ଓଡ଼ିଶାଲାଇଭ୍ ବ୍ୟୁରୋ

ତାମିଲନାଡୁରେ ନୂଆ ରାଜନୈତିକ ଦଳ ଗଢ଼ିବେ ସୁପରଷ୍ଟାର ରଜନୀକାନ୍ତ। ୨୦୨୧ରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ରଜନୀଙ୍କ ଦଳ ନିର୍ବାଚନ ଲଢ଼ିବ ବୋଲି ଗୁରୁବାର ସେ ଘୋଷଣା କରିଛନ୍ତି। ତେବେ ଏସମ୍ପର୍କିତ ବିଧିବଦ୍ଧ ଘୋଷଣା ଆସନ୍ତା ଡିସେମ୍ବର ୩୧ ତାରିଖରେ ହେବ ବୋଲି ସୂଚନା ମିଳିଛି।

ଶୁକ୍ରବାର ଗଣମାଧ୍ୟମକୁ ଉତ୍ତର ଦେଇ ରଜନୀ କହିଛନ୍ତି ଯେ, କରୋନା କାରଣରୁ ସେ ତାଙ୍କ ନିଜ ଦଳ ଘୋଷଣା କରିନଥିଲେ। ହେଲେ ଜାନୁଆରି ମାସରେ ସେ ତାଙ୍କର ନୂଆ ଦଳ ଆରମ୍ଭ କରିବେ। ଏହି ଦଳ ନିର୍ବାଚନରେ ଭାଗ ନେବ। ଯଦି ଦଳ ନିର୍ବାଚନରେ ଜିତାପଟ ହାସଲ କରେ, ତେବେ ଏହା ତାମିଲନାଡୁ ଜନତାଙ୍କ ବିଜୟ ହେବ ବୋଲି ରଜନୀକାନ୍ତ କହିଛନ୍ତି।

ଏଥିସହ ସେ ଆହୁରି ମଧ୍ୟ କହିଛନ୍ତି, “ଲୋକମାନଙ୍କ ପାଇଁ ଏହି ଦଳ କାମ କରିବ। ଲୋକଙ୍କ କଥାକୁ ନେଇ ନିର୍ବାଚନ ଲଢ଼ିବ ଓ ଜିତିବ। ଆଗାମୀ ଦିନରେ ତାମିଲନାଡୁ ସ୍ୱଚ୍ଛ, ସ୍ୱାଧୀନ, ଦୁର୍ନୀତିମୁକ୍ତ ରାଜନୀତି ଦେଖିବ।”

ସାଉଥ୍ ଫିଲ୍ମ ଜଗତରେ ସୁପରଷ୍ଟାରର ଆଖ୍ୟା ପାଇଥିବା ରଜନୀକାନ୍ତ ରାଜନୀତିରେ ପ୍ରବେଶ କରିବା ନେଇ ବହୁ ଦିନରୁ ଚର୍ଚ୍ଚା ହେଉଥିଲା। ସେ ବିଜେପିରେ ମଧ୍ୟ ସାମିଲ ହୋଇପାରନ୍ତି ବୋଲି କୁହାଯାଉଥିଲା। ହେଲେ ଶେଷରେ ସେ ତାଙ୍କର ନୂଆ ଦଳ ଗଠନ କରିବା ନେଇ ସୂଚନା ଦେଇଛନ୍ତି।

୧୯୯୬ ମସିହାରେ ରଜନୀକାନ୍ତ ପ୍ରଥମ ଥର ପାଇଁ ଖୋଲାଖୋଲି ଭାବେ ଡିଏମକେ ଦଳକୁ ସମର୍ଥନ କରିଥିଲେ। ଏହି ସମୟରେ ସେ ଜୟଲଳିତାଙ୍କୁ ବିରୋଧ କରି ‘ତାମିଲନାଡୁ ବଞ୍ଚାଅ’ ନାରା ଦେଇଥିଲେ। ନିର୍ବାଚନ ଫଳାଫଳ ମଧ୍ୟ ଡିଏମକେ ପକ୍ଷରେ ଯାଇଥିଲା। ଏହି ସମୟରେ ରଜନୀକାନ୍ତ ରାଜନୀତି ମଇଦାନକୁ ନିଜେ ଓହ୍ଲାଇବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଥିଲା; କିନ୍ତୁ ରଜନୀ ରାଜନୀତିଠାରୁ ଦୂରରେ ରହିଥିଲେ। ଏହାପରେ ଦୀର୍ଘ ଦିନର ବ୍ୟବଧାନ ତଥା ଜୟଲଳିତାଙ୍କ ଦେହାନ୍ତ ପରେ ସେ ରାଜନୀତିରେ ନିଜ ଦଳର ପ୍ରବେଶ ନେଇ ଘୋଷଣା କରିଛନ୍ତି।

Comment