ଓଡ଼ିଶାଲାଇଭ୍ ବ୍ୟୁରୋ

- ତାମିଲନାଡୁରେ ପୋଲିସ-ଜନତା ଖଣ୍ଡଯୁଦ୍ଧ
- ବେଦାନ୍ତକୁ ବିରୋଧ କରି ତିନି ମାସ ହେଲା ଚାଲିଥିଲା ଆନ୍ଦୋଳନ
- ଆଜି ଏକାଠି ହୋଇଥିଲେ ୨୦ ହଜାରରୁ ଅଧିକ ବିକ୍ଷୋଭକାରୀ
- ବିକ୍ଷୋଭକାରୀଙ୍କୁ ଗୁଳି
- ରାହୁଲ ଗାନ୍ଧିଙ୍କ ନିନ୍ଦା
ତାମିଲନାଡୁର ତୁତିକୋରିନ ଅଞ୍ଚଳ ପାଲଟିଲା ରଣକ୍ଷେତ୍ର। ମୁହାଁମୁହିଁ ହେଲେ ବିକ୍ଷୋଭକାରୀ ଏବଂ ପୋଲିସ। ପୋଲିସର ଲାଠିମାଡ଼ରେ ୧୧ ବିକ୍ଷୋଭକାରୀପ୍ରାଣ ହରାଇଛନ୍ତି। ବେଦାନ୍ତର ଷ୍ଟେରେଲାଇଟ କପର ୟୁନିଟକୁ ବିରୋଧ କରୁଥିବା ଲୋକଙ୍କ ଉପରେ ପୋଲିସ ଆଜି ଅମାନୁଷିକ ଭାବେ ପ୍ରହାର କରିବା ସହ ଆଖିବୁଜା ଗୁଳି ଚାଳନା କରିଛି।
ତାମିଲନାଡୁର ତୁତିକୋରିନରେ ବେଦାନ୍ତ ଷ୍ଟେରେଲାଇଟ କପ୍ପର ୟୁନିଟକୁ ବନ୍ଦ କରିବା ପାଇଁ ତିନି ମାସ ହେଲା ଆନ୍ଦୋଳନ ଚାଲିଥିଲା। ଏହି ପ୍ଲାଣ୍ଟ ଯୋଗୁଁ ସମଗ୍ର ଅଞ୍ଚଳର ପରିବେଷ ପ୍ରଦୂଷିତ ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରୁଥିଲେ। କିନ୍ତୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉ ନଥିଲା। ଫଳରେ ମଙ୍ଗଳବାର ଏହି ଆନ୍ଦୋଳନ ଉଗ୍ରରୂପ ଧାରଣ କରିଥିଲା। ପ୍ରାୟ ୨୦ ହଜାର ବିକ୍ଷୋଭକାରୀ ଏକାଠି ହୋଇ ଷ୍ଟେରେଲାଇଟ କପ୍ପର ୟୁନିଟ ବନ୍ଦ କରିବା ପାଇଁ ବିକ୍ଷୋଭ କରିଥିଲେ। ରାସ୍ତାରୋକ କରିଥିଲେ। ପୋଲିସ ଗାଡ଼ିକୁ ଭଙ୍ଗାରୁଜା କରିଥିଲେ।
ଏଥିରେ ଉତକ୍ଷିପ୍ତ ହୋଇ ପୋଲିସ ବିକ୍ଷୋଭକାରୀଙ୍କ ଉପରେ ଆକ୍ରମଣ କରିଥିଲା। ବିକ୍ଷୋଭକାରୀ ପୋଲିସ ଉପରକୁ ପଥର ମାଡ଼ କରିଥିଲେ। ପରିସ୍ଥିତି ଅଣାୟତ୍ତ ହେବାରୁ ପୋଲିସ ବିକ୍ଷୋଭକାରୀଙ୍କ ୁପରକୁ ଗୁଳି ଚାଳନା କରିଥିଲା।
ପୋଲିସ ଗୁଳିରେ ୧୧ ଜଣଙ୍କର ପ୍ରାଣହାନି ହୋଇଥିବା ବେଳେ ୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏହି ଘଟଣାକୁ ନେଇ ତାମିଲନାଡୁରେ ରାଜନୀତି ଜୋର୍ ଧରିଛି।
ପୋଲିସ ମାଡ଼ରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଦେବାକୁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏହାସହ ପରିବାରର ଜଣକୁ ଚାକିରି ଦେବା ପାଇଁ ଘୋଷଣା କରିଛନ୍ତି। ଏହାପରେ ବି ତୁତିକୋରିନରେ ଉତ୍ତେଜନା ଥମିନି। ପୋଲିସ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ସେନେଇ ତଦନ୍ତ କମିଶନ ଗଠନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ପୋଲିସ ପକ୍ଷରୁ କୁହାଯାଇଛି ଯେ ପ୍ରକଳ୍ପସ୍ଥଳରେ ୧୪୪ ଧାରା ଲାଗୁ କରାଯାଇଥିଲା। କିନ୍ତୁ ବିକ୍ଷୋଭକାରୀମାନେ ଏହାକୁ ମାନି ନଥିଲେ। ରାସ୍ତାରୋକ କରିବା ସହ ପୋଲିସ ଉପରକୁ ଢେଲା ମାଡ଼ କରିଥିଲେ। ପୋଲିସ ଏହାର ପାଲଟା ଜବାବ ଦେଇଥିଲା।









