ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ବେଦାନ୍ତ ଷ୍ଟେରଲାଇଟ ପ୍ରକଳ୍ପକୁ ବିରୋଧ
  • ତୁତିକୋରନରେ ପୁଣି ହିଂସା
  • ବୁଧବାର ପୋଲିସ-ବିକ୍ଷୋଭକାରୀ ଖଣ୍ଡଯୁଦ୍ଧ
  • ପୋଲିସ ଗୁଳିରେ ପ୍ରାଣ ହରାଇଲେ ଆଉ ଜଣେ
  • ୧୨ ଛୁଇଁଲା ମୃତ୍ୟୁ ସଂଖ୍ୟା
  • ଶାସକ ଏଆଇଏଡିଏମ୍‌କେକୁ ସମାଲୋଚନା କଲା ଡିଏମ୍‌କେ
  • ଗୁଳି ମାଡ଼ ପାଇଁ ଆଦେଶ ଦେଇଥିଲା କିଏ: ଡିଏମ୍‌କେ

ତାମିଲନାଡୁ ତୁତିକୋରିନସ୍ଥିତ ବେଦାନ୍ତ ଷ୍ଟେରଲାଇଟ ପ୍ରକଳ୍ପକୁ ବିରୋଧ କରି ଆଜି ପୁଣି ହଙ୍ଗାମା ହୋଇଛି। ମଙ୍ଗଳବାର ପୋଲିସ ଗୁଳିରେ ୧୧ ଜଣ ପ୍ରାଣ ହରାଇବା ଘଟଣାକୁ ବିରୋଧ କରି ବିକ୍ଷୋଭକାରୀ ଆନ୍ଦୋଳନ କରୁଥିବା ବେଳେ ଆଜି ପୁଣି ପୋଲିସ ପକ୍ଷରୁ ଗୁଳି ବର୍ଷା ହୋଇଛି। ପୋଲିସ ଗୁଳିରେ ବୁଧବାର ଜଣେ ବିକ୍ଷୋଭକାରୀ ପ୍ରାଣ ହରାଇଛନ୍ତି। ଫଳରେ ମୃତ୍ୟ ସଂଖ୍ୟା ୧୨ରେ ପହଞ୍ଚିଛି।

ବୁଧବାର ସକାଳୁ ଆରମ୍ଭ ହୋଇଥିଲା ଆନ୍ଦୋଳନ। ପୋଲିସ ଗୁଳିରେ ୧୧ ଜଣ ଲୋକ ପ୍ରାଣ ହରାଇବା ଘଟଣାର ଦୃଢ଼ ପ୍ରତିବାଦ କରିଥିଲେ ବିକ୍ଷୋଭକାରୀ। ବିକ୍ଷୋଭକାରୀଙ୍କୁ ବୁଝାସୁଝା କରିବା ପାଇଁ ପୋଲିସ ଆସିଥିଲା ଆନ୍ଦୋଳନସ୍ଥଳକୁ। ହେଲେ ବିକ୍ଷୋଭକାରୀ ଢେଲା ଓ ହାତ ତିଆରି ବୋମା ଫିଙ୍ଗିଥିଲେ।

ବିକ୍ଷୋଭକାରୀଙ୍କ ଆକ୍ରମଣରେ ଜଣେ ପୋଲିସ ଅଧିକାରୀ ଆହତ ହେବା ପରେ ପୋଲିସ-ବିକ୍ଷୋଭକାରୀଙ୍କ ମଧ୍ୟରେ ହୋଇଥିଲା ଖଣ୍ଡଯୁଦ୍ଧ। ବିକ୍ଷୋଭକାରୀଙ୍କୁ ଘଉଡ଼ାଇବା ପାଇଁ ପୋଲିସ ରବର ବୁଲେଟ ମାଡ଼ କରିଥିଲା। ଗୋଟିଏ ବୁଲେଟ ଜଣେ ବିକ୍ଷୋଭକାରୀଙ୍କ ଅଣ୍ଟାରେ ବାଜିବାରୁ ସେ ତଳେ ଟଳି ପଡ଼ିଥିଲେ। ପରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ତୁତିକୋରିନରେ ବେଦାନ୍ତ ଷ୍ଟେରଲାଇଟ କପ୍ପର ୟୁନିଟ ପ୍ରତିଷ୍ଠା କରାଯାଇଛି। ଏହି ପ୍ରକଳ୍ପ ଯୋଗୁଁ ସମଗ୍ର ଅଞ୍ଚଳରେ ପରିବେଷ ପ୍ରଦୂଷିତ ହେଉଛି। ଏଣୁ ଏହି ପ୍ଲାଣ୍ଟ ବନ୍ଦ କରିବା ଦାବିରେ ସ୍ଥାନୀୟ ଲୋକେ ତିନି ମାସ ହେଲା ଆନ୍ଦୋଳନକୁ ଓହ୍ଲାଇଛନ୍ତି। ପ୍ରଶାସନ କୌଣସି ନିଷ୍ପତ୍ତି ନନେବାରୁ ମଙ୍ଗଳବାର ଦିନ ଆନ୍ଦୋଳନ ଉଗ୍ରରୂପ ଧାରଣ କରିଥିଲା।

ବିକ୍ଷୋଭକାରୀଙ୍କ ଉପରକୁ ପୋଲିସର ଆଖିବୁଜା ଗୁଳିମାଡ଼କୁ ନେଇ ତାମିଲନାଡୁରେ ରାଜନୀତି ତେଜିଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏଆଇଏଡିଏମ୍‌କେକୁ ଟାର୍ଗେଟ କରିଥିବା ବେଳେ ଆଜି ଡିଏମ୍‌କେ ମଧ୍ୟ ଏଆଇଏଡିଏମକେକୁ ସମାଲୋଚନା କରିଛି।

“୧୦୦ ବର୍ଷ ତଳେ ବ୍ରିଟିଶ ଶାସନ ସମୟରେ ଜାଲିଆନଓ୍ବାଲାବାଗ ହତ୍ୟାକାଣ୍ଡ ଘଟିଥିଲା। ପୋଲିସର ଅଖିବୁଜା ଗୁଳିମାଡ଼ରେ ସାଧାରଣ ଲୋକ ପ୍ରାଣ ହରାଇଥିଲେ। ତାମିଲନାଡ଼ୁରେ ଏବେ ଏହି ଘଟଣାର ପୁନରାବୃତ୍ତି ଘଟିଛି। ମୁଖ୍ୟମନ୍ତ୍ରୀ ଇ ପାଲାନିସ୍ୱାମୀ ଲୋକଙ୍କୁ ନ୍ୟାୟ ଦେବାରେ ବିଫଳ ହୋଇଛନ୍ତି”, କହିଛନ୍ତି ଡିଏମ୍‌କେ ନେତା ଏମ୍‌କେ ଷ୍ଟାଲିନ।

ସାଧାରଣ ଲୋକଙ୍କ ଉପରକୁ ଗୁଳିମାଡ଼ କରିବାକୁ କିଏ ଆଦେଶ ଦେଇଥିଲା ବୋଲି ଡିଏମକେ ପ୍ରଶ୍ନ କରିଛି।

Comment