କପିଳାସ ଭୂୟାଁ

ଆମ ଦେଶରେ ଜୀବନଯାପନ ପାଇଁ ଅନୁକୂଳ ପରିସ୍ଥିତି ଥିବା ସହରଗୁଡ଼ିକର ତାଲିକାରେ ୧୮ତମ ସ୍ଥାନରେ ରହିଛି ଭୁବନେଶ୍ଵର। ଧୀରେ ଧୀରେ ଆମ ରାଜଧାନୀ ଭୁବନେଶ୍ଵରକୁ ଗୋଟିଏ ସ୍ମାର୍ଟ ସିଟିରେ ପରିଣତ କରିବାକୁ ସରକାରଙ୍କ ପକ୍ଷରୁ ଜୋରସୋର ଉଦ୍ୟମ କରାଯାଉଛି। ସବୁ ମୁଖ୍ୟ ରାସ୍ତାଗୁଡ଼ିକୁ ଚଉଡା କରାଯାଉଛି। ତଥାପି ବେଳେ ବେଳେ ଟ୍ରାଫିକ ଜାମ ଅଥୟ କରିଦେଉଛି। ଏହାର ମୁଖ୍ୟ କାରଣ ଗତ ପ୍ରାୟ ଦୁଇ ଦଶନ୍ଧି ଭିତରେ ଚାରି ଚକିଆ ଓ ଦୁଇ ଚକିଆ ଯାନର ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇଛି।

ଏବେ ସ୍ମାର୍ଟ ସିଟି ବାସିନ୍ଦାମାନେ ଗାଡି ସଂଖ୍ୟାର ଏହି ଆଶାତୀତ ବୃଦ୍ଧି ଯୋଗୁ ମୁଖ୍ୟତଃ ଦୁଇ ପ୍ରକାର ସମସ୍ୟା ଭିତରେ ପେଶି ହୋଇ ଯାଉଛନ୍ତି। ଗୋଟିଏ ହେଲା ଟ୍ରାଫିକ ଜାମ ଓ ଅନ୍ୟଟି ହେଲା ଗାଡିଗୁଡିକର ପାର୍କିଂ। କାଳ କ୍ରମେ ଏହି ସମସ୍ୟା ଦୁଇଟି ବଢିବ ସିନା ନିକଟ ଭବିଷ୍ୟତରେ ଏହା କମିବାର କୌଣସି ସମ୍ଭାବନା ଦେଖା ଯାଉନାହିଁ।

ଏବେ ଅବଶ୍ୟ ସହରାଞ୍ଚଳରେ ଯାତାୟାତ ପାଇଁ ‘ମୋ ବସ’ ସେବା ଯୋଗାଇ ଦିଆ ଯାଇଛି। କିନ୍ତୁ ଏହା ପୂର୍ବରୁ କ୍ରମବର୍ଦ୍ଧିଷ୍ଣୁ ସହର ମଧ୍ୟରେ ଯାତାୟତର ପର୍ଯ୍ୟାପ୍ତ ସୁବିଧା ନଥିବା ଯୋଗୁ କତିପୟ ଟାଉନ ବସରେ ଠେଲା ପେଲା କିମ୍ବା ଅଟୋ ରିକ୍ସାବାଲାଙ୍କ ଦୌରାତ୍ମ୍ୟରୁ ତ୍ରାହି ପାଇବା ଓ ସୁବିଧାରେ ଯିବା ଆସିବା କରିବା ପାଇଁ ଲୋକେ ଦୁଇ ଚକିଆ ଯାନଟିଏ ହେଉ ବା ଛୋଟ କାର ଖଣ୍ଡିଏ ଖଣ୍ଡିଏ କିଣିବାକୁ ଉଚିତ ମନେ କଲେ। ସେତେବେଳେ ଉଭୟ ରାଷ୍ଟ୍ରାୟତ୍ତ ଓ ଘରୋଇ ବ୍ୟାଙ୍କଗୁଡିକ ପକ୍ଷରୁ ଗାଡି କିଣିବା ପାଇଁ ସହଜରେ କିସ୍ତିୱାରୀ ଋଣ ମଧ୍ୟ ଯୋଗାଇ ଦିଆଗଲା। ଲୋକଙ୍କ ମନ ଖୁସ। କିନ୍ତୁ ମନ ଖୁସି ଠାରୁ ଏବେ ବଳି ଯାଉଛି ଟ୍ରାଫିକ ଜାମର ଯନ୍ତ୍ରଣା।

ଟ୍ରାଫିକ ଜାମ ସମସ୍ୟା ସୁଧାରିବା ପାଇଁ ଚଉଡା ରାସ୍ତା ତିଆରି କରିବା ଦରକାର ପଡେ। ସରକାର ମଧ୍ୟ ମହା ଆଗ୍ରହରେ ସେହି ଦାୟିତ୍ଵଟିକୁ ତୁଲାଇଥାନ୍ତି। ରାତାରାତି ଶହ ଶହ ବର୍ଷର ପୁରୁଣା ଗଛ କାଟି ରାସ୍ତା ଚଉଡା କାମ କରାଯାଏ। ସିଂଗଲ ରାସ୍ତାକୁ ଦୋହରା, ଓ ତା’ ପରେ ଚାରି ଧାଡିଆ କି ଛ’ ଧାଡିଆ ରାସ୍ତାରେ ପରିଣତ କରାଯାଏ। ଏଭଳି ଆଖି ଦୃଶିଆ କାମ କରିବାକୁ ସବୁ ସରକାର ଭଲ ପାଆନ୍ତି, କାରଣ ଏହା ସରକାର ଜନହିତକର କାର୍ଯ୍ୟ କରୁଛନ୍ତି ବୋଲି ଧାରଣା ସୃଷ୍ଟି କରେ। କିନ୍ତୁ ବାସ୍ତବରେ ଏହା ଦ୍ଵାରା ଠିକାଦାର-ଇଞ୍ଜିନିୟର ଓ ସେମାନଙ୍କର ରାଜନୈତିକ ପୃଷ୍ଠପୋଷକମାନେ ମାଲାମାଲ ହୁଅନ୍ତି। କିନ୍ତୁ ମୂଳ ସମସ୍ୟାଟିର କୌଣସି ସମାଧାନ ହୋଇପାରେ ନାହିଁ।

ଗାଡ଼ି ମଟର ଯାତାୟାତ ପାଇଁ ରାସ୍ତା ଯଥେଷ୍ଟ ହୁଏ ନାହିଁ। ଟ୍ରାଫିକ ନିୟମ ମାନିବାକୁ କାହାର ସାମାନ୍ୟ ଆଗ୍ରହ ନାହିଁ। ଟ୍ରାଫିକ ଛକ ଗୁଡିକରେ ପଦଚାରୀମାନଙ୍କ ପାଇଁ ଉଦ୍ଧିଷ୍ଟ ଜେବ୍ରା କ୍ରସିଂ ପୂର୍ବରୁ ଥିବା ଦୁଇଟି ଗାର ପୂର୍ବରୁ ଗାଡି ଅଟକାଇବା ନିୟମ ହୋଇଥିବା ବେଳେ ଅଧିକାଂଶ ଗାଡ଼ି ଚାଳକମାନେ ଜେବ୍ରା କ୍ରସିଂ ଉପରେ ଗାଡି ଅଟକାଇବା ଆମ ରାଜଧାନୀରେ ଏକ ସାଧାରଣ ଦୃଶ୍ୟ। ଏହି ତ୍ରୁଟି ସୁଧାରିବା ପାଇଁ ଦାୟିତ୍ଵରେ ଥିବା ଟ୍ରାଫିକ ପୋଲିସ କୌଣସି ପଦକ୍ଷେପ ନେଲେ କିଛି ଲୋକ ସେମାନଙ୍କ ସହ ହାତାହାତି ହେବାକୁ ମଧ୍ୟ ପଛଉ ନାହାନ୍ତି। କିନ୍ତୁ ଏବେ ନୂଆ ଟ୍ରାଫିକ କଟକଣା ଲାଗୁ ହେଲା ପରେ ସ୍ଥିତିରେ ସାମାନ୍ୟ ଉନ୍ନତି ହେଉଥିବା ଦେଖିବାକୁ ମିଳୁଛି।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ତଥା ଜାତୀୟ ପୁରସ୍କାରପ୍ରାପ୍ତ ଚଳଚିତ୍ର ନିର୍ଦ୍ଦେଶକ)

LEAVE A REPLY

Please enter your comment!
Please enter your name here