ଓଡ଼ିଶାଲାଇଭ୍ ବ୍ୟୁରୋ
କୋଣାର୍କରେ ଜଣେ ମାନସିକ ଅନଗ୍ରସର ମହିଳାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ଅଭିଯୋଗ ଆସିଛି। ମହିଳାଙ୍କୁ ଦୁର୍ବୃତ୍ତମାନେ ବଳାତ୍କାର ପରେ ନିର୍ମମ ଭାବେ ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି।
ପୁରୀ ଜିଲ୍ଲା କୋଣାର୍କ ବଜାରର ମେଡିକାଲ ଛକ ନିକଟରେ ଥିବା ଜଗନ୍ନାଥ ମନ୍ଦିର ସାମନାରେ ଥିବା ଏକ ପାନ ଦେକାନ ସମ୍ମୁଖର ଜଣେ ମହିଳାଙ୍କ ଉଲଗ୍ନ ମୃତଦେହ ପୁଲିସ ଜବତ କରିଛି। ବିଶ୍ୱପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ କୋଣାର୍କ ମନ୍ଦିରଠାରୁ ମାତ୍ର ୧୦୦ମିଟର ଦୂର ରାଜାରାମ ମନ୍ଦିର ନିକଟରେ ଘଟିଛି ଏଭଳି କୁତ୍ସିତ ଘଟଣା। ମହିଳାଙ୍କୁ ଦୁର୍ବୃତ୍ତମାନେ ବଳାତ୍କାର ପରେ ନିର୍ମମ ଭାବେ ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି।
ମଙ୍ଗଳବାରଦିନ ସକାଳୁ ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଚର୍ଚ୍ଚା ହେଉଛି। ତେବେ ମହିଳା ଜଣକ ମାନସିକ ବିକୃତ ହୋଇଥିବା ବେଳେ ଏହି ଘଟଣା ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ କୋଣାର୍କ ରାଜାରାମ ମନ୍ଦିର ନିକଟରେ ମାନସିକ ଅନଗ୍ରସର ମହିଳା ଜଣକ ଦୀର୍ଘଦିନ ଧରି ରହିଆସୁଥିଲେ। ଗତକାଲି ବିଳମ୍ବିତ ରାତ୍ରିରେ ନିଶାସକ୍ତମାନେ ଏଭଳି କାଣ୍ଡ ଭିଆଇଥିବା ସନ୍ଦେହ କରାଯାଉଛି। କୋଣାର୍କ ପୁଲିସ ଶବକୁ ଜବତ କରିଛି। ଘଟଣାସ୍ଥଳରେ ମଦ ବୋତଲ, ଗ୍ଲାସ ଏବଂ ମହିଳାଙ୍କ ସମସ୍ତ ଜିନିଷ ଚାରିଆଡ଼େ ବିଛେଇ ହୋଇ ପଡ଼ିଛି।
ଏ ନେଇ କୋଣାର୍କ ପୁଲିସ ନିଜଆଡୁ ଏକ ମାମଲା ରୁଜ୍ଜୁକରି ସାଇଣ୍ଟିଫିକ୍ ଟିମ୍ ସହାୟତାରେ ତଦନ୍ତ ଜାରି ରଖିଥିବା କୋଣାର୍କ ଥାନାଧିକାରୀ ସଞ୍ଜିବ କୁମାର ପ୍ରଧାନ ସୂଚନା ଦେଇଛନ୍ତି।
ଗତ କିଛି ଦିନ ହେବ ପ୍ରାୟ ୪୫-୫୦ ବର୍ଷ ହେବ ଜଣେ ମାନସିକ ବିକୃତ ମହିଳା ଜଗନ୍ନାଥ ମନ୍ଦିର ସାମନାରେ ଦୀର୍ଘ ସମୟ ଧରି ବସୁଥଲେ। ମହିଳାଙ୍କ ଶରୀରରେ କୌଣସି କପଡ଼ା ନ ଥିବାରୁ ତାଙ୍କୁ ହତ୍ୟା ପୂର୍ବରୁ ଦୁଷ୍କର୍ମ କରାଯାଇଥିବା ସନ୍ଦେହ କରାଯାଉଛି।
“ମହିଳାକୁ ହତ୍ୟା ଓ ଦୁଷ୍କର୍ମ କରାଯାଇଥିବା ସମ୍ଭାବନାକୁ ଏଡ଼ାଇ ଦେଇ ହେବ ନାର୍ହିଁ। ତେବେ ପ୍ରାଥମିକ ତଦନ୍ତ ସହିତ ଶବ ବ୍ୟବଛେଦ ରିପୋର୍ଟର୍ ମିଳିବା ପରେ ସ୍ପଷ୍ଟ ହେବ”, କହିଛନ୍ତି ଏସପି ସାର୍ଥକ ଷଡଙ୍ଗୀ।



















