଭାରତୀୟ ଝିଅର ବାପା ମା’ଙ୍କୁ ପାଛୋଟି ଆଣିବାକୁ ବାହାରକୁ ଯାଉଛନ୍ତି।

ଚଳଚିତ୍ରଟି ବାସ୍ତବଧର୍ମୀ ଓ ଦେଖିବାକୁ ଅତି ସାଧାରଣ। କିନ୍ତୁ ବିଷୟବସ୍ତୁ ନିଶ୍ଚୟ ଅସାଧାରଣ। କାଳକ୍ରମେ ଆମ ଦେଶରେ ତୃତୀୟ ଲିଙ୍ଗୀମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ସେମାନଙ୍କର ଅଧିକାର ଦେବା ଓ ଦୁଇ ଜଣ ସାବାଳକ ବ୍ୟକ୍ତି ସହମତି ଭିତ୍ତିରେ ସମଲିଙ୍ଗୀ ସମ୍ପର୍କରେ ଥିଲେ ତାହାକୁ ପୂର୍ବ ପରି ଧର୍ତ୍ତବ୍ୟ ଅପରାଧ ରୂପେ ଗ୍ରହଣ ନକରିବା ଭଳି ଆଇନ ଏହା ମଧ୍ୟରେ କାର୍ଯ୍ୟକାରୀ ହୋଇଛି। ତେବେ ସମଲିଙ୍ଗୀ ବ୍ୟକ୍ତିମାନେ ପରସ୍ପରକୁ ବିବାହ କରିବାକୁ ଆଇନର ଅନୁମୋଦନ ମିଳି ନାହିଁ।

ନାରୀ ନାରୀ ବା ପୁରୁଷ ପୁରୁଷ ସଂପର୍କକୁ ସମାଜ ସହଜରେ ଗ୍ରହଣ କରେ ନାହିଁ। କିନ୍ତୁ ତା’ ଅର୍ଥ ନୁହେଁ ଯେ ଲୋକମାନଙ୍କ ମଧ୍ୟରେ ଏଭଳି ସମ୍ପର୍କ ନାହିଁ। ଏଭଳି ସମ୍ପର୍କ ବାବଦରେ ଲୋକେ ଭରସି କରି କହିପାରନ୍ତି ନାହିଁ। କିନ୍ତୁ ସ୍ଵାଧୀନ ଭାବେ ଜୀବନ ବଞ୍ଚୁଥିବା ଦୁଇଜଣ କର୍ମଜୀବି ମହିଳା ସେମାନଙ୍କ ସଂପର୍କକୁ ଦରକାର ପଡିଲେ ସମାଜ ଆଗରେ ସ୍ଵୀକାର କରିବାକୁ ବା ପ୍ରକାଶ କରିବାକୁ ପଛାଇବେ ନାହିଁ ଭଳି ତଥ୍ୟ ପ୍ରଦାନ କରେ ‘ଦି ଭିଜିଟ’ ଚଳଚିତ୍ର।ଏକକ ମା’ର ଜୀବନଚର୍ଯ୍ୟା ଉପରେ ଆଧାରିତ ହେଉଛି ‘ଦି ୱ୍ହିସ୍ପର୍ଶ’ର ବିଷୟବସ୍ତୁ। ଜଣେ ମା’ ତା’ର ଝିଅ ବା ପୁଅ ସହ ବାପା ଭାବେ ଜଣେ ପୁରୁଷ ସହ ରହିବା ହେଉଛି ଆମ ସମାଜର ଏକ ଧରାବନ୍ଧା ନିୟମ। ଯଦି ଗୋଟିଏ ପରିବାର ସହ ଜଣେ ପୁରୁଷ ସ୍ଵାମୀ ବା ବାପା ରୂପରେ ରହୁନାହିଁ, ତେବେ ତାକୁ ନେଇ ସମାଜରେ ଯଥେଷ୍ଟ ଗୁଞ୍ଜରଣ ସୃଷ୍ଟି ହୁଏ। କିନ୍ତୁ ଜଣେ ସ୍ଵାବଲମ୍ବୀ ନାରୀ ଆଜିକା ଦିନରେ ନିଜ ପିଲାଙ୍କ ସହ ସବୁ ଦାୟିତ୍ଵ ନେଇ ଏକା ରହିବାରେ ଅସୁବିଧା କ’ଣ? ନାରୀର ସଂସାର ଭିତରେ ଜଣେ ପୁରୁଷ ନିହାତି ରହିବା ଅନିବାର୍ଯ୍ୟ ନୁହେଁ। ବିନା ପୁରୁଷ ବା ସ୍ଵାମୀରେ ଜଣେ ନାରୀ ନିଜର ଓ ପିଲାଙ୍କର ଆବଶ୍ୟକୀୟ ଯତ୍ନ ନେବା ସହ ନିଜ ଇଚ୍ଛା ମୁତାବକ ବଞ୍ଚିବାର ସମ୍ଭାବନା ହିଁ ପ୍ରକାଶ ପାଇଛି ‘ଦି ୱ୍ହିସ୍ପର୍ଶ’ ଚଳଚିତ୍ରରେ।‘ଦି ୱେଟ’ ହେଉଛି ନାରୀ ବୁଦ୍ଧିମତାର ଏକ ଝଲକ୍। ଆଜିର ସମାଜରେ ନାରୀ କର୍ମଜୀବି, ନାରୀ ସ୍ୱାବଲମ୍ବୀ। ଦୈନନ୍ଦିନ ଜୀବନରେ ସୁରାପାନ କରିବା ପାଇଁ ପୁରୁଷମାନେ ଯେଉଁ ଭଳି ଆଗ୍ରହୀ, ନାରୀମାନେ ମଧ୍ୟ ସେମିତି ଆଗ୍ରହୀ ହୋଇ ପାରନ୍ତି। କିନ୍ତୁ ପୁରୁଷମାନେ ସୁରା ପାନ କରିବାକୁ କୌଣସି ବାର୍ କିମ୍ବା କ୍ଲବକୁ ଯେତିକି ସହଜ, ପ୍ରଚଳିତ ବ୍ୟବସ୍ଥା ଭିତରେ ନାରୀମାନେ ସେଭଳି କରି ପାରନ୍ତି ନାହିଁ। ଯଦିଓ ସେମାନେ ବାର୍‌କୁ ଯାଉଛନ୍ତି, ତେବେ ଅଧିକାଂଶତଃ ଜଣେ ପୁରୁଷ ସାଙ୍ଗରେ ଯିବାକୁ ପଡୁଛି। କାରଣ ବାର୍ କିମ୍ବା କ୍ଲବ୍‌ଗୁଡିକରେ ପୁଷମାନଙ୍କର ଆଡ୍‌ଡା ବେଶୀ। ଯଦି ଜଣେ ନାରୀ କୌଣସି ପୁରୁଷ ସାଥି ବିନା ବାର୍‌କୁ ଯାଏ, ଏବେ ବି ନିଶାଗ୍ରସ୍ତ ପୁରୁଷମାନେ ତାଙ୍କ ପଛରେ ପଡିଯିବାଟା ନିଶ୍ଚୟ।

‘ଦି ୱେଟ’ ଚଳଚିତ୍ରର ଘଟଣା ଏହିପରି – ଏକା ଏକା ବାର୍‌କୁ ଯାଇ ହ୍ଵାଇଟ ୱାଇନ ପାଇଁ ଅର୍ଡର ଦେଇ ବସିଥିବା ତରୁଣୀଟିକୁ ବାର୍‌ରେ ଉପସ୍ଥିତ ଥିବା ଜଣେ ପୁରୁଷ ଆସି ନିକଟତର ହେବାକୁ ଚାହୁଁଛି। ତେବେ ତରୁଣୀଟି ନିଜର ଉପସ୍ଥିତ ବୁଦ୍ଧି ଦ୍ଵାରା ଯେଉଁଭଳି ବୁଦ୍ଧିମତାର ସହ କଥା କହି ସେହି ଲୋକକୁ ତା’ ନିଜ ସ୍ଥାନକୁ ଫେରାଇ ଦେଉଛି ତା’ ହେଉଛି ‘ଦି ୱେଟ’ ଚଳଚିତ୍ରର ବିଷୟବସ୍ତୁ।ଆଜିର ନାରୀ ଦୃଢମନା ଓ ସୌନ୍ଦର୍ଯ୍ୟମୟୀ। ସେ ପୁରୁଷ ସହ ସବୁ କ୍ଷେତ୍ରରେ ସମକକ୍ଷ ଓ ସବୁ ସ୍ତରରେ ସମାନ – ବୃହତ୍ତର ସମାଜ ଏହି କଥାଟିକୁ ସଂପୂର୍ଣ୍ଣ ଭାବେ ଗ୍ରହଣ କରିବାର ସମୟ ଆଜି ନିଶ୍ଚୟ ଆସି ଯାଇଛି। ଏଥିରେ କୌଣସି ଦ୍ଵିରୁକ୍ତି ନାହିଁ!

[ଲେଖକ ଜଣେ ବରିଷ୍ଠ ସାମ୍ବାଦିକ, କଳା ସମୀକ୍ଷକ ଓ ଜାତୀୟ ଚଳଚିତ୍ର ପୁରସ୍କାରପ୍ରାପ୍ତ ନିର୍ଦ୍ଦେଶକ। ମତାମତ ନିଜସ୍ୱ।]

Comment