ଓଡ଼ିଶାଲାଇଭ୍ ବ୍ୟୁରୋ

ତାମିଲନାଡୁ ନିର୍ବାଚନରେ ଜିତାପଟ ହାସଲ ପାଇଁ ଲକ୍ଷ୍ୟ ରଖିଛି ବିଜେପି।

ତାମିଲନାଡୁ ବିଧାନସଭା ନିର୍ବାଚନକୁ ଆହୁରି ୬ ମାସ ବାକି। ହେଲେ ଏବେଠୁ ଦକ୍ଷିଣ ଭାରତର ଏହି ରାଜ୍ୟରେ ପଦ୍ମ ଫୁଟାଇବାକୁ କମର କସିଲାଣି ବିଜେପି। ବିହାର ନିର୍ବାଚନରେ ଦଳ ଯେଭଳି ସଫଳତା ପାଇଲା, ତାକୁ ପଶ୍ଚିମବଙ୍ଗ ଏବଂ ତାମିଲନାଡୁରେ ମଧ୍ୟ ଦୋହରାଇବାକୁ ବିଜେପି ଲକ୍ଷ୍ୟ ରଖିଛି।

ଏସବୁ ଭିତରେ ଶନିବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶନିବାର ତାମିଲନାଡୁ ଗସ୍ତ କରିଛନ୍ତି। ସେଠାରେ ସେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶୁଭାରମ୍ଭ କରିବେ। ତା’ସହିତ ଶାହ ଶନିବାର ସନ୍ଧ୍ୟାରେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ସହିତ ଆଲୋଚନା ମଧ୍ୟ କରିବେ। ଆଗକୁ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ଶାହଙ୍କ ଏହି ଗସ୍ତକୁ ନେଇ ଏବେ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା।ବିଜେପିର ମିଶନ ତାମିଲନାଡୁ

ଲୋକସଭା ହେଉ ଅବା ବିଧାନସଭା, ଗତ ନିର୍ବାଚନଗୁଡ଼ିକରେ ବିଜେପି ତାମିଲନାଡୁରେ ଭୋଟରଙ୍କ ଆସ୍ଥା ଭାଜନ ହୋଇପାରିନି। ୨୦୧୪ ନିର୍ବାଚନରେ ସାରା ଦେଶରେ ମୋଦୀ ଲହର ଥିବା ସତ୍ତ୍ୱେ ତାମିଲନାଡୁରେ ଦଳ ମାତ୍ର ଗୋଟିଏ ଆସନ ଜିତିପାରିଥିଲା। ସେହିପରି ୨୦୧୬ ବିଧାନସଭା ନିର୍ବାଚନରେ ମଧ୍ୟ ବିଜେପିର ସମସ୍ତ ପ୍ରାର୍ଥୀ ପରାଜୟ ଭୋଗିଥିଲେ।

ଏହାପରେ ୨୦୧୯ ନିର୍ବାଚନରେ ଦଳ ଏଆଇଏଡିଏମକେ ସହ ମିଶି ଭଲ ପ୍ରଦର୍ଶନ କରିବ ବୋଲି ଆଶା ରଖିଥିଲା। ହେଲେ ଏଥର ବି ଦଳକୁ ପରାଜୟ ସ୍ୱାଦ ଚାଖିବାକୁ ପଡ଼ିଥିଲା। ତେଣୁ ଆଗକୁ ଥିବା ବିଧାନସଭା ନିର୍ବାଚନରେ ଦଳ ଭଲ ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖିଛି।୨୦୧୪ରେ କାମ ଦେଲାନି ମୋଦୀ ଲହର

୨୦୧୪ ମସିହାରେ ସାରା ଦେଶରେ ମୋଦୀ ଲହର ବହିଥିଲା। ହେଲେ ତାମିଲନାଡୁରେ କିନ୍ତୁ ଏହା କୌଣସି ବି ପ୍ରଭାବ ପଡ଼ିନଥିଲା। ୩୯ଟି ଲୋକସଭା ଆସନରୁ ଏଆଇଏଡିଏମକେ ୩୭ଟି ଆସନ ପୋଛିନେଇଥିବାବେଳେ ଏନଡିଏ ହାତକୁ ଆସିଥିଲା ମାତ୍ର ଦୁଇଟି ସିଟ୍। ସେତେବେଳେ ଏଆଇଏଡିଏମକେ ଏନଡିଏଠାରୁ ଅଲଗା ହୋଇ ନିର୍ବାଚନ ଲଢୁଥିଲା।

ତାମିଲାନାଡୁରେ ଏନଡିଏର ଏହି ପ୍ରଦର୍ଶନକୁ ନେଇ ବିଜେପି ଶିବିରରେ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା। ଦଳ ତାମିଲନାଡୁରେ କିଭଳି ନିଜ ସଙ୍ଗଠନ ସଜାଡ଼ିବ ସେନେଇ ଅଙ୍କକଷିବା ଆରମ୍ଭ ହୋଇଯାଇଥିଲା।୨୦୧୬ରେ ବିଜେପି ହାତ ଖାଲି

୨୦୧୬ ମସିହାରେ ତାମିଲନାଡୁରେ ବିଧାନସଭା ନିର୍ବାଚନ ହୋଇଥିଲା। ଏହି ନିର୍ବାଚନରେ ଏଆଇଏଡିମକେ ଜୟଲଳିତାଙ୍କ ନେତୃତ୍ୱରେ ନିର୍ବାଚନ ଲଢ଼ିଥିଲା। ଅନ୍ୟପଟେ ଡିଏମକେ ମଧ୍ୟ ଜୟଲଳିତାଙ୍କୁ କଡ଼ା ଟକ୍କର ଦେଇଥିଲା। ହେଲେ ବିଜେପି କିନ୍ତୁ ଏହି ଲଢ଼େଇରେ ପଛରେ ପଡ଼ିଯାଇଥିଲା।

ନିର୍ବାଚନରେ ଏଆଇଏଡିଏମକେ ୧୩୬ଟି ଆସନରେ ଜିତି ସରକାର ଗଢ଼ିବା ସହ ଡିଏମକେ ୮୯ଟି ଆସନରେ ଜିତି ବିରୋଧୀ ଦଳର ମାନ୍ୟତା ପାଇଥିଲା। ହେଲେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବିଜେପି ଏହି ନିର୍ବାଚନରେ ଗୋଟିଏ ବି ସିଟ୍ ଜିତିପାରିନଥିଲା।୨୦୧୯ ନିର୍ବାଚନରେ ବି ଏନଡିଏ ଫେଲ୍

୨୦୧୯ ଲୋକସଭା ନିର୍ବାଚନରେ ଏଆଇଏଡିଏମକେ ଓ ବିଜେପି ମେଣ୍ଟ ହୋଇ ନିର୍ବାଚନ ଲଢ଼ିଥିଲେ। ହେଲେ ଏଆଇଡିଏମକେ ପାଇଁ ଏହି ମେଣ୍ଟ ଭାଗିଦାରୀ ଭାରି ପଡ଼ିଥିଲା। ସାଧାରଣ ନିର୍ବାଚନରେ ଡିଏମକେ ଓ କଂଗ୍ରେସ ମେଣ୍ଟ ୩୮ ଆସନରେ ବିଜୟୀ ହୋଇଥିଲାବେଳେ ଏନଡିଏ ମେଣ୍ଟ ମାତ୍ର ଗୋଟିଏ ଆସନ ଜିତିଥିଲା।

ଏଥର ବି ନିର୍ବାଚନରେ ବିଜେପିର ହାତ ଖାଲି ରହିଥିଲା। ଏଆଇଡିଏମକେର ଜଣେ ମାତ୍ର ପାର୍ଥୀ ନିର୍ବାଚନ ଜିତିପାରିବାକୁ ସକ୍ଷମ ହୋଇଥିବାବେଳେ, ବିଜେପିର ସବୁ ପ୍ରାର୍ଥୀ ପରାଜୟ ଭୋଗିଥିଲେ।

Comment