ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଗୋଟିଏ ଦଶନ୍ଧି ଧରି ତାମିଲନାଡୁର ଶାସନ କ୍ଷମତାରେ ଥିବା ଏଆଇଏଡିଏମକେକୁ ହରାଇ ଡିଏମ୍‌କେ କ୍ଷମତାକୁ ଫେରିବା ଏକ ପ୍ରକାର ନିଶ୍ଚିତ ହୋଇଛି।

ଚଳିତ ଥର ବିଧାନସଭା ନିର୍ବାଚନ ଫଳ ତାମିଲନାଡୁ ରାଜନୀତିକୁ ଏକ ନୂଆ ସମୀକରଣ ଭେଟି ଦେଇଛି। ଗତ ଦୁଇଟି ପାଳିରେ ରାଜ୍ୟରେ ଶାସନ କରୁଥିବା ଏଆଇଏଡିଏମକେ ଦଳକୁ ପ୍ରତ୍ୟାଖାନ କରିଛନ୍ତି ତାମିଲନାଡୁର ସାଧାରଣ ଜନତା। ଏଥର ସେମାନେ ଡିଏମ୍‌କେ ଉପରେ ଆସ୍ଥା ପ୍ରକଟ କରିଛନ୍ତି। ଚଳିତ ନିର୍ବାଚନର ଚୂଡ଼ାନ୍ତ ଫଳ ଆସି ନଥିଲା ବେଳେ ଭୋଟ ଗଣତିରେ ଡିଏମକେ କ୍ଷମତାକୁ ଫେରିବା ନେଇ ଏକ ପ୍ରକାର ନିଶ୍ଚିତ ହୋଇଛି।

ସାଢ଼େ ୫ଟା ସୁଦ୍ଧା ଡିଏମକେ-କଂଗ୍ରେସ ମେଣ୍ଟ ମୋଟ ୨୩୪ ଆସନରୁ ୧୪୨ଟି ଆସନରେ ଆଗୁଆ ରହିଛି। ଏଆଇଏଡିଏମକେ-ବିଜେପି ମେଣ୍ଟ ୮୮ ଆସନରେ ଆଗୁଆ ରହିଛି।

ତାମିଲନାଡୁରେ କ୍ଷମତାଚ୍ୟୁତ ଏଆଇଏଡିଏମକେ

ତାମିଲନାଡୁରେ ଗତ ୧୦ ବର୍ଷ ଧରି ଏଆଇଏଡିଏମକେ କ୍ଷମତାରେ ଥିଲା। ୨୦୧୧ ବିଧାନସଭା ନିର୍ବାଚନରେ ​​ ଜୟଲଳିତାଙ୍କ ନେତୃତ୍ୱରେ କ୍ଷମତାକୁ ଫେରିଥିବା ଆଇଏଡିଏମ୍‌କେ ୨୦୧୬ରେ କ୍ଷମତା ବଜାୟ ରଖିବାରେ ସଫଳ ହୋଇଥିଲା। କିନ୍ତୁ ସେହି ବର୍ଷ ଜୟଲଳିତାଙ୍କ ମୃତ୍ୟୁ ଘଟିଥିଲା। ଏହାପରେ ପାର୍ଟିରେ ମୁଖ୍ୟମନ୍ତ୍ରୀ ପଦବୀ ପାଇଁ କଳହ ଆରମ୍ଭ ହୋଇଥିଲା। ପ୍ରଥମେ ପନିରସେଲଭାମଙ୍କୁ ତାମିଲନାଡୁର ମୁଖ୍ୟମନ୍ତ୍ରୀ କରାଯାଇଥିଲା। କିନ୍ତୁ ଜୟଲଳିତାଙ୍କ ବିଶ୍ୱସ୍ତ ଶଶିକଳାଙ୍କ ହାତରେ ଦଳର କମାଣ୍ଡ ଆସିବା ମାତ୍ରେ ସେ ପନିରସେଲଭାମଙ୍କୁ ଗାଦିରୁ ହଟାଇ ପାଲାନିସ୍ୱାମୀଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲେ।

ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ କରୁଣାନିଧିଙ୍କ ଦଳ ଡିଏମକେ ଗତ ୧୦ ବର୍ଷ ଧରି ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ଭାବେ ଠିଆ ହୋଇଛି। ୨୦୧୮ରେ କରୁଣାନିଧିଙ୍କ ମୃତ୍ୟୁପରେ ଷ୍ଟାଲିନ୍‌ ଦଳର ସଭାପତି ଦାୟିତ୍ୱ ନେଇଥିଲେ। ଡିଏମକେ ମୁଖ୍ୟ ଏମ.କେ ଷ୍ଟାଲିନ ଏଥର କୋଲାଥୁର ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ତାଙ୍କ ଦଳ ଡିଏମ୍‌କେ ତାମିଲନାଡୁରେ ମୋଟ ୨୩୪ ଆସନରୁ ୧୮୦ରେ ଲଢ଼ିଥିଲା ବେଳେ ସହଯୋଗୀ କଂଗ୍ରେସକୁ ୨୫ଟି ଆସନ ଛାଡ଼ିଥିଲା।

ତାମିଲନାଡୁରେ ଗତ ବିଧାନସଭା ନିର୍ବାଚନରେ ​​ଏଆଇଏଡିଏମ୍‌କେ ବହୁମତ ହାସଲ କରିଥିଲା। ​​ଏଆଇଏଡିଏମ୍‌କେ ରାଜ୍ୟର ୨୩୪ଟି ବିଧାନସଭା ଆସନ ମଧ୍ୟରୁ ୧୩୬ଟି ବିଜୟ ହାସଲ କରିଥିଲା ବେଳେ ଡିଏମକେକୁ ୮୯ଟି ଆସନ ମିଳିଥିଲା।

ଷ୍ଟାଲିନଙ୍କ ରାଜନୈତିକ କ୍ୟାରିଅର

ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡିଏମକେର ପ୍ରତିଷ୍ଠାତା ଏମ କରୁଣାନିଧିଙ୍କ ପୁଅ ହେଲେ ଷ୍ଟାଲିନ। ୧୯୫୩ ମାର୍ଚ୍ଚ ୧ରେ ତାଙ୍କର ଜନ୍ମ। ୧୪ ବର୍ଷ ବୟସରୁ ଷ୍ଟାଲିନ୍‌ ରାଜନୀତି ପ୍ରତି ଆକୃଷ୍ଟ ହୋଇଥିଲେ।

୧୯୬୭ ନିର୍ବାଚନରେ, ପ୍ରଥମ ଥର ପାଇଁ ସେ ଡିଏମ୍‌କେ ଦଳ ପାଇଁ ପ୍ରଚାର କରିଥିଲେ। ୧୯୭୩ରେ ଡିଏମକେ ସାଧାରଣ କମିଟିର ସଦସ୍ୟ ହୋଇଥିଲେ ଷ୍ଟାଲିନ। ସେ ସମୟରେ ସେ ତାଙ୍କ ପାଠପଢ଼ା ମଧ୍ୟ ଜାରି ରଖିଥିଲେ ଏବଂ ମାଡ୍ରାସ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ପ୍ରେସିଡେନ୍ସି କଲେଜରୁ ସ୍ନାତକ ହାସଲ କରିଥିଲେ।। ୧୯୭୩ରୁ ଷ୍ଟାଲିନ ଦଳ ପାଇଁ କାମ କରିବା ଆରମ୍ଭ କରିଥିଲେ।

୧୯୭୫ରେ ମିସା (ଜରୁରୀ ପରିସ୍ଥିତି ବିରୋଧରେ) ଆନ୍ଦୋଳନ କରିବା ଅଭିଯୋଗରେ ଷ୍ଟାଲିନ୍‌ଙ୍କୁ ଗିରଫ କରାଯାଇଥିଲା। ଜେଲ ଭିତରେ ତାଙ୍କୁ ଅନେକ ଅତ୍ୟାଚାର ସହିବାକୁ ପଡ଼ିଥିଲା। ଜେଲ୍‌ରୁ ବାହାରିବା ପରେ ସାରାରାଜ୍ୟରେ ସେ ବେଶ୍ ଚର୍ଚ୍ଚାକୁ ଆସିଥିଲେ।

୧୯୮୪ରେ ଷ୍ଟାଲିନ ପ୍ରଥମ ଥର ପାଇଁ ଥାଉଜାଣ୍ଡ ଲାଇଟ୍ସ ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ହେଲେ ତାଙ୍କୁ ଏହି ନିର୍ବାଚନରେ ​​ପରାଜୟ ସାମ୍ନା କରିବାକୁ ପଡିଥିଲା। ଏହା ପରେ, ସେ ସମାନ ନିର୍ବାଚନମଣ୍ଡଳୀରୁ ୧୯୮୯, ୧୯୯୬ ,୨୦୦୧ ଏବଂ ୨୦୦୬ରେ ନିର୍ବାଚନ ଲଢ଼ି ବିଜୟ ହାସଲ କରିଥିଲେ। ଏହାପରେ ସେ ୨୦୧୧ ଏବଂ ୨୦୧୬ରେ କୋଲାଥୁର ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରି ବିଜୟୀ ହୋଇଥିଲେ। ଏହା ସହିତ ଷ୍ଟାଲିନ ୧୯୯୬ରୁ ୨୦୦୦ ପର୍ଯ୍ୟନ୍ତ ଚେନ୍ନାଇର ମେୟର ମଧ୍ୟ ରହିଥିଲେ। ୨୦୦୯ରେ ଷ୍ଟାଲିନ୍‌ ତାମିଲନାଡୁର ଉପ-ମୁଖ୍ୟମନ୍ତ୍ରୀ ପଦ ହାସଲ କରିଥିଲେ ଷ୍ଟାଲିନ୍‌।

୨୦୧୮ରେ ଡିଏମ୍‌କେର ମଙ୍ଗ ଧରିଥିଲେ ଷ୍ଟାଲିନ୍‌

୨୦୧୮ରେ ଏମ୍‌ କରୁଣାନିଧିଙ୍କ ମୃତ୍ୟୁ ପରେ ଷ୍ଟାଲିନ୍‌ ଡିଏମକେର ମଙ୍ଗ ଧରିଥିଲେ। କିନ୍ତୁ କରୁଣାନିଧିଙ୍କ ପରେ ଦଳରେ କ୍ଷମତା ଲଢ଼େଇ ଜୋରଦାର ଚାଲିଥିଲା। ଷ୍ଟାଲିନ୍‌ ଦଳର ଅଧ୍ୟକ୍ଷ ହେବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ତାଙ୍କ ଭାଇ ତଥା ବହିଷ୍କୃତ ଡିଏମ୍‌କେ ନେତା ଏମ୍‌କେ ଆଲାଗିରି କ୍ଷମତାକୁ ଆସିବାକୁ ଚାହୁଁଥିଲେ। ତେଣୁ ଡିଏମ୍‌କେରେ ଯୋଗଦେବାକୁ ସେ ଦାବି କରିଥିଲେ। ତାଙ୍କୁ ଦଳରେ ସାମିଲ୍‌ କରାନଗଲେ, ଷ୍ଟାଲିନ୍‌ ଭୟଙ୍କର ଫଳାଫଳ ଭୋଗିବେ ବୋଲି ଆଲାଗିରି ଧମକ ଦେଇଥିଲେ। କିନ୍ତୁ ଭାଇଙ୍କ ଧମକକୁ ବେଖାତିର କରି ଷ୍ଟାଲିନ୍ ଅଧ୍ୟକ୍ଷ ପଦ ହାତେଇଥିଲେ। ଏବଂ ତାମିଲନାଡୁ ବିଧାନସଭାରେ ମୁଖ୍ୟ ବିରୋଧୀ ଦଳର ସର୍ବେସର୍ବା ପାଲଟିଥିଲେ ଷ୍ଟାଲିନ୍‌।

କାହିଁକି ନାଁ ଷ୍ଟାଲିନ୍‌ ଦିଆଯାଇଥିଲା?

ମାର୍ଚ୍ଚ ୫, ୧୯୫୩ରେ ୠଷର ଏକଛତ୍ରବାଦୀ ଶାସକ’ ଜୋସେଫ ଷ୍ଟାଲିନଙ୍କ ମୃତ୍ୟୁ ହୋଇଥିଲା। ଏହାର ୪ ଦିନ ପୂର୍ବରୁ ଅର୍ଥାତ୍ ମାର୍ଚ୍ଚ ୧ରେ ଏମକେ ଷ୍ଟାଲିନଙ୍କ ଜନ୍ମ ହୋଇଥିଲା। ହେଲେ ସେତେବେଳେ ତାଙ୍କ ନାଁ ଦିଆ ଯାଇନଥିଲା। ଯେତେବେଳେ କରୁଣାନିଧି ଜାଣିବାକୁ ପାଇଲେ ଯେ ଜୋସେଫ୍‌ଷ୍ଟାଲିନଙ୍କ ମୃତ୍ୟୁ ଘଟିଛି ସେତେବେଳେ ସେ ତାଙ୍କ ପୁଅର ନାଁ ‘ଏମ.କେ ଷ୍ଟାଲିନ’ ଦେଇଥିଲେ। ‘ଷ୍ଟାଲିନ୍’ର ଅର୍ଥ ହେଉଛି’ ଆଇରନ୍ ମ୍ୟାନ୍।

Comment