ଓଡ଼ିଶାଲାଇଭ୍ ବ୍ୟୁରୋ

ତାମିଲନାଡୁରେ ବାୟୁସେନା ହେଲିକପ୍ଟର ଦୁର୍ଘଟଣାରେ ବୁଧବାର ସେନାଧ୍ୟକ୍ଷ ଜେନେରାଲ ବିପିନ ରାଓ୍ଵତଙ୍କ ପରଲୋକ ଘଟିଛି। ଏଥିସହ ତାଙ୍କ ପତ୍ନୀ ମଧୁଲିକା ରାଓ୍ଵତ ଏବଂ ହେଲିକପ୍ଟରରେ ଥିବା ଅନ୍ୟ ୧୧ ଜଣ ସେନା କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ଜେନେରାଲ ରାଓ୍ଵତଙ୍କ ପରଲୋକରେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ସମେତ ଦେଶର ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି।

ଦେଶର ପ୍ରଥମ ଚିଫ୍ ଅପ୍ ଡିଫେନ୍ସ ଷ୍ଟାଫ୍ (ସିଡିଏସ୍) ଥିଲେ ଜେନେରାଲ ବିପିନ ରାଓ୍ଵତ। ୨୦୨୦ ଜନୁଆରି ୧ ତାରିଖରେ ସେ ଏହି ପଦବୀରେ ନିଯୁକ୍ତ ହୋଇଥିଲେ। ଏହା ପୂର୍ବରୁ ସେ ଭାରତୀୟ ସ୍ଥଳ ସେନାର ମୁଖ୍ୟ (ଆର୍ମି ଚିଫ୍) ଥିଲେ। ଭାରତୀୟ ସେନାରେ ପ୍ରାୟ ୪ ଦଶନ୍ଧିରୁ ଅଧିକ ସମୟ ସେବା କରି ସେ ପ୍ରତିରକ୍ଷା କ୍ଷେତ୍ରରେ ଦେଶକୁ ଅନେକ ସଫଳତା ଦେଇଛନ୍ତି।ଗୋର୍ଖା ରାଇଫଲରୁ ସେନା ଯାତ୍ରା ଆରମ୍ଭ

ଜେନେରାଲ ବିପିନ ରାଓ୍ଵତ ତାଙ୍କ ପିତା ଲେଫ୍ଟନାଣ୍ଟ ଜେନେରାଲ ଲକ୍ଷ୍ମଣ ସିଂ ରାଓ୍ଵତଙ୍କ ପରି ଏକାଦଶ ଗୋର୍ଖା ରାଇଫଲ୍ସର ପଞ୍ଚମ ବାଟାଲିୟନରୁ ସେନାରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ୧୯୭୮ ଡିସେମ୍ଵର ୧୬ରେ ସେ ସେନାରେ ଯୋଗ ଦେଇଥିଲେ। ବାଟାଲିୟନ ପକ୍ଷରୁ ତାଙ୍କୁ ସ୍ଵର୍ଡ ଅଫ୍ ଅନର୍ ସମ୍ମାନରେ ସମ୍ମାନୀତ କରାଯାଇଥିଲା।  ପାହାଡ଼ି ଅପରେସନର ମାଷ୍ଟର 

ଉତ୍ତରାଖଣ୍ଡ ଭଳି ପାହାଡ଼ି ଇଲାକାରେ ଜେନେରାଲ ରାଓ୍ଵତଙ୍କ ଜନ୍ମ ହୋଇଥିଲା। ଏଣୁ ପାହାଡ଼ର କୋଣ କୋଣ ସହ ସେ ପିଲାଟି ବେଳୁ ଜଡ଼ିତ ଥିଲେ। ଏହି ଅଭିଜ୍ଞତା ତାଙ୍କୁ ପରବର୍ତ୍ତୀ ସମୟରେ ଦେଶର ପ୍ରତିରକ୍ଷା କ୍ଷେତ୍ରରେ ସାହାଯ୍ୟ କରିଥିଲା। ରାଓ୍ଵତଙ୍କ ନେତୃତ୍ଵରେ ଭାରତୀୟ ସେନା ଉତ୍ତର ଏବଂ ଉତ୍ତର-ପୂର୍ବ ଭାରତର ପାହାଡ଼ିଆ ଅଞ୍ଚଳରେ ଅନେକ ସେନା ଅପରେସନକୁ ସଫଳତାର ସହ ଅକ୍ତିଆର କରିଥିଲା। ଏଥିମଧ୍ୟରୁ ୧୯୮୭ ମସିହାର ଭାରତ-ଚାଇନା ଯୁଦ୍ଧ ଅନ୍ୟତମ। ଏହି ଯୁଦ୍ଧରେ ରାଓ୍ଵତଙ୍କ ନେତୃତ୍ଵାଧୀନ ବାଟାଲିୟନ ଅରୁଣାଚଳ ପ୍ରଦେଶର ପାହାଡ଼ି ଘାଟିରେ ଚୀନ ସେନାକୁ କଡ଼ା ଜବାବ ଦେଇଥିଲା।ଅନ୍ତର୍ଜାତୀୟ ମିଶନରେ ରାଓ୍ଵତଙ୍କ ପରାକ୍ରମ  

କାର୍ଯ୍ୟ ଦକ୍ଷତା ଏବଂ ଶତ୍ରୁ ଦମନ ନୀତି ପାଇଁ ଭାରତୀୟ ସେନାରେ ଜେନେରାଲ ରାଓ୍ଵତଙ୍କ ପରାକ୍ରମୀ ଭୂମିକା ଥିଲା ବେଶ୍ ଗୁରୁତ୍ଵପୂର୍ଣ୍ଣ। ବିଶେଷକରି ଆତଙ୍କବାଦୀଙ୍କୁ ଦମନ କରିବାରେ ତାଙ୍କ ପାଖରେ ୧୦ରୁ ଉର୍ଦ୍ଧ୍ଵ ବର୍ଷର ଅଭିଜ୍ଞତା ରହିଥିଲା। ତେବେ କେବଳ ଦେଶ ଭିତରେ ସେ ନିଜର ପରାକ୍ରମ ଦେଖାଇଛନ୍ତି ତାହା ନୁହେଁ, ବିଦେଶ ମାଟିରେ ମଧ୍ୟ ସାହସ ଦେଖାଇ ଭାରତର ନାଁକୁ ଉଚ୍ଚା କରିଛନ୍ତି। ୟୁଏନ୍ ମିଶନ ଇନ୍ କଙ୍ଗୋରେ ବ୍ରିଗେଡିୟର ଭାବେ ଯୋଗ ଦେଇ ରାଓ୍ଵତ ନିଜର ସାହାସୀ ପରାକ୍ରମ ଦେଖାଇଥିଲେ। ଦକ୍ଷିଣ ଆଫ୍ରିକୀୟ ଦେଶର କଙ୍ଗୋ ସେନାକୁ ଏକ ଅପରେସନରେ ସାହାଯ୍ୟ କରି ମିଶନକୁ ସଫଳ କରାଇଥିଲେ ଜେନେରାଲ ରାଓ୍ଵତ। ପ୍ରାୟ ୪ ମାସ ଧରି ଚାଲିଥିବା ଏହି ଅପରେସନରେ ରାଓ୍ଵତଙ୍କ ଭୂମିକା ବେଶ୍ ଗୁରୁତ୍ଵପୂର୍ଣ୍ଣ ଥିଲା।କ୍ରସ୍ ବର୍ଡର ଷ୍ଟ୍ରାଇକ୍‌ରେ ନେତୃତ୍ଵ

ଜୁନ ୨୦୧୫ରେ ମଣିପୁରରେ ଭାରତୀୟ ସେନା ଉପରେ ଆକ୍ରମଣ ହୋଇଥିଲା। ଏଥିରେ ଭାରତର ୧୮ ଜବାନ ସହିଦ ହୋଇଥିଲେ। ଏହି କ୍ଷତିର ପ୍ରତି ଜବାବରେ ଭାରତୀୟ ସେନା ସୀମା ପାର୍ କରି ମିଆଁମାରରେ ଏକ ଅପରେସନ୍ କରିଥିଲା। ଏହି କ୍ରସ୍ ବର୍ଡର ଅପରେସନର କମାଣ୍ଡିଂ ଅଫିସର ଥିଲେ ଜେନେରାଲ ରାଓ୍ଵତ। ଭାରତ ଏହି ଷ୍ଟ୍ରାଇକ୍‌ରେ ସଫଳ ହୋଇଥିଲା।

ମିଆଁମାର ଭଳି ପାକିସ୍ତାନରେ ମଧ୍ୟ ଜେନେରାଲ ରାଓ୍ଵତ କ୍ରସ୍ ବର୍ଡର ଷ୍ଟ୍ରାଇକ୍ କରିଥିଲେ। ୨୦୧୬ରେ ଜମ୍ମୁ ଓ କଶ୍ମୀରର ‘ଉରି’ଠାରେ ୧୯ ଭାରତୀୟ ଜବାନ ଆତଙ୍କବାଦୀଙ୍କ ଗୁଳିରେ ସହିଦ ହୋଇଥିଲେ। ଏହାପରେ ଭାରତୀୟ ସେନା ପକ୍ଷରୁ ସର୍ଜିକାଲ ଷ୍ଟ୍ରାଇକ୍ ହୋଇଥିଲା। ସେତେବେଳେ ଭାରତୀୟ ସେନାର ଉପମୁଖ୍ୟ ଥିବା ଜେନେରାଲ ବିପିନ ରାଓ୍ଵତ ଏହି ଷ୍ଟ୍ରାଇକ୍‌ର ପ୍ଲାନିଂରେ ସାମିଲ ଥିଲେ। ତାଙ୍କ ରଣନୀତିରେ ଭାରତୀୟ ସେନା ଶତ୍ରୁର ଗଡ଼ରେ ପଶି ସର୍ଜିକାଲ୍ ଷ୍ଟ୍ରାଇକ୍ କରିଥିଲା।

Comment