ଓଡ଼ିଶାଲାଇଭ୍ ବ୍ୟୁରୋ

‘ଷ୍ଟାର୍‍ଡମ୍‍’ର ବିଭିନ୍ନ ଦିଗକୁ ନେଇ ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍‍ସି), ଢେଙ୍କାନାଳ ପକ୍ଷରୁ ଆସନ୍ତା ଶନିବାରଠାରୁ ଆରମ୍ଭ ହେବାକୁ ଯାଉଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ଫିଲ୍ମି ଚକ୍କର-୪’। ତିନି ଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମର ଏଥରର ଅନୁଚିନ୍ତା ରହିଛି ‘ଷ୍ଟାରଡମ୍‍’। ପୂରା କାର୍ଯ୍ୟକ୍ରମକୁ ଦୁଇଟି ବିଭାଗରେ ପରିକଳ୍ପନା କରାଯାଇଛି। ଗୋଟିଏ ହେଉଛି ସମ୍ମିଳନୀ ଓ ଅନ୍ୟଟି ଚଳଚ୍ଚିତ୍ର ଆଲୋଚନା (ଆପ୍ରିସିଏସନ୍‍) କର୍ମଶାଳା।

ସମ୍ମିଳନୀରେ ଦେଶର ବିଭିନ୍ନ ସ୍ଥାନରୁ ଶିକ୍ଷାବିତ୍‍, ଚଳଚ୍ଚିତ୍ର ସମୀକ୍ଷକ, ଗବେଷକ ଯୋଗଦେଇ ସନ୍ଦର୍ଭ ଉପସ୍ଥାପନ କରିବେ। ‘ରାଜନୀତି ଓ ଷ୍ଟାରଡମ୍‍’, ‘ନୂଆ ଯୁଗର ଷ୍ଟାରଡମ୍‍’, ‘ବଲିଉଡ୍‍ରେ ଟ୍ରେଣ୍ଡ୍‍’, ‘ନାୟିକା (ଅଭିନେତ୍ରୀ) ଷ୍ଟାରଡମ୍‍’ ଆଦି ଉପ-ବିଷୟ ଉପରେ ଆଲୋଚନା ମଧ୍ୟ ହେବ। ଏହି ବୈଷୟିକ ଅଧିବେଶନରେ ଆଲୋଚକ ଭାବେ ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର, ଉତ୍ସବ ଚାଟାର୍ଜୀ ପ୍ରମୁଖ ଯୋଗଦେଇ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

ସେହିପରି ଚଳଚ୍ଚିତ୍ର ଆଲୋଚନା କର୍ମଶାଳାରେ ଚଳଚ୍ଚିତ୍ର ଚିନ୍ତନ, ଅଧ୍ୟୟନ, ସମୀକ୍ଷା, ସମାଲୋଚନା ଆଦି ବିଷୟରେ ଆଲୋଚନା କରାଯିବ। ଜାତୀୟ ପୁରସ୍କାରପ୍ରାପ୍ତ ଚଳଚ୍ଚିତ୍ର ଲେଖକ ପିୟୁଷ ରାୟଙ୍କ ତତ୍ତ୍ୱାବଧାନରେ ଏହି କର୍ମଶାଳା ଅନୁଷ୍ଠିତ ହେବ। ଏଥିରେ ଆଇଆଇଏମ୍‍ସିର ଛାତ୍ରଛାତ୍ରୀଙ୍କ ସମେତ ବିଭିନ୍ନ ବିଶ୍ୱବିଦ୍ୟାଳୟର ଶିକ୍ଷାର୍ଥୀମାନେ ଭାଗ ନେଉଛନ୍ତି।

‘‘ଫିଲ୍ମ ଚକ୍କର ପାଇଁ ମୁଁ ବହୁତ ଉତ୍ସାହିତ ଅଛି। ପ୍ରଥମ ଥର ପାଇଁ ଏଥିରେ ମାଗ ନେଉଥିବାରୁ ମୁଁ ବହୁତ ଖୁସି ଅଛି। ଆଇଆଇଏମ୍‍ସିକୁ ଆସିବା ପୂର୍ବରୁ ଫିଲ୍ମ ଚକ୍କର ବିଷୟରେ ଶୁଣିଥିଲି। ଏଥର ମୁଁ ନିଜେ ଉପସ୍ଥିତ ରହି ଦେଖିବି ଓ କିଛି ଶିଖିବି। ଅଭିନୟ ପ୍ରତି ମୋର ଦୁର୍ବଳତା ରହିଛି। ନୃତ୍ୟ ଓ ନାଟକରେ ବି ରୁଚି ରହିଛି। ଏଠି ଯାହା ଶିଖିବି ଭବିଷ୍ୟତରେ କାମରେ ଆସିବ। ମୋଟାମୋଟି ଭାବରେ ଚଳଚ୍ଚିତ୍ରର ପ୍ରତିଟି ଦିଗ ବିଷୟରେ ଜାଣିବାକୁ ମିଳିବ’’, କହିଛନ୍ତି ମାନସ ରଞ୍ଜନ ପ୍ରଧାନ, ଛାତ୍ର, ଆଇଆଇଏମସି, ଢେଙ୍କାନାଳ।

‘‘ମତେ ଭିନ୍ନ ଭିନ୍ନ ପ୍ରକାରର ଚଳଚ୍ଚିତ୍ର ଦେଖିବାକୁ ଭଲ ଲାଗେ। ନୂଆ ନୂଆ ଚଳଚ୍ଚିତ୍ର ଦେଖି ତା’ ବିଷୟରେ ଅଧିକା କିଛି ଜାଣିବାକୁ ମିଳିବ। ଫିଲ୍ମ ବିଷୟରେ ଅଧିକ କିଛି ଧାରଣା ଆସିବ ବୋଲି ମୋର ଆଶା। ତେଣୁ ମୁଁ ବହୁତ ଆଗ୍ରହୀ’’, ରୁପାଲି ଓଝା, ଛାତ୍ରୀ, ଆଇଆଇଏମସି, ଢେଙ୍କାନାଳ।

ସିନେମାକୁ ନେଇ ନୂଆ ଦୃଷ୍ଟିଭଙ୍ଗୀ ମିଳିବ” 

ଭାରତୀୟ ଜନ ସଞ୍ଚାର ସଂସ୍ଥାନ, ଢେଙ୍କାନାଳର ରୌପ୍ୟ ଜୟନ୍ତୀ ଅବସରରେ ଚଳଚ୍ଚିତ୍ରକୁ ନେଇ ଏକ କାର୍ଯ୍ୟକ୍ରମ ଆୟୋଜନ କରିବାର ପରିକଳ୍ପନା କରିଥିଲେ ଆଇଆଇଏମ୍‍ସି, ଢେଙ୍କାନାଳର ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର ମୃଣାଳ ଚାଟାର୍ଜୀ। ସେହି ବର୍ଷ ଅର୍ଥାତ୍‍ ୨୦୧୮ରେ ପ୍ରଥମ ଥର ପାଇଁ ସଂସ୍ଥାନରେ ଆୟୋଜିତ ହୋଇଥିଲା ଚଳଚ୍ଚିତ୍ରକୁ ନେଇ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ଫିଲ୍ମି ଚକ୍କର’। ଏହି କାର୍ଯ୍ୟକ୍ରମର ରୂପରେଖ ପ୍ରସ୍ତୁତ କରିଥିଲେ ପିୟୁଷ ରାୟ। ଏଥିରେ ସଂସ୍ଥାନ ଓ ଅନ୍ୟ ବିଶ୍ୱବିଦ୍ୟାଳୟର କିଛି ଛାତ୍ରଛାତ୍ରୀ ଭାଗ ନେଇଥିଲେ।

ଭାଗ ନେଇଥିବା ଅନେକ ଶିକ୍ଷାର୍ଥୀ ଏହିପରି ଏକ କାର୍ଯ୍ୟକ୍ରମ ନିୟମିତ ହେବା ଦରକାର ବୋଲି ମତ ଦେଇଥିଲେ। ପରେ ପ୍ରତିବର୍ଷ ‘ଫିଲ୍ମି ଚକ୍କର’ ଆୟୋଜନ କରିବା ନେଇ ଡକ୍ଟର ମୃଣାଳ ଚାଟାର୍ଜୀ ଘୋଷଣା କରିଥିଲେ। ତା’ପରେ ଦୁଇ ବର୍ଷ ଧରି ‘ଫିଲ୍ମି ଚକ୍କର’ ଅନୁଷ୍ଠିତ ହୋଇଥିଲା। ‘ଭାରତୀୟ ସିନେମା: ବାସ୍ତବତାର ସମାନ୍ତର ମାଧ୍ୟମରେ’ ଏବଂ ‘ଓଟିଟି ଯୁଗରେ ସିନେମା’ ଅନୁଚିନ୍ତା ନେଇ ଆୟୋଜିତ ଦୁଇଟି ସଂସ୍କରଣ ସମସ୍ତଙ୍କ ପାଇଁ ବେଶ୍‍ ଉପଯୋଗୀ ଥିଲା। ତେବେ କୋଭିଡ କାରଣରୁ ଗତ ଦୁଇ ବର୍ଷ ହେବ ଏହା ଆୟୋଜନ କରିବା ସମ୍ଭବ ହୋଇପାରିନଥିଲା।

ଏନେଇ ଡକ୍ଟର ମୃଣାଳ ଚାଟାର୍ଜୀ କହିଛନ୍ତି, “ଚଳଚ୍ଚିତ୍ର ଗଣମାଧ୍ୟମର ଏକ ମୁଖ୍ୟ ଅଙ୍ଗ। ଚଳଚ୍ଚିତ୍ର ସମ୍ପର୍କିତ ଆଲୋଚନା ଓ କର୍ମଶାଳା ମାଧ୍ୟମରେ ଦର୍ଶକମାନେ ସିନେମାକୁ ନେଇ ନୂଆ ଦୃଷ୍ଟିଭଙ୍ଗୀ ପାଇପାରିବେ। ଚଳଚ୍ଚିତ୍ର ସମ୍ପର୍କିତ ରିପୋର୍ଟିଂ ଓ ଷ୍ଟୋରି ପ୍ରସ୍ତୁତ କରିବା ସମୟରେ ଏହି କର୍ମଶାଳା ସାମ୍ବାଦିକତା ଛାତ୍ରଛାତ୍ରୀ ଓ କାର୍ଯ୍ୟରତ ସାମ୍ବାଦିକଙ୍କୁ ଅନେକ ସାହାଯ୍ୟ କରିବ। ଶିକ୍ଷାର୍ଥୀମାନେ ଚଳଚ୍ଚିତ୍ର ସମୀକ୍ଷାର କଳା ଜାଣିପାରିବେ। ଏଥିସହିତ ଚଳଚ୍ଚିତ୍ର ଲେଖାକୁ ଅନୁଶୀଳନ କରିବାର ଧାରଣା ଓ କୌଶଳ ଜାଣିହେବ।”

ପ୍ରଦର୍ଶିତ ହେବ ବିରଳ ଚିଠି ଚର୍ଚ୍ଚିତ ପୋଷ୍ଟର
ଅଭିନେତା ଓ ଅଭିନେତ୍ରୀମାନଙ୍କୁ ସେମାନଙ୍କ ପ୍ରଶଂସକମାନେ ଚିଠି ଲେଖିବା ଏକ ସାଧାରଣ କଥା ହୋଇପାରେ। କିନ୍ତୁ ଅଭିନେତାମାନେ ନିଜ ପ୍ରଶଂସକଙ୍କୁ ଚିଠି ଲେଖିବା ପ୍ରାୟ ବିରଳ। ୭୦ ଦଶକର ସୁପରଷ୍ଟାର ରାଜେଶ ଖାନ୍ନା ତାଙ୍କର ଅଗଣିତ ପ୍ରଶଂସକଙ୍କ ମଧ୍ୟରୁ ଜଣେ ପ୍ରଶଂସକଙ୍କୁ ଚିଠି ଲେଖିଥିଲେ। ସେ ସମୟରେ ଏହି ଚିଠିକୁ ନେଇ ବେଶ ଚର୍ଚ୍ଚା ହୋଇଥିଲା। ଏହା ସହ ଅଭିନେତା ରାଜ କୁମାର, ଅଭିନେତ୍ରୀ ସାଧନା ପ୍ରମୁଖ ନିଜ ପ୍ରଶଂସକଙ୍କୁ ମଧ୍ୟ ଚିଠି ଲେଖିଛନ୍ତି। ସେହିପରି ଅଭିନେତ୍ରୀ ତାପସୀ ପନ୍ନୁଙ୍କ ଅଭିନୀତ ଚଳଚ୍ଚିତ୍ର ‘ପିଙ୍କ୍‍’ ଦେଖିବା ପରେ ତାଙ୍କୁ ଜଣେ ପ୍ରଶଂସକ ଏକ ଚମତ୍କାର ଚିଠି ଲେଖିଥିଲେ। ଏହିପରି କିଛି ବିରଳ ଚିଠିକୁ ନେଇ ଏକ ପ୍ରଦର୍ଶନୀ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି।

ଏହି ପ୍ରଦର୍ଶନୀରେ କିଛି କିମ୍ବଦନ୍ତୀ ଚଳଚ୍ଚିତ୍ର ପୋଷ୍ଟର ମଧ୍ୟ ରହିବ। ୧୯୩୧ ମସିହାର ଚଳଚ୍ଚିତ୍ର ଆଲାମ୍‍ ଆରାଠାରୁ ଆରମ୍ଭ କରି ଦାନବୀର କର୍ଣ୍ଣ, ସୋଲେ, ଚାନ୍ଦିନୀ, ଲକ୍ଷ୍ମୀ, ଦେବଦାସ, ସ୍ୱଦେଶ, ମଦର ଇଣ୍ଡିଆ, କମ୍ପାନି ଆଦି ଚଳଚ୍ଚିତ୍ରର ପୋଷ୍ଟର ଏଥିରେ ପ୍ରଦର୍ଶିତ ହେବ। ଏହାସହ ରଜନୀକାନ୍ତ, ପ୍ରଭାସ ପ୍ରମୁଖ ଲୋକପ୍ରିୟ ଅଭିନେତାଙ୍କ କଟ୍‍-ଆଉଟ୍‍ ପୋଷ୍ଟରରେ ପ୍ରଶଂସକମାନେ ଖିର ଢାଳୁଥିବାର ଚର୍ଚ୍ଚିତ ପୋଷ୍ଟର ମଧ୍ୟ ସ୍ଥାନ ପାଇବ। କିଛି ଚଳଚ୍ଚିତ୍ର ପତ୍ରିକାର ପ୍ରଚ୍ଛଦ ମଧ୍ୟ ପ୍ରଦର୍ଶିତ ହେବ। ୧୬ ତାରିଖ ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଏହା ଜନସାଧାରଣଙ୍କ ପାଇଁ ଖୋଲା ରହିବ।

‘‘ଫିଲ୍ମି ଚକ୍କର କାର୍ଯ୍ୟକ୍ରମରେ ଫିଲ୍ମ ସମୀକ୍ଷା ହେବା ସହ କ୍ରିଟିକାଲ ଆପ୍ରିସିଏସନ୍‍ ହେବ। ସେଥିପାଇଁ ମୁଁ ବହୁତ ଇଚ୍ଛୁକ। କର୍ମଶାଳାରେ ଭାଗ ନେଇ ଚଳଚ୍ଚିତ୍ରର ବିଭିନ୍ନ ଦିଗ ଉପରେ ଜାଣିବାର ସୁଯୋଗ ମିଳିବ ନିଶ୍ଚୟ’’, ପ୍ରବୀଣ ସାହୁ, ଛାତ୍ର, ଆଇଆଇଏମସି, ଢ଼େଙ୍କାନାଳ।

‘‘ଫିଲ୍ମି ଚକ୍କର ପାଇଁ ମୁଁ ବହୁତ ଉତ୍ସାହିତ। ଏହା ମୋର ପ୍ରଥମ ଅନୁଭୂତି ହେବ। ଏଥିରେ ବହୁ ପ୍ରସିଦ୍ଧି ଲାଭ କରିଥିବା ବ୍ୟକ୍ତିତ୍ୱ ଆସୁଛନ୍ତି। ସେମାନଙ୍କ ମଧ୍ୟରୁ କିଛି ଜଣ ନିଜର ସନ୍ଦର୍ଭ ଉପସ୍ଥାପନ କରିବେ। ଯାହାଦ୍ୱାରା ଆମକୁ ବହୁତ କିଛି ଶିଖିବାକୁ ମିଳିବ। ଏହାଦ୍ୱାରା ଆମେ ସାଧାରଣ ଲୋକଙ୍କଠାରୁ ଟିକେ ଭିନ୍ନ ଦୃଷ୍ଟିରେ ଅର୍ଥାତ୍‍ ସାମ୍ବାଦିକତା ଦୃଷ୍ଟିକୋଣରୁ ଚଳଚ୍ଚିତ୍ର ଦେଖିପାରିବୁ’’, କହିଛନ୍ତି ସୁରଭି ମିଶ୍ରା, ଛାତ୍ରୀ, ଆଇଆଇଏମସି, ଢେଙ୍କାନାଳ।


କିମ୍ବଦନ୍ତୀ ଚଳଚ୍ଚିତ୍ରକୁ ନେଇ ସ୍ୱତନ୍ତ୍ର କାର୍ଡ
ଭାରତର ପ୍ରଥମ ଫିଚର ଫିଲ୍ମ ହେଉଛି ‘ରାଜା ହରିଶ୍ଚନ୍ଦ୍ର’। ଏହି ନିରବ (ସାଇଲେଣ୍ଟ) ଚଳଚ୍ଚିତ୍ରରେ ଅଭିନୟ କରିବା ଲାଗି କୌଣସି ମହିଳା ମିଳିନଥିଲେ। ଫଳରେ ସମସ୍ତ ଚରିତ୍ରରେ ପୁରୁଷମାନେ ହିଁ ଅଭିନୟ କରିଥିଲେ। ଏମିତିକି ମହିଳା ଚରିତ୍ରରେ ବି ପୁରୁଷମାନେ ବେଶ ହୋଇ ଅଭିନୟ କରିଥିଲେ। ସେହିପରି ଦେଶର ପ୍ରଥମ ଶବ୍ଦଯୁକ୍ତ ଚଳଚ୍ଚିତ୍ର ହେଉଛି ଆର୍ଦେଶିର ଇରାନୀଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ଆଲାମ୍‍ ଆରା’। ଭାରତୀୟ ଚଳଚ୍ଚିତ୍ରରେ ଏକ ପ୍ରମୁଖ ଅଂଶ ଭାବେ ପରିଗଣିତ ହେଉଥିବା ଗୀତ ଓ ନୃତ୍ୟ ପ୍ରଥମ ଥର ପାଇଁ ଉପସ୍ଥାପନ କରିବାର ଶ୍ରେୟ ଇରାନୀଙ୍କ ପାଖକୁ ଯାଏ।

୧୯୫୫ ମସିହାରେ ଆସିଥିଲା ସତ୍ୟଜିତ ରାୟଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ପଥର ପାଞ୍ଚାଲୀ’। ସ୍ୱାଧୀନ ଭାରତର ପ୍ରଥମ ଚଳଚ୍ଚିତ୍ର ଭାବେ ଏହା ଆନ୍ତର୍ଜାତିକ ସ୍ତରରେ ବେଶ୍‍ ପ୍ରସିଦ୍ଧି ଅର୍ଜନ କରିଥିଲା। ଏହିପରି କିଛି ଭାରତୀୟ କିମ୍ବଦନ୍ତୀ ଚଳଚ୍ଚିତ୍ରକୁ ନେଇ ଆଇଆଇଏମ୍‍ସି ପକ୍ଷରୁ ପ୍ରସ୍ତୁତ ହୋଇଛି ପୋଷ୍ଟ କାର୍ଡ ଆକାରର ସ୍ୱତନ୍ତ୍ର କାର୍ଡ। ଏଥିରେ ୧୬ଟି ଚଳଚ୍ଚିତ୍ର ସ୍ଥାନ ପାଇଛି। ଏହି କାର୍ଡ ନେବାକୁ ଚାହୁଁଥିଲେ ସଂସ୍ଥାନ ସହ ଯୋଗାଯୋଗ କରିପାରିବେ ବୋଲି ସଂସ୍ଥାନ ପକ୍ଷରୁ କୁହାଯାଇଛି।

ସଜେଇ ହୋଇଛି ଆଇଆଇଏମସି

‘ଫିଲ୍ମି ଚକ୍କର’ ପାଇଁ ଭାରତୀୟ ଜନ ସଞ୍ଚାର ସଂସ୍ଥାନ ସଜେଇ ହୋଇଛି। ଆଦିବାସୀ ଚିତ୍ରକଳାରେ ଝଲସୁଛି କ୍ୟାମ୍ପସ୍‍। କର୍ମଶାଳା ପାଇଁ ସଂସ୍ଥାନର କାନ୍ଥବାଡ଼କୁ ଚିତ୍ରରେ ସଜାଯାଇଛି। ବୈଷୟିକ ସଂଯୋଜକ ବଦ୍ରିନାଥ ଜେନା ଓ କିଛି ଛାତ୍ରଛାତ୍ରୀ ମିଶି ବିଭିନ୍ନ ପ୍ରକାର ଚିତ୍ର କରିଛନ୍ତି। ଆଦିବାସୀ ଚଳଣି, ଜୀବନଶୈଳୀ, ପରମ୍ପରା, ପର୍ବ, ନୃତ୍ୟ ଆଦି ମୁଖ୍ୟତଃ ଚିତ୍ର ମାଧ୍ୟମରେ ପ୍ରଦର୍ଶିତ ହୋଇଛି। ଏହାସହ ଓଡ଼ିଶା ତଥା ଓଡ଼ିଆ ଘରର ଝୋଟି ମଧ୍ୟ ଦେଖିବାକୁ ମିଳିଛି।

ଚଳଚ୍ଚିତ୍ର କଥା ଆସିଲେ ନାୟକ ବା ହିରୋଙ୍କ କଥା ଆପେ ଆପେ ମନକୁ ଆସିଯାଏ। ହିରୋ ଦେଖିବାକୁ ସୁନ୍ଦର ହୋଇଥିବ, ଭଲ ନାଚି ପାରୁଥିବ, ଷ୍ଟାଇଲିସ୍‍ ହୋଇଥିବ ଏବଂ ବିଭିନ୍ନ ଆକ୍ସନ୍‍ରେ ଫାଇଟ୍‍ କରୁଥିବ ଇତ୍ୟାଦି। ତେବେ ଗତ କିଛି ବର୍ଷ ହେବ ଏହି ‘ଷ୍ଟାରଡମ୍‍’ ବା ହିରୋ କୈନ୍ଦ୍ରୀକ ଭୂମିକାରେ ବେଶ୍‍ ପରିବର୍ତ୍ତନ ଦେଖିବାକୁ ମିଳୁଛି। ଆଗ ଭଳି ହିରୋମାନଙ୍କ ପାଖରେ ସୁନ୍ଦରତା, ନୃତ୍ୟ କଳା, ଷ୍ଟାଇଲ୍‍ କି ଆକ୍ସନ୍‍ ଆଉ ରହୁନି। ଅର୍ଥାତ୍‍, ଅଭିନୟ ହିଁ ଏବେର ସବୁଠୁ ବଡ଼ ଦିଗ ବୋଲି ବିବେଚନା କରାଯାଉଛି।

ବିଶେଷକରି ଓଟିଟି ବା ଓଭର୍‍ ଦି ଟପ୍‍ (ନେଟ୍‍ଫ୍ଲିକ୍ସ, ଆମାଜନ୍‍ ପ୍ରାଇମ୍‍, ଡିସ୍‍ନୀ ହଟ୍‍ଷ୍ଟାର ଇତ୍ୟାଦି) ଆସିବାର ଅବ୍ୟବହିତ ପୂର୍ବରୁ ‘ଷ୍ଟାରଡମ୍‍’ର ଅର୍ଥ ବଦଳିଯାଇଛି। ତେଣୁ ଏହି ଦିଗ ଉପରେ ବିଶେଷ ଭାବେ ଆଲୋଚନା କରିବା ଲାଗି ଫିଲ୍ମି ଚକ୍କରରେ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଉଛନ୍ତି।

Tags: #IIMC #FilmiChakkar #Education #FilmReview #IIMCDhenkanal

Comment