ଓଡ଼ିଶାଲାଇଭ୍ ବ୍ୟୁରୋ

ତାମିଲନାଡୁ କୁନ୍ନୁର ନିକଟରେ ଘଟିଥିବା ବାୟୁସେନାର ହେଲିକପ୍ଟର ଦୁର୍ଘଟଣା ବିଷୟରେ ଗୁରୁବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସଂସଦରେ ବିବୃତି ରଖିବେ। ଦୁର୍ଘଟଣାର କାରଣ ଏବଂ ସେନାଧ୍ୟକ୍ଷ ଜେନେରାଲ ବିପିନ ରାଓ୍ଵତଙ୍କ ସ୍ଵାସ୍ଥ୍ୟାବସ୍ଥା ସମ୍ବନ୍ଧରେ ପ୍ରତିରକ୍ଷା ମନ୍ତ୍ରୀ ସଂସଦର ଉଭୟ ଗୃହରେ ବିବୃତି ରଖିବା ନେଇ ସୂଚନା ମିଳିଛି।ବୁଧବାର ବାୟୁସେନାର ଏକ ଚପର୍ ହେଲିକପ୍ଟରରେ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ (ସିଡିଏସ୍) ଜେନେରାଲ ବିପିନ ରାଓ୍ଵତ୍‌, ତାଙ୍କ ପତ୍ନୀ ମଧୁଲିକା ରାଓ୍ଵତ୍, ବ୍ରିଗେଡିୟର ଏଲ୍ ଏସି ଲିଡର, ଲେଫ୍ଟନାଣ୍ଟ କର୍ଣ୍ଣେଲ ହରଜିନ୍ଦର ସିଂହଙ୍କ ସମେତ ମୋଟ୍ ୧୪ ଜଣ ଯାତ୍ରୀ ତାମିଲନାଡୁର ଓ୍ଵେଲିଂଟେନ୍ ଏୟାରବେସ୍ ଅଭିମୁଖେ ଯାତ୍ରା କରୁଥିଲେ। ହେଲେ କୁନ୍ନୁରଠାରେ କୌଣସି କାରଣରୁ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା।ଦୁର୍ଘଟଣାସ୍ଥଳରୁ ୧୧ଟି ମୃତଦେହ ସମେତ ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଏଥିରେ ସେନାଧ୍ୟକ୍ଷ ଜେନେରାଲ ବିପିନ ରାଓ୍ଵତ୍ ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କୁ ଓ୍ଵେଲିଂଟନ୍ ଏୟାରବେସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।ଘଟଣା ସମ୍ବନ୍ଧରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପ୍ରଧାନମନ୍ତ୍ରୀ ଅବଗତ କରାଇବା ସହ ଜେନେରାଲ ବିପିନ ରାଓ୍ଵତ୍‌ଙ୍କ ଦିଲ୍ଲୀ ସ୍ଥିତ ବାସଭବନକୁ ଯାଇ ପରିବାର ଲୋକଙ୍କୁ ଭେଟିଛନ୍ତି। ସେହିପରି ବାୟୁସେନା ମୁଖ୍ୟ ଘଟଣାସ୍ଥଳକୁ ଯାଇ ସ୍ଥିତି ସମୀକ୍ଷା କରିଛନ୍ତି। ବାୟୁସେନା ପକ୍ଷରୁ ଦୁର୍ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

Comment