ଓଡ଼ିଶାଲାଇଭ୍ ବ୍ୟୁରୋ

ତାମିଲନାଡୁରେ ନୂଆ ରାଜନୈତିକ ଦଳ ଗଢ଼ିବାକୁ ଘୋଷଣା କରିଛନ୍ତି ରଜନୀକାନ୍ତ।

ତାମିଲନାଡୁ ବିଧାନସଭା ନିର୍ବାଚନକୁ ଆଉ ମାତ୍ର ମାସ କେଇଟା ବାକି। ଏହାପୂର୍ବରୁ କିନ୍ତୁ ସାଉଥ୍ ସୁପରଷ୍ଟାର ରଜନୀକାନ୍ତ ନିଜର ନୂଆ ରାଜନୈତିକ ଦଳ ଗଠନ କରିବାକୁ ଘୋଷଣା କରିଛନ୍ତି। ତେବେ ରଜନୀଙ୍କ ଏହି ଦଳ ନିର୍ବାଚନ ଲଢ଼ିଲେ ତାମିଲନାଡୁରେ କେଉଁ ଦଳକୁ କେତେ ଲାଭ ହେବ ଆଉ କେଉଁ ଦଳକୁ କ୍ଷତି ସହିବାକୁ ପଡ଼ିବ ତାକୁ ନେଇ ଏବେ ରାଜନୈତିକ ଅଙ୍କକଷା ଆରମ୍ଭ ହୋଇଯାଇଛି।

ଅନ୍ୟପଟେ ରଜନୀକାନ୍ତଙ୍କ ଦଳ ନିର୍ବାଚନକୁ ଓହ୍ଲାଇଲେ ତାମିଲନାଡୁ ରାଜନୀତିରେ କ’ଣ ପରିବର୍ତ୍ତନ ଆସିବ? ରଜନୀ କେଉଁ ଭୋଟରଙ୍କ ଭୋଟ ହାତେଇବାକୁ ଲକ୍ଷ୍ୟ ରଖିବେ? ତାଙ୍କ ଦଳ କାହା ସହ ମେଣ୍ଟ କରିବ କି? ଆଦି ଅନେକ ପ୍ରଶ୍ନକୁ ନେଇ ଏବେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ନୂଆବର୍ଷରୁ ନୂଆ ଦଳ

ରଜନୀକାନ୍ତ ଗତ ୩ ତାରିଖରେ ତାଙ୍କ ନୂଆ ରାଜନୈତିକ ଦଳ ଗଠନ କରିବା ନେଇ ସୂଚନା ଦେଇଛନ୍ତି। ତାଙ୍କ ଦ୍ୱାରା ଗଠିତ ନୂଆ ଦଳ ଏଥର ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ଲଢିବ ଏବଂ ସଫଳତା ପାଇବ ବୋଲି ମଧ୍ୟ ସେ କହିଛନ୍ତି। ତେବେ ଡିସେମ୍ବର ୩୧ ତାରିଖରେ ଏନେଇ ସେ ବିଧିବଦ୍ଧ ଘୋଷଣା କରିବେ। ନୂଆବର୍ଷରୁ ତାଙ୍କ ନୂଆ ପାର୍ଟି ଆରମ୍ଭ ହେବ ବୋଲି ସେ କହିଛନ୍ତି।କାହାକୁ ମିଳିବ ଫାଇଦା?

ରଜନୀଙ୍କ ଦଳ ରାଜନୀତିରେ ଏଣ୍ଟ୍ରି ମାରିଲେ କେଉଁ ଦଳକୁ କେତେ ଲାଭ ଆଉ କେଉଁ ଦଳକୁ କେତେ କ୍ଷତି ହେବ ଏବେ ତାକୁ ନେଇ ହିଁ ଜୋରଦାର ଚର୍ଚ୍ଚା ହେଉଛି। ରାଜନୈତିକ ପଣ୍ଡିତଙ୍କ କହିବା ଅନୁଯାୟୀ, ରଜନୀ ମୁଖ୍ୟତଃ ଡିମକେ ବିରୋଧୀ ଭୋଟ୍ ହାତେଇବାକୁ ଲକ୍ଷ୍ୟ ରଖିଛନ୍ତି। ଯଦି ଡିଏମକେକୁ ବିରୋଧ କରୁଥିବା ଭୋଟର ରଜନୀଙ୍କ ପକ୍ଷରେ ଯାଆନ୍ତି ତେବେ ଏଥିରେ ଏଆଇଡିଏମକେ ହିଁ କ୍ଷତି ସହିବ।

ଅନ୍ୟପଟେ ରଜନୀଙ୍କ ଦଳ ବିଜେପି ଓ ଏଆଇଏଡିଏମକେ ସହ ମିଶି ନିର୍ବାଚନ ଲଢ଼ିପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ଦକ୍ଷିଣ ଭାରତରେ ବିଜେପି ସେତେଟା ସୁଦୃଢ଼ ନଥିବାରୁ ରଜନୀଙ୍କୁ ମୋହରା ବନେଇ ଦଳ ଏଥର ନିର୍ବାଚନ ଜିତିବାକୁ ଲକ୍ଷ୍ୟ ରଖିଥିବା କୁହାଯାଉଛି।

୧୯୯୬ରେ ସରକାର ବଦଳେଇ ଦେଇଥିଲେ ରଜନୀ

ସାଉଥ୍ ଫିଲ୍ମ ଜଗତର ସୁପରଷ୍ଟାର ମାନ୍ୟତା ପାଇଥିବା ରଜନୀକାନ୍ତ ୧୯୯୬ ମସିହାରେ ପ୍ରଥମ କରି ପଲିଟିକ୍ସରେ ସକ୍ରିୟ ଭାବେ ଭାଗ ନେଇଥିଲେ। ସେହିବର୍ଷ ସେ ଡିଏମକେ ପାଇଁ ନିର୍ବାଚନ ପ୍ରଚାର କରିଥିଲେ। ଏଆଇଏଡିଏମକେ ନେତ୍ରୀ ଜୟଲଳିତାଙ୍କୁ ବିରୋଧ କରି ସେ ସେତେବେଳେ ‘ତାମିଲାନାଡୁ ବଞ୍ଚାଓ’ ନାରା ଦେଇଥିଲେ।

ଭୋଟରମାନଙ୍କ ଉପରେ ରଜନୀଙ୍କ ଏହି ନାରାର ବେଶ ପ୍ରଭାବ ପଡ଼ିଥିଲା। ଫଳତଃ ଜୟଲଳିତାଙ୍କ ଦଳ ନିର୍ବାଚନରେ ମାଟି କାମୁଡିବା ସହ ତାମିଲନାଡୁରେ ଡିଏମକେ ସରକାର ଗଢ଼ିଥିଲା। ଏଥିପାଇଁ ରଜନୀକାନ୍ତଙ୍କୁ ହିଁ ସମସ୍ତ ଶ୍ରେୟ ଦିଆଯାଇଥିଲା। ଏହି ସମୟରେ ସେ ରାଜନୀତିରେ ପ୍ରତ୍ୟକ୍ଷ ଭାବେ ଯୋଗଦେବେ ବୋଲି ଚର୍ଚ୍ଚା ହେଲା; କିନ୍ତୁ ସେ ରାଜନୀତିଠାରୁ ଦୂରେଇ ଯାଇଥିଲେ। ଏହାର ଦୀର୍ଘ ଦିନ ପରେ ସେ ଏବେ ପୁଣି ରାଜନୀତିରେ ପ୍ରବେଶ କରିବେ ବୋଲି ଘୋଷଣା କରିଛନ୍ତି।ତାମିଲନାଡୁ ରାଜନୀତିରେ ସୁପରଷ୍ଟାର

ତାମିଲାନାଡୁ ପଲିଟିକ୍ସ ପୃଷ୍ଠାକୁ ଓଲଟାଇ ଦେଖିଲେ ଜଣାପଡ଼ିବ ଯେ, ଦକ୍ଷିଣ ଭାରତର ଏହି ରାଜ୍ୟରେ ସୁପରଷ୍ଟାରମାନେ ରାଜନୀତିରେ ବେଶ ସଫଳ ହୋଇଛନ୍ତି। ଏପରିକି ସିନେ ଅଭିନେତାମାନେ ଏହି ରାଜ୍ୟର ମୁଖ୍ୟମନ୍ତ୍ରୀ ଆସନରେ ମଧ୍ୟ ବସିଛନ୍ତି। ଏମଜି ରାମଚନ୍ଦ୍ରନ, ଜାନକୀ ରାମଚନ୍ଦ୍ରନ, ଏମ କରୁଣାନିଧି ଓ ସୁଶ୍ରୀ ଜୟଲଳିତା ହେଉଛନ୍ତି ଏହାର ଗୋଟିଏ ଗୋଟିଏ ଉଦାହରଣ।

ସାଉଥ୍ ଫିଲ୍ମ ଜଗତର ଡ୍ରିମଗର୍ଲ କୁହାଯାଉଥିବା ଜୟଲଳିତା ଦୀର୍ଘବର୍ଷ ଧରି ତାମିଲନାଡୁର ମୁଖ୍ୟମନ୍ତ୍ରୀ ଆସନରେ ବସିଥିଲେ। ତେଣୁ ଅନ୍ୟ ଅଭିନେତା, ଅଭିନେତ୍ରୀଙ୍କ ପରି ରଜନୀକାନ୍ତ ମଧ୍ୟ ତାମିଲନାଡୁ ପଲିଟିକ୍ସରେ ସଫଳ ହୋଇପାରନ୍ତି ବୋଲି କୁହାଯାଉଛି।ତାମିଲନାଡୁ ରାଜନୀତିରେ ଡିଏମକେ ଓ ଏଆଇଏଡିଏମକେ

ତାମିଲାନାଡୁ ରାଜନୀତିରେ କେବଳ ଦୁଇଟି ଦଳ ଡିଏମକେ ଓ ଏଆଇଏଡିଏମକେ ଭିତରେ କ୍ଷମତା ଯୁଦ୍ଧ ଦେଖିବାକୁ ମିଳିଥାଏ। ଜୟଲଳିତାଙ୍କ ସମୟରେ ଏଆଇଏଡିଏମକେ ଏଠାରେ ଲଗାତାର ଭାବେ ଜିତିଆସୁଥିଲା। କିନ୍ତୁ ତାଙ୍କର ବିୟୋଗ ପରେ ୨୦୧୯ ଲୋକସଭା ନିର୍ବାଚନରେ ଦଳ ଭାରି ପରାଜୟ ଭୋଗିଛି। ୩୯ ଲୋକସଭା ଆସନରୁ ଦଳ ମାତ୍ର ଗୋଟିଏରେ ବିଜୟୀ ହୋଇଛି।

ଅନ୍ୟପଟେ କରୁଣାନିଧିକଙ୍କ ବିୟୋଗ ପରେ ତାଙ୍କ ପୁଅ ଷ୍ଟାଲିନ୍ ଡିଏମକେର ନୂଆ ନେତା ଭାବେ ଉଭା ହୋଇଛନ୍ତି। ତାଙ୍କ ନେତୃତ୍ୱରେ ଦଳ ୨୦୧୯ ଲୋକସଭା ନିର୍ବାଚନରେ ଭଲ ପ୍ରଦର୍ଶନ ମଧ୍ୟ କରିଛି। ତେଣୁ ରଜନୀଙ୍କ ଏହି ରାଜନୈତିକ ଦଳ ତାମିଲନାଡୁ ରାଜନୀତିରେ କ’ଣ ପରିବର୍ତ୍ତନ ଆଣୁଛି ତାହା ଦେଖିବାକୁ ବାକି ରହିଲା।

Comment