ଓଡ଼ିଶାଲାଇଭ୍‌ ବ୍ୟୁରୋ

ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡିଏମ୍କେ ମୁଖ୍ୟ ଏମ୍କରୁଣାନିଧିଙ୍କ ମୃତ୍ୟୁକୁ ସପ୍ତାହ ବିତି ଯାଇଛି। ତାଙ୍କ ପରେ କିଏ ଡିଏମ୍କେ ଭାର ସମ୍ଭାଳିବ ତାକୁ ନେଇ ଚାଲିଛି ଟଣାଓଟରା।

ଡିଏମକେ ସୁପ୍ରିମୋ ଏମ୍ କରୁଣାନିଧିଙ୍କ ମୃତ୍ୟୁ ୭ ଦିନ ପୂରି ନାହିଁ। ମାତ୍ର ଡିଏମକେ ପାର୍ଟିରେ ଅଧିକାର ସାବ୍ୟସ୍ତ କରିବା ପାଇଁ କରୁଣାନିଧିଙ୍କ ଦୁଇ ପୁଅଙ୍କ ଭିତରେ ଆରମ୍ଭ ହୋଇଯାଇଛି କ୍ଷମତା ପାଇଁ ଲଢ଼େଇ।

ସୋମବାର କରୁଣାନିଧିଙ୍କ ପୁଅ ଅଲାଗିରି ଚେନ୍ନାଇର ମେରିନା ବିଚ୍‌ରେ ଥିବା କରୁଣାନିଧିଙ୍କ ସମାଧିସ୍ଥଳରେ ସମାଧିରେ ଶ୍ରଦ୍ଧାଞ୍ଜଳି ଦେବା ସମୟରେ କହିଥିଲେ ଡିଏମ୍‌କେର ଅଧିକାଂଶ ନେତା ମୋ ସହ ଅଛନ୍ତି। ଏହାପରେ ଆରମ୍ଭ ହୋଇଛି ରାଜନୀତି।

ଗୋଟିଏ ପଟେ କରୁଣାନିଧିଙ୍କ ମୃତ୍ୟୁ ସମୟରେ ତାଙ୍କ ପୁଅ ଏମ୍‌କେ ଷ୍ଟାଲିନ୍‌ ତାଙ୍କ ନିକଟରେ ଥିବାରୁ ସମସ୍ତେ ଧରି ନେଇଥିଲେ ଷ୍ଟାଲିନ ହିଁ ହେବେ ଡିଏମ୍‌କେର ଉତ୍ତରାଧିକାରୀ। ହେଲେ ଏବେ ପରିସ୍ଥିତି ଅଲଗା ମୋଡ଼ ନେଇଛି।

ତେବେ ଷ୍ଟାଲିନ୍‌ ଓ ଅଲାଗିରିଙ୍କ ମଧ୍ୟରେ ପୁରୁଣା ରାଜନୈତିକ ବିବାଦ ଥିବା ବେଳେ ଏବେ ଏହା କେଉଁରୂପ ନେବ ତା’ ଉପରେ ସମସ୍ତଙ୍କ ନଜର।

ଏଥିଲାଗି ମଙ୍ଗଳବାର ଦଳ ପକ୍ଷରୁ ଏକ ଜେନରାଲ କାଉନ୍‌ସିଲ ବୈଠକର ଆୟୋଜନ କରାଯାଇଛି। ଏଥିରେ ଦଳର ମୁଖ୍ୟ କିଏ ହେବ ତାହା ସ୍ଥିର ହେବାର ଯୋଜନା ରହିଛି। ଏଥିରେ ଦଳର କାର୍ଯ୍ୟକାରୀ ମୁଖ୍ୟ ତଥା କରୁଣାନିଧିଙ୍କ ସାନପୁଅ ଏମ୍‌ କେ ଷ୍ଟାଲିନ୍‌ ଅଧ୍ୟକ୍ଷତା କରିବେ ବୋଲି ଜଣାପଡ଼ିଛି।

ଏଥିରେ ଡିଏମକେର କାର୍ଯ୍ୟକାରୀ ସଭାପତି ଏମକେ ଷ୍ଟାଲିନଙ୍କୁ ପଦୋନ୍ନତି ଦିଆଯାଇ ଡିଏମକେର ସଭାପତି ଘୋଷଣା କରିବା ପାଇଁ ପ୍ରକ୍ରିୟା ଆରମ୍ଭର ଯଥେଷ୍ଟ ସମ୍ଭାବନା ରହିଛି। ଆଲାଗିରିଙ୍କୁ କରୁଣାନିଧି ୨୦୧୪ ମସିହାରେ ଦଳବିରୋଧୀ କାର୍ଯ୍ୟପାଇଁ ପାର୍ଟିରୁ ବହିଷ୍କାର କରିଥିଲେ। ପରେ ଷ୍ଟାଲିନଙ୍କୁ ନିଜର ରାଜନୈତିକ ଉତ୍ତରାଧିକାରୀ ଭାବେ  ଘୋଷଣା କରିଥିଲେ। ଆଉ ୨୦୧୭ ମସିହାରେ ଷ୍ଟାଲିନଙ୍କ ଦଳର କାର୍ଯ୍ୟକାରୀ ସଭାପତି ଘୋଷଣା କରିଥିଲେ କରୁଣାନିଧି।

ତେବେ ଦଳରୁ ବହିଷ୍କାର ହୋଇଥିଲେ ମଧ୍ୟ ନିଜ ବାପାଙ୍କୁ ସମ୍ମାନ ଜଣାଇ ଆଲାଗିରି ଏ ନେଇ ବିଶେଷ କିଛି ପାଟିଗୋଳ କରି ନ ଥିଲେ। ମାତ୍ର କରୁଣାନିଧିଙ୍କ ମୃତ୍ୟୁ ପରେ ପୁଣି ଥରେ ଅଲାଗିରି ସକ୍ରିୟ ହୋଇ ଉଠିଥିବାରୁ ଆଗାମୀ ଦିନରେ ଡିଏମକେ ରାଜନୀତି ରୋଚକ ମୋଡ଼ ନେବ ବୋଲି ଚର୍ଚ୍ଚା ହେଉଛି।

Comment