ଓଡ଼ିଶାଲାଇଭ୍ ବ୍ୟୁରୋ

ତାମିଲନାଡ଼ୁର ମଦୁରାଇ ରେଳ ଷ୍ଟେସନ ନିକଟରେ ପୁନାଲୁର-ମଦୁରାଇ ଏକ୍ସପ୍ରେସର ଏକ କୋଚରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୧୦ ଜଣ ଯାତ୍ରୀ ଜିଅନ୍ତା ଜଳି ଯାଇଛନ୍ତି। ଏଥିରେ ୨୦ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଏହି ଏକ୍ସପ୍ରେସଟି ଲକ୍ଷ୍ନୌରୁ ରାମେଶ୍ଵର ଅଭିମୁଖେ ଯାତ୍ରା କରୁଥିବାବେଳେ ଶନିବାର ଭୋର ପ୍ରାୟ ୫ଟା ୩୦ରେ ଏଥିରେ ନିଆଁ ଲାଗିଯାଇଥିଲା।

ରେଳବାଇ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ପୁନାଲୁର-ମଦୁରାଇ ଏକ୍ସପ୍ରେସ ଯାତ୍ରୀଙ୍କୁ ଧରି ରାମେଶ୍ଵର ଅଭିମୁଖେ ଯାତ୍ରା କରୁଥିଲା। ଟ୍ରେନଟି ଶନିବାର ଭୋର ପ୍ରାୟ ୫ଟା ୩୦ରେ ମଦୁରାଇ ରେଳ ଷ୍ଟେସନ ନିକଟରେ ପହଞ୍ଚିଥିଲା। ଏହି ସମୟରେ ଏକ ଭୟଙ୍କର ଶବ୍ଦ ଶୁଣିବାକୁ ମିଳିଥିଲା। ଦେଖୁ ଦେଖୁ ଟ୍ରେନର ଏକ କୋଚ ହୁତୁ ହୁତୁ ହୋଇ ଜଳି ଯାଇଥିଲା। ଅଗ୍ନିଶମ ବିଭାଗ ଦୀର୍ଘ ସମୟ ଚେଷ୍ଟା ପରେ ନିଆଁକୁ ଆୟତ୍ତ କରିବାକୁ ସକ୍ଷମ ହୋଇଥିଲେ।

ଏହି ଅଗ୍ନିକାଣ୍ଡ ଯୋଗୁଁ ଘଟଣାସ୍ଥଳରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୦ରୁ ଊର୍ଦ୍ଧ୍ଵ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ପାଇଁ ମଦୁରାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ନିଆଁ ଲାଗିଥିବା କୋଚରୁ ପ୍ରାୟ ୫୫ ଜଣ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା।

ନିଆଁ ଲାଗିଥିବା କୋଚରେ କିଛି ଯାତ୍ରୀ ଚା’ କରିବା ପାଇଁ ଗ୍ୟାସ ସିଲିଣ୍ଡର ବ୍ୟବହାର କରୁଥିବାବେଳେ ଏହି ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ରେଳ ମନ୍ତ୍ରାଳୟ ପକ୍ଷରୁ ମୃତକଙ୍କ ପରିବାର ପାଇଁ ୧୦ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରାଯାଇଛି।

Tags: #Fire #Passengersdies #PunalurMaduraiExpress #Tamilnadu #Madurai

Comment