ଓଡ଼ିଶାଲାଇଭ୍ ବ୍ୟୁରୋ
ବିହାରର ରାଜଗିରରେ ଉଦଘାଟିତ ହୋଇଛି ନାଳନ୍ଦା ବିଶ୍ଵବିଦ୍ୟାଳୟର ନୂଆ କ୍ୟାମ୍ପସ। ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର ଉଦଘାଟନ କରିଛନ୍ତି। ପ୍ରାଚୀନ ନାଳନ୍ଦା ବିଶ୍ଵବିଦ୍ୟାଳୟର ଭଗ୍ନାବଶେଷ ନିକଟବର୍ତ୍ତୀ ଅଞ୍ଚଳରେ ଏହି ନୂଆ କ୍ୟାମ୍ପସ ପ୍ରତିଷ୍ଠା କରାଯାଇଛି।
“ଆଜି ଭାରତର ଶିକ୍ଷା କ୍ଷେତ୍ର ପାଇଁ ଏକ ବିଶେଷ ଦିନ। ବିହାରରେ ଉଦଘାଟିତ ହୋଇଥିବା ନାଳନ୍ଦା ବିଶ୍ୱବିଦ୍ୟାଳୟର ନୂଆ କ୍ୟାମ୍ପସ୍ ଯୁବପିଢ଼ିଙ୍କ ଉଚ୍ଚ ଶିକ୍ଷାର ଆଶା ଆକାଂକ୍ଷାକୁ ପୂରଣ କରିବ। ଆମ ଦେଶର ଗୌରବମୟ ଇତିହାସ ସହିତ ନାଳନ୍ଦା ବିଶ୍ଵବିଦ୍ୟାଳୟର ଏକ ଦୃଢ଼ ସଂଯୋଗ ରହିଛି। ଏବେ ଏହାର ନୂଆ କ୍ୟାମ୍ପସ ଭାରତର ଶିକ୍ଷା କ୍ଷେତ୍ରକୁ ଆହୁରି ଆଗକୁ ନେବ”, କହିଛନ୍ତି ନରେନ୍ଦ୍ର ମୋଦୀ।
ନାଳନ୍ଦା ବିଶ୍ଵବିଦ୍ୟାଳୟ ଭାରତର ପ୍ରାଚୀନ ବିଶ୍ଵବିଦ୍ୟାଳୟ ମଧ୍ୟରୁ ଅନ୍ୟତମ ଥିଲା। ହେଲେ ଆକ୍ରମଣକାରୀମାନେ ଏହାକୁ ଧ୍ଵଂସ କରିଦେଇଥିଲେ। ବିହାରର ନାଳନ୍ଦାରେ ଏହାର ଭଗ୍ନାବଶେଷ ଏବେବି ରହିଛି।
ତେବେ ୨୦୧୬ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନାଳନ୍ଦା ବିଶ୍ଵବିଦ୍ୟାଳୟର ଭଗ୍ନାବଶେଷ ପରିଦର୍ଶନ କରିଥିଲେ। ଏହି ଅବସରରେ ସେ ବିଶ୍ଵବିଦ୍ୟାଳୟର ନୂଆ କ୍ୟାମ୍ପସର ଶିଳାନ୍ଯାସ କରିଥିଲେ।
ବୁଧବାର ନାଳନ୍ଦା ବିଶ୍ଵବିଦ୍ୟାଳୟ ନୂଆ କ୍ୟାମ୍ପସର ଉଦଘାଟନୀ ସମାରୋହରେ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର, ବିହାରର ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର, ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ବିଶ୍ୱବିଦ୍ୟାଳୟର କୁଳପତି ଅରବିନ୍ଦ ପାନଗାରିଆ ପ୍ରମୁଖ ଯୋଗ ଦେଇଥିଲେ।
ଏହାସହ ଅଷ୍ଟ୍ରେଲିଆ, ବାଂଲାଦେଶ, ଭୁଟାନ, ବ୍ରୁନେଇ, ଚୀନ୍, ଇଣ୍ଡୋନେସିଆ ଏବଂ ଭିଏତନାମ ସମେତ ମୋଟ ୧୭ଟି ଦେଶର ରାଜଦୂତମାନେ ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।
Tags: #NalandaUniversity #NewCampus #PMNarendraModi #Education #Bihar #India