ଓଡ଼ିଶାଲାଇଭ୍ ବ୍ୟୁରୋ

ପୁଡୁଚେରୀରେ କଂଗ୍ରେସ-ଡିଏମ୍‌କେ ମେଣ୍ଟ ସରକାର ଭାଙ୍ଗିଛି। ସୋମବାର ବିଧାନସଭା ଫ୍ଲୋର ଟେଷ୍ଟରେ ମୁଖ୍ୟମନ୍ତ୍ରୀ ଭି ନାରାୟଣସ୍ଵାମୀ ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବାରେ ଅସମର୍ଥ ହୋଇଛନ୍ତି। ଫଳରେ ସେଠାରେ କଂଗ୍ରେସ ସରକାରର ପତନ ଘଟିଛି। ସରକାର ଭାଙ୍ଗିଥିବା ନେଇ ବାଚସ୍ପତି ଭିପି ଶିବକୋଲୁନ୍ଧୁ ସୂଚନା ଦେବା ସହ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି ଘୋଷଣା କରିଛନ୍ତି।

ବିଧାନସଭା ନିର୍ବାଚନ ପୂର୍ବରୁ ପୁଡୁଚେରୀରେ କ୍ଷମତାସୀନ କଂଗ୍ରେସ ସରକାର ଭୁଶୁଡ଼ି ପଡ଼ିଛି। ପୂର୍ବରୁ କଂଗ୍ରେସର ଏକାଧିକ ବିଧାୟକ ଇସ୍ତଫା ଦେବା ଫଳରେ ଭି ନାରାୟଣସାମୀଙ୍କ ସରକାର ସଂଖ୍ୟାଲଘୁରେ ପରିଣତ ହୋଇଯାଇଥିଲା। କିନ୍ତୁ ସୋମବାର ବିଧାନସଭାରେ ହେବାକୁ ଥିବା ଫ୍ଲୋର ଟେଷ୍ଟରେ ମ୍ୟାଜିକ ନମ୍ବର ହାସଲ କରିବା ନେଇ କଂଗ୍ରେସ ଦାବି କରିଥିଲା। ମାତ୍ର ଏହାର ଦିନକ ପୂର୍ବରୁ ଉଭୟ କଂଗ୍ରେସ ଏବଂ ଡିଏମ୍‌କେରୁ ଜଣେ ଲେଖାଏଁ ବିଧାୟକ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଫଳରେ ଆଜି ସଂଖ୍ୟା ଗରିଷ୍ଠତା ପ୍ରଦର୍ଶନ କରିବାରେ ଫେଲ ମାରିଛି କଂଗ୍ରେସ।

୩୩ ବିଧାନସଭା ଆସନ ବିଶିଷ୍ଟ ପୁଡୁଚେରୀରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ୧୪ ଦରକାର ଥିଲା। ହେଲେ ନାରାୟଣସାମୀଙ୍କ ସମର୍ଥନରେ ମାତ୍ର ୧୧ ଜଣ ବିଧାୟକ ଥିବାରୁ ସେ ଗୃହରୁ ବାହାରି ଯାଇଥିଲେ। ଏହାପରେ ନାରାୟଣସାମୀ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ବିଧାନସଭାରୁ ସିଧା ରାଜଭବନ ଯାଇ ସେଠାରେ ଉପରାଜ୍ୟପାଳ ଟି ସୌନ୍ଦରାରାଜନଙ୍କୁ ତାଙ୍କ ଇସ୍ତଫାପତ୍ର ଦେଇଛନ୍ତି।

Comment