ଦୀପାଳି ପ୍ରିୟଦର୍ଶିନୀ ନାୟକ

ସଂଗୀତ ଏବଂ ସସପେନ୍ସରେ ଭରପୁର ଚଳଚ୍ଚିତ୍ର ‘କଲା’ ଦର୍ଶକଙ୍କୁ ବେଶ ମନୋରଞ୍ଜନର ଖୋରାକ ଯୋଗାଉଛି।

ସିନେ ପ୍ରେମୀଙ୍କ ରୁଚିକୁ ଦେଖି ଏବେ ନିର୍ମାଣ କରାଯାଉଛି ଚଳଚ୍ଚିତ୍ର। ଯେଉଁମାନେ ସିମେମା ହଲ ଯାଇ ଚଳଚ୍ଚିତ୍ର ଦେଖିବାର ସୁଯୋଗ ପାଇପାରୁ ନାହାନ୍ତି ସେମାନଙ୍କ ପାଇଁ ଏବେ ଉତ୍ତମ ବିକଳ୍ପ ପାଲଟିଛି ଓଟିଟି ପ୍ଲାଟଫର୍ମ। ଚଳଚ୍ଚିତ୍ର ନିର୍ମାତାମାନେ ମଧ୍ୟ ନିଜ ହଲରେ ରିଲିଜ କରିବା ପରିବର୍ତ୍ତେ ଓଟିଟିରେ ରିଲିଜ କରିବାକୁ ପ୍ରାଥମିକତା ଦେଉଛନ୍ତି। ନିକଟରେ ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସରେ ରିଲିଜ ହୋଇଥିବା ଚଳଚ୍ଚିତ୍ର ‘କଲା’ବେଶ ଚର୍ଚ୍ଚା ସାଉଣ୍ଟିଛି।

ଚଳଚ୍ଚିତ୍ର ‘କଲା’ର ନିର୍ଦ୍ଦେଶନା ଦେଇଛନ୍ତି ଅଭନିତା ଦତ୍ତା। କାଶ୍ମୀରର ସୌନ୍ଦର୍ଯ୍ୟ ଏବଂ ମୁମ୍ବାଇର ସେଟ୍ ସହ ୪୦ ଦଶକର ଗ୍ରାମୋଫୋନ ସଙ୍ଗୀତ ଏବଂ ଫିଲ୍ମ ଇଣ୍ଡଷ୍ଟ୍ରିଜର ରାଜନୀତିକୁ ଏଥିରେ ନିଖୁଣ ଭାବରେ ଦର୍ଶାଯାଇଛି। ମଣିଷ ସମସ୍ତଙ୍କଠାରୁ ଲୁଚିପାରେ, କିନ୍ତୁ ନିଜ ପାପଠାରୁ କେବେ ମୁକୁଳି ପାରେନା। ଏହା ହିଁ ହେଉଛି ଏହି ଚଳଚ୍ଚିତ୍ରର ମର୍ମ।

କଳାକାର ଓ ନିଖୁଣ ଅଭିନୟ

‘ବୁଲବୁଲ’ ଚଳଚ୍ଚିତ୍ର ପରେ ‘କଲା’ରେ ତୃପ୍ତି ଡିମ୍ରି ଦମଦାର ଅଭିନୟ କରିଛନ୍ତି। ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଏହି ଚଳଚ୍ଚିତ୍ରର କାହାଣୀ ତୃପ୍ତିଙ୍କୁ ନେଇ ରହିଛି। ସ୍ୱର୍ଗତ ଅଭିନେତା ଇରଫାନ ଖାନଙ୍କ ପୁଅ ବାବିଲ ଖାନ ଏହି ଚଳଚ୍ଚିତ୍ର ମାଧ୍ୟମରେ ଡେବ୍ୟୁ କରିଛନ୍ତି। ଫିଲ୍ମରେ ଏକ ଛୋଟ ଭୂମିକାରେ ବାବିଲ ନଜର ଆସିଥିଲେ ବି ନିଜ ଅଭିନୟ ଜରିଆରେ ସେ ସମସ୍ତଙ୍କ ମନ କିଣିଛନ୍ତି। କଲାର ବେଙ୍ଗଲି ଚଳଚ୍ଚିତ୍ର ଅଭିନେତ୍ରୀ ସ୍ଵାତିକା ମୁଖାର୍ଜୀଙ୍କର ଭୂମିକା ଗୁରୁତ୍ଵପୂର୍ଣ୍ଣ ରହିଛି। ପ୍ରସିଦ୍ଧ ଲେଖକ ତଥା ହାସ୍ୟ ଅଭିନେତା ବରୁଣ ଗ୍ରୋଭର ମଧ୍ୟ ଏକ ଦମଦାର ଚରିତ୍ରରେ ଅଭିନୟ କରିଛନ୍ତି।

କାହାଣୀ

ଚଳଚ୍ଚିତ୍ରର କାହାଣୀ ଭାରତ ସ୍ୱାଧୀନତା ପୂର୍ବର। ସେ ସମୟରେ କଲିକତାଠାରେ ଫିଲ୍ମ ଇଣ୍ଡଷ୍ଟ୍ରି ଥିଲା। କାହାଣୀଟି ୪୦ ଦଶକର ଜଣେ ସଫଳ ଗାୟିକା କଲାଙ୍କ ଉପରେ ଆଧାରିତ, ଯିଏ ନିଜ ଅତୀତକୁ ନେଇ ସଂଘର୍ଷ କରୁଛନ୍ତି। କଲାର ସଫଳତା ପଛରେ ଲୁଚି ରହିଛି ଅନେକ ରହସ୍ୟ। ଯାହା ତାଙ୍କ ସଙ୍ଗୀତ ଉପରେ ପ୍ରଭାବ ପକାଏ।

ଏଥିସହ କଲାର ପିଲାବେଳର ଜୀବନ ହିମାଚଳ ପ୍ରଦେଶରେ ଅତିବାହିତ ହୋଇଛି। ପିଲାବେଳୁ ମା’ ଉର୍ମିଳାଙ୍କଠାରୁ କଲା ସଙ୍ଗୀତ ଶିଖିଛନ୍ତି। ପିଲାବେଳୁ ହିଁ କଲା ନିଜ ମା’ଙ୍କ ଭଳି ଗୀତ ଗାଇବାକୁ ଚାହୁଁଥିଲେ, କିନ୍ତୁ ଉର୍ମିଳା ଝିଅକୁ କେବେ ଗାୟିକା ଭାବେ ଦେଖିବାକୁ ଚାହିଁନଥିଲେ।

ଠିକ ଏହି ସମୟରେ ତାଙ୍କ ଘରକୁ ଆସିଥାଏ ଜଗନ ନାମକ ଜଣେ ଅନାଥ ପିଲାର ଆଗମନ ହୁଏ। ଜଗନର ସଙ୍ଗୀତ ପ୍ରତି ରହିଥାଏ  ଅହେତୁକ ଆଗ୍ରହ। ଉର୍ମିଳା ଜଗନଙ୍କୁ ଜଣେ ଗାୟକ ଭାବେ ପ୍ରସ୍ତୁତ କରିବାକୁ ପ୍ରୟାସ କରୁଥିଲେ। ଯାହାକୁ ଦେଖି କଲା ଈର୍ଷା କରୁଥିଲେ। ଉର୍ମିଳା ଜଗନଙ୍କୁ କଲିକତାର ଜଣେ ମହାନ ସଙ୍ଗୀତକାରଙ୍କ ସହ ସାକ୍ଷାତ କରାଇବାକୁ ନେଇଯାଆନ୍ତି, କିନ୍ତୁ ସେଠାରେ ଜଗନ ହଠାତ ଅସୁସ୍ଥ ହୋଇପଡ଼ନ୍ତି। ଏହାପରେ ଚଳଚ୍ଚିତ୍ରଟି ଏକ ଭିନ୍ନ ଏକ ମୋଡ଼ ନିଏ। କଲାର କାହାଣୀ କେଉଁଠି ଶେଷ ହୁଏ ଏବଂ ଜଗନ ସହ କ’ଣ ହୁଏ ସେସବୁ ଏହି ଫିଲ୍ମଟିରେ ଦର୍ଶାଯାଇଛି।

ଚଳଚ୍ଚିତ୍ରର ମୁଖ୍ୟ ଆକର୍ଷଣ

ଏହି ଚଳଚ୍ଚିତ୍ରରେ କାଶ୍ମୀରର ସୌନ୍ଦର୍ଯ୍ୟକୁ ଖୁବ ସୁନ୍ଦରଭାବେ ଦର୍ଶାଯାଇଛି। ବରଫ ଆଚ୍ଛାଦିତ ପାହାଡ଼ ଫିଲ୍ମକୁ ଏକ ଭିନ୍ନ ରଙ୍ଗ ଦେଇଛି। ଚଳଚ୍ଚିତ୍ରର ସିନେମାଟୋଗ୍ରାଫି ବହୁତ ସୁନ୍ଦର ହୋଇଛି। ସିନେମାଟିରେ ସଙ୍ଗୀତକୁ ବେଶ ପ୍ରାଧାନ୍ୟ ଦିଆଯାଇଛି। ସମସ୍ତ କଳାକାରଙ୍କ ଲୁକ୍ ଏବଂ ଜୀବନଶୈଳୀ ୪୦ ଦଶକର ଲୁକ୍ ଭଳି ଚିତ୍ରିତ କରାଯାଇଛି। ତୃପ୍ତି ଏବଂ ବାବିଲଙ୍କ ଅଭିନୟ ସମସ୍ତଙ୍କ ହୃଦୟରେ ଘର କରିଛି।

କାହିଁକି ଦେଖିବେକଲା’?

ବଲିଉଡର ଚିରାଚରିତ କମେଡି ଏବଂ ଡ୍ରାମା ସିନେମାଠାରୁ ଟିକେ ହଟକେ ରହିଛି ‘କଲା’। ଭାରତୀୟ ସିନେମାରେ ସାଧାରଣତଃ ଲୋକେ ମସାଲା ଦେଖିବାକୁ ପସନ୍ଦ କରନ୍ତି। କିନ୍ତୁ ବର୍ତ୍ତମାନ ଓଟିଟି ପ୍ଲାଟଫର୍ମ ଲୋକମାନଙ୍କର ଦୃଷ୍ଟିକୋଣକୁ ପରିବର୍ତ୍ତନ କରିଛି। କହିବାକୁ ଗଲେ କୋଭଡି ପରେ ଦର୍ଶକଙ୍କର ଟେଷ୍ଟ ବଦଳିଛି। କେବଳ ମନୋରଞ୍ଜନ ନୁହେଁ ଏବେ ଦର୍ଶକ କାହାଣୀ ଉପରେ ବିଶେଷ ଗୁରୁତ୍ଵ ଦେଉଛନ୍ତି। ଦର୍ଶକଙ୍କ ପସନ୍ଦ ଅନୁଯାୟୀ ଏବେ ଓଟିଟି ପ୍ଲାଟଫର୍ମରେ ଚଳଚ୍ଚିତ୍ର ଆସୁଛି। କଲାରେ ରହିଛି ଜବରଦସ୍ତ କାହାଣୀ, ସିନେମାଟୋଗ୍ରାଫି, ମ୍ୟୁଜିକ ଏବଂ ଦମଦାର ସ୍କ୍ରିନପ୍ଲେ। କଳା ଏବଂ ସଙ୍ଗୀତକୁ ପସନ୍ଦ କରୁଥିବା ଦର୍ଶକମାନଙ୍କୁ ଏହି ଚଳଚ୍ଚିତ୍ରଟି ନିଶ୍ଚିତ ଭାବେ ପସନ୍ଦ ଆସିବ।

Tags: #Entertainment #Movie #Qala #HindiFilm #OTTPlatform #FilmReview

Comment