ଓଡ଼ିଶାଲାଇଭ୍ ବ୍ୟୁରୋ
ସରକାରଙ୍କର ଚାରି ବର୍ଷ ପୂର୍ତ୍ତି ଅବସରରେ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ କାର୍ଯ୍ୟର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
- ଏସ୍.ଟି, ଏସ୍.ସି ଛାତ୍ରଛାତ୍ରୀଙ୍କୁ ଆବାସିକ ସୁବିଧା
- ୪ ବର୍ଷ ମଧ୍ୟରେ ୧୮୦୦ଟି ନୂଆ ହଷ୍ଟେଲ୍ କାର୍ଯ୍ୟକ୍ଷମ
- ଉନ୍ନତ ମାନର ଶିକ୍ଷା ନିମନ୍ତେ ‘ଅନ୍ଵେଷା’ ଯୋଜନା ଶୁଭାରମ୍ଭ
- ‘ଆକାଂକ୍ଷା’ ଯୋଜନାରେ ଭୁବନେଶ୍ଵରଠାରେ ଦୁଇଟି ଛାତ୍ରାବାସ
ସମୀକ୍ଷା ବୈଠକ ପରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ହୋଇଥିଲା। ଏଥିରେ ବିଭାଗର ବିଭିନ୍ନ ଜନକଳ୍ୟାଣକାରୀ ଯୋଜନା ସମ୍ପର୍କରେ ଅବଗତ କରାଯାଇଥିଲା। ସାମ୍ବାଦିକ ସମ୍ମିଳନୀରେ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି, ସଂଖ୍ୟାଲଘୁ ଓ ପଛୁଆବର୍ଗ ସମ୍ପ୍ରଦାୟ ମନ୍ତ୍ରୀ ରମେଶ ମାଝି, ସଚିବ ଆର୍ ରଘୁପ୍ରସାଦ, ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର, ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ ଲକ୍ଷ୍ମୀଧର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।
ସୂଚନା ଓ ଲୋକସମ୍ପର୍କ ବିଭାଗ ସୌଜନ୍ୟରୁ ପ୍ରାପ୍ତ ପ୍ରେସନୋଟ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି, ସଂଖ୍ୟାଲଘୁ ଓ ପଛୁଆବର୍ଗଙ୍କ କଲ୍ୟାଣ ନିମନ୍ତେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ। ଏହି ସମ୍ପ୍ରଦାୟଗୁଡ଼ିକର ବିକାଶ ନିମନ୍ତେ ରାଜ୍ୟ ସରକାର ଅଗ୍ରାଧିକାର ଭିତ୍ତିରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ସେମାନଙ୍କର ସାମଗ୍ରିକ ବିକାଶ ନିମନ୍ତେ ଅନେକ ତ୍ଵରିତ ପଦକ୍ଷେପ ଗ୍ରହଣ କରାଯାଇଛି।
ଏସ୍.ଟି, ଏସ୍.ସି ଛାତ୍ରଛାତ୍ରୀମାନଙ୍କର ଗୁଣାତ୍ମକ ଶିକ୍ଷା ଉପରେ ଅଧିକ ପ୍ରାଧାନ୍ୟ ଦିଆଯାଉଛି। ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାୟ ୧୭୩୨ଟି ଆବାସିକ ବିଦ୍ୟାଳୟରେ ୬ ହଜାର ୨୦୦ରୁ ଅଧିକ ହଷ୍ଟେଲରେ ୫ଲକ୍ଷ ୬୭ ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କୁ ମାଗଣାରେ ରହିବା, ଖାଇବା ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦିଆଯାଇଛି। ରାଜ୍ୟର ନିଜ ସମ୍ବଳରୁ ଏସ୍.ଟି, ଏସ୍.ସି ଛାତ୍ରଛାତ୍ରୀଙ୍କୁ ଆବାସିକ ସୁବିଧା ଯୋଗାଇଦେବାରେ ଓଡ଼ିଶା ବେଶ୍ ଆଗୁଆ।
ଗତ ୪ ବର୍ଷ ହେଲା ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ୧୮୦୦ଟି ନୂଆ ହଷ୍ଟେଲ୍ କାର୍ଯ୍ୟକ୍ଷମ ହୋଇଛି। ଏହାଦ୍ଵାରା ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବର୍ଗର ଛାତ୍ରଛାତ୍ରୀଙ୍କ ଆବାସିକ ଶିକ୍ଷାଦାନ କ୍ଷେତ୍ରରେ ବୃଦ୍ଧି ଘଟିଛି। ଆଉ ଅଧିକ ୭୦୦ଟି ହଷ୍ଟେଲର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି।
ଆଉ ମଧ୍ୟ ୮୩ଟି ନୂଆ ଉଚ୍ଚ ବିଦ୍ୟାଳୟ, ୪୦ଟି ନୂଆ ଯୁକ୍ତ-୨ ମହାବିଦ୍ୟାଳୟ, ୧୪ଟି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ, ୧୦ଟି କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟ ଏବଂ ଗୋଟିଏ ବୃହତ୍ ସହରାଞ୍ଚଳ ଏଜୁକେସନ୍ କମ୍ପ୍ଲେକ୍ସ ବା ବିଜୁ ପଟ୍ଟନାୟକ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି।
୨୦୧୫-୧୬ ଆର୍ଥିକ ବର୍ଷରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତିର ଛାତ୍ରଛାତ୍ରୀମାନଙ୍କୁ ଉନ୍ନତ ମାନ ଶିକ୍ଷାର ସୁଯୋଗ ଯୋଗାଇଦେବା ନିମନ୍ତେ ରାଜ୍ୟ ସରକାର “ଅନ୍ଵେଷା’ ନାମକ ଏକ ଯୁଗାନ୍ତକାରୀ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାରେ ପ୍ରାୟ ୧୭ଟି ଜିଲ୍ଲାର ୧୪୨ଟି ସର୍ବୋତ୍କୃଷ୍ଟ ଇଂରାଜୀ ମାଧ୍ୟମ ବିଦ୍ୟାଳୟଗୁଡ଼ିକରେ ପ୍ରାୟ ୧୯ ହଜାର ଛାତ୍ରଛାତ୍ରୀମାନଙ୍କର ସମସ୍ତ ଖର୍ଚ୍ଚ ଯଥା-ବିଦ୍ୟାଳୟ ଫି, ୟୁନିଫର୍ମ, ପୁସ୍ତକ ସହିତ ଛାତ୍ରାବାସ ଇତ୍ୟାଦିର ବ୍ୟୟ ରାଜ୍ୟ ସରକାର ବହନ କରୁଛନ୍ତି।
ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବର୍ଗର ଛାତ୍ରଛାତ୍ରୀମାନେ ସହରାଞ୍ଚଳରେ ରହି ଉଚ୍ଚଶିକ୍ଷା ଲାଭ କରିବା ନିମନ୍ତେ ରାଜ୍ୟ ସରକାର ସହରାଞ୍ଚଳରେ ଛାତ୍ରାବାସ ନିର୍ମାଣ ସ୍ଵରୂପ ଏକ ଅଭିନବ ପ୍ରକଳ୍ପ “ଆକାଂକ୍ଷା’ର ଶୁଭାରମ୍ଭ କରି ଭୁବନେଶ୍ଵରଠାରେ ଦୁଇଟି ଛାତ୍ରାବାସ ନିର୍ମାଣ କରିଛନ୍ତି। ଏହି ଛାତ୍ରାବାସଗୁଡ଼ିକରେ ମାଗଣାରେ ରହିବା, ଖାଇବା ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦିଆଯାଇଛି। ପ୍ରାୟ ଏକହଜାର ଛାତ୍ରଛାତ୍ରୀ ଏହି ଛାତ୍ରାବାସରେ ରହି ଯୁକ୍ତ-୨, ସ୍ନାତକ, ସ୍ନାତକୋତ୍ତର, ବୈଷୟିକ ଓ ବୃତ୍ତିଗତ (ପ୍ରଫେସନାଲ) ପାଠ୍ୟକ୍ରମରେ ଶିକ୍ଷାଲାଭ କରୁଛନ୍ତି। ନୂତନ ଭାବେ ବ୍ରହ୍ମପୁର, ସମ୍ବଲପୁର ଓ ରାଉରକେଲାଠାରେ ହଷ୍ଟେଲ୍ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି।
ଆଦିବାସୀ ସମ୍ପ୍ରଦାୟର ଜୀବନଜୀବିକା ନିର୍ବାହର ଅଭିବୃଦ୍ଧି ନିମନ୍ତେ ରାଜ୍ୟ ସରକାରଙ୍କ ଦ୍ଵାରା ପରିଚାଳିତ ଓଡ଼ିଶା ଆଦିବାସୀ ସଶକ୍ତିକରଣ ଓ ଜୀବିକାନିର୍ବାହ କାର୍ଯ୍ୟକ୍ରମ (ଓଟିଇଏଲ୍ପି) ବେଶ୍ ସଫଳ ହୋଇଛି। ଏହି କାର୍ଯ୍ୟକ୍ରମର ସଫଳତାକୁ ଭିତ୍ତି କରି ଏଟିଇଏଲପି ପ୍ଲସ୍ କାର୍ଯ୍ୟକ୍ରମକୁ ୧୦ଟି ଜିଲ୍ଲାରେ କାର୍ଯ୍ୟକାରୀ କରାଯାଉଛି। ଏହା ଦ୍ଵାରା ୨୬୯୫ଟି ଗ୍ରାମର ୧ ଲକ୍ଷ ୪୨ ହଜାର ପରିବାର ଉପକୃତ ହେଉଛନ୍ତି।
ଓଡ଼ିଶା ଆଦିମ ଜନଜାତି ସଶକ୍ତିକରଣ ଓ ଜୀବିକାନିର୍ବାହ ଉନ୍ନତିକରଣ ଯୋଜନା (ଓପିଇଏଅଲ୍ଆଇପି) ବିଶେଷତଃ ୧୩ଟି ଆଦିମ ଜନଜାତି ଗୋଷ୍ଠୀଙ୍କର ବିକାଶ ନିମନ୍ତେ କରାଯାଇଛି। ଏହି ପ୍ରୋଜେକଟ ଦ୍ଵାରା ୬୨ ହଜାର ପରିବାର ୧୭ଟି ଅଣୁ ପ୍ରକଳ୍ପ ଅଞ୍ଚଳରେ ୭୯୫ କୋଟି ଟଙ୍କା ବ୍ୟୟରେ ଉପକୃତ ହେବା ପାଇଁ ଲକ୍ଷ୍ୟ ରଖାଯାଇଛି। ଓପିଇଏଲ୍ଆଇପି କାର୍ଯ୍ୟକ୍ରମ ୨୦୨୩-୨୪ ଆର୍ଥିକ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ।
ଅନ୍ତର୍ଭୁକ୍ତି ଅଭିବୃଦ୍ଧିକୁ ତ୍ଵରାନ୍ଵିତ କରିବା ପାଇଁ ଓ ପ୍ରଶାସନର ବିକେନ୍ଦ୍ରୀକରଣକୁ ଆହୁରି ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ୯ଟି ଆଦିବାସୀ ପ୍ରବଣ ଜିଲ୍ଲାରେ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଗଠନ କରାଯାଇଛି। ଯେତେ କ୍ଷୁଦ୍ର ଜନଜାତି ଗୋଷ୍ଠୀ ହେଲେ ମଧ୍ୟ ଏହି ପରିଷଦରେ ସେ ପ୍ରତିନିଧିତ୍ଵ କରୁଛନ୍ତି। ଏହି ପରିଷଦରେ ପ୍ରତିନିଧିତ୍ଵ କରୁଥିବା ସମସ୍ତ ଜନଜାତିଙ୍କର ସଂସ୍କୃତିର ସଂରକ୍ଷଣ ଓ ପରିପ୍ରସାର, ପ୍ରଜାତିକ ପରିଚିତିର ସ୍ଥିତାବସ୍ଥା ବଜାୟ ରଖିବା ନିମନ୍ତେ ଏହି ପରିଷଦ କାର୍ଯ୍ୟ କରିବ। ଆଦିବାସୀ ଭାଷା ଓ ଉପଭାଷା ଜନଜାତିଙ୍କ ପବିତ୍ରସ୍ଥଳୀ ଓ ଶ୍ମଶାନ ସ୍ଥଳର ବିକାଶ, ଜନଜାତି କ୍ରୀଡାର ପ୍ରସାର, ସଂସ୍କୃତି, ସଙ୍ଗୀତ ଓ ନୃତ୍ୟର ସଂରକ୍ଷଣ ନିମନ୍ତେ ପାଣ୍ଠିର ସଦୁପଯୋଗ କରାଯିବ। ଏହି ଉଦ୍ଦେଶ୍ୟରେ ପ୍ରତ୍ୟେକ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ବ୍ଲକକୁ ୧ କୋଟି ୫୦ ଲକ୍ଷ ଟଙ୍କା ପ୍ରଦାନ କରାଯିବ।
ରାଜ୍ୟ ସରକାର ସଂଖ୍ୟାଲଘୁ ଛାତ୍ରଛାତ୍ରୀଙ୍କ ଆବାସିକ ସୁବିଧା ଯୋଗାଇଦେବା ନିମନ୍ତେ ୨୦୧୬-୧୭ ବର୍ଷରେ ରାଜ୍ୟ ସରକାର ଏକ ନୂତନ ଯୋଜନା ଆରମ୍ଭ କରିଛନ୍ତି। ସେହି ଯୋଜନା ଅନୁଯାୟୀ ୪ ହଜାର ଛାତ୍ରଛାତ୍ରୀଙ୍କ ରହିବା ପାଇଁ ୪୦ଟି ହଷ୍ଟେଲ୍ ମଞ୍ଜୁର କରାଯାଇଛି।
ସଂଖ୍ୟାଲଘୁ ସମ୍ପ୍ରଦାୟ ଜନସାଧାରଣଙ୍କ ନିମନ୍ତେ ସଂଖ୍ୟାବହୁଳ ସଂଖ୍ୟାଲଘୁ ବାସ କରୁଥିବା ଗ୍ରାମମାନଙ୍କରେ ୧୦୦ଟି ବହୁମୁଖୀ କମ୍ୟୁନିଟି କମ୍ କଲଚରାଲ ସେଣ୍ଟର ନିର୍ମାଣ କରାଯାଇଛି। ପୁଣି ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ପାଇଁ ଥିବା ୧୦୦ଟି ଶିକ୍ଷାନୁଷ୍ଠାନକୁ ଭିତ୍ତିଭୂମି ଓ ଶିକ୍ଷାର ବିକାଶ ନିମନ୍ତେ ୬ଲକ୍ଷ ଲେଖାଏଁ ପ୍ରତି ସଂସ୍ଥାନକୁ ଯୋଗାଇ ଦିଆଯାଇଛି। ଏହି ଅର୍ଥ ଅନୁଷ୍ଠାନର ଶ୍ରେଣୀଗୃହ କମ୍ପ୍ୟୁଟର ଲାବ୍, ଲାଇବ୍ରେରୀ, ଲାବ୍ ଯନ୍ତ୍ରପାତି ଓ ଅନ୍ୟାନ୍ୟ ବାବଦରେ ବ୍ୟୟ କରାଯିବ।
ରାଜ୍ୟ ସରକାର ଅନ୍ୟାନ୍ୟ ପଛୁଆବର୍ଗ ଏବଂ ସାମାଜିକ ଓ ଆର୍ଥିକ ଅନଗ୍ରସର ବର୍ଗର ଛାତ୍ରଛାତ୍ରୀମାନଙ୍କର ଆବାସିକ ସୁବିଧା ନିମନ୍ତେ ନୂତନ ଯୋଜନା ଆରମ୍ଭ କରିଛନ୍ତି। ଏହାଦ୍ଵାରା ସେମାନେ ସରକାରୀ ଓ ସରକାରୀ ସ୍ଵୀକୃତିପ୍ରାପ୍ତ ଶିକ୍ଷାନୁଷ୍ଠାନରେ ଉଚ୍ଚଶିକ୍ଷାର ସୁଯୋଗ ପାଇପାରିବେ। ଏଥିନିମନ୍ତେ ୧୦ ହଜାର ଓବିସି/ଏସ୍ଇବିସି ଛାତ୍ରଛାତ୍ରୀଙ୍କ ନିମନ୍ତେ ୧୦୦ଟି ହଷ୍ଟେଲ୍ ମଞ୍ଜୁର କରାଯାଇଛି। ଏହି ହଷ୍ଟେଲଗୁଡ଼ିକ ରାଜ୍ୟର ୧୪ଟି ବୃହତ୍ତ ସହରାଞ୍ଚଳ ଏଜୁକେସନାଲ୍ ହବରେ ନିର୍ମାଣ କରାଯିବ।
ଦେଶରେ ଜଙ୍ଗଲ ଅଧିକାର ଆଇନ କାର୍ଯ୍ୟକାରିତାରେ ଓଡ଼ିଶା ପ୍ରମୁଖ ସ୍ଥାନ ଗ୍ରହଣ କରିଛି। ରାଜ୍ୟ ସରକାର ଏଫ୍ଆରଏ ପରିସରରେ ଏ ପର୍ଯ୍ୟନ୍ତ ୪ ଲକ୍ଷ ୧୫ ହଜାରରୁ ଅଧିକ ବ୍ୟକ୍ତିଗତ ଜଙ୍ଗଲ ଅଧିକାର ସତ୍ତ୍ଵ ପ୍ରଦାନପୂର୍ବକ ଜନଜାତି ହିତାଧିକାରୀଙ୍କୁ ୬ଲକ୍ଷ ୧୫ ହଜାର ଏକରର ଜଙ୍ଗଲ ଜମି ପ୍ରଦାନ କରିଛନ୍ତି। ସେହିପରି ରାଜ୍ୟରେ ୬ ହଜାର ୩୦୦ରୁ ଅଧିକ ଗୋଷ୍ଠୀଗତ ଅଧିକାର ପ୍ରଦାନ କରିଛନ୍ତି।
ମାନ୍ୟବର ମୁଖ୍ୟମନ୍ତ୍ରୀ କହିଲେ ଯେ, ରାଜ୍ୟ ସରକାରଙ୍କ ଦ୍ଵାରା ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି, ସଂଖ୍ୟାଲଘୁ ଓ ପଛୁଆବର୍ଗ ସମ୍ପ୍ରଦାୟର କଲ୍ୟାଣ ନିମନ୍ତେ କାର୍ଯ୍ୟକାରୀ ହେଉଥିବା ତ୍ଵରିତ ଯୋଜନାଗୁଡ଼ିକ ସେମାନଙ୍କ ସାମାଜିକ ଓ ଅର୍ଥନୈତିକ ଜୀବନରେ ଦ୍ରୁତ ପରିବର୍ତ୍ତନ ଆଣିପାରିବ ଏବଂ ଆଧୁନିକ ଓଡ଼ିଶା ଗଠନ ନିମନ୍ତେ ସେମାନଙ୍କୁ ସଶକ୍ତ ଓ ସମର୍ଥ କରିପାରିବ। ନିର୍ଦ୍ଦିଷ୍ଟ ସମୟ ଅବଧି ମଧ୍ୟରେ ବିଭାଗ ଏହି କଲ୍ୟାଣକାରୀ ଯୋଜନାଗୁଡ଼ିକୁ କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।