ଓଡ଼ିଶାଲାଇଭ୍ ବ୍ୟୁରୋ

(ବିଶାଖାପାଟଣାରୁ ଯଶୋବନ୍ତ ନାରାୟଣ ପାଢ଼ୀ): ସମାଜରେ ମା’ର ସ୍ଥାନ ସବୁଠାରୁ ଉଚ୍ଚରେ। ଗୋଟିଏ ସନ୍ତାନ ପାଇଁ ତା’ ମା’ର କୋଳ ହେଉଛି ସଂସାରରେ ସବୁଠାରୁ ସୁରକ୍ଷିତ ସ୍ଥାନ। ଜଣେ ମା’ ସବୁ ବିପଦର ସାମ୍ନା କରି ତା’ ସନ୍ତାନକୁ ସୁରକ୍ଷା ଦେଇଥାଏ। କିନ୍ତୁ ଆନ୍ଧ୍ରପ୍ରଦେଶରେ ଜଣେ ମା’ ସ୍ଵାମୀଙ୍କଠାରୁ ପ୍ରତିଶୋଧ ନେବା ପାଇଁ ମାତୃତ୍ଵର ମମତାକୁ ଭୁଲିଯାଇଛି। ନିଜ ଜନ୍ମକଲା ପିଲାଙ୍କୁ ଶାରିରୀକ ନିର୍ଯାତନା ଦେବାକୁ ପଛାଇ ନାହିଁ।

ଏପରିକି ନିର୍ଯାତନା ଦେବା ବେଳର ଦୃଶ୍ୟକୁ ଫୋନରେ କଏଦ କରି ପିଲାଙ୍କ ବାପାଙ୍କୁ ପଠାଇଛି। ଏହି ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବାପରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ନଜରରେ ପଡ଼ିଥିଲା ଏବଂ ତାଙ୍କ ହସ୍ତକ୍ଷେପ ପରେ ଅଭିଯୁକ୍ତ ମା’କୁ ଗିରଫ କରାଯାଇଛି।

ଆନ୍ଧ୍ରପ୍ରଦେଶ ଚିତୁର ଜିଲ୍ଲା ରାମପଲ୍ଲୀ ଗ୍ରାମର ବାସିନ୍ଦା ତୁଳସୀ, ତାମିଲନାଡୁ ଭିଲିପୁରମ୍ ଜିଲ୍ଲା ମେଟୁର ଗ୍ରାମର ଭାଡ଼ିଭେଲାନକୁ ବିବାହ କରିଥିଲେ। ଉଭୟଙ୍କର ଗୋକୁଳ(୪) ଓ ପ୍ରଦୀପ(୨) ନାମରେ ଦୁଇଟି ପୁଅ ଅଛନ୍ତି। ଆରମ୍ଭରୁ ତୁଳସୀ ଏବଂ ଭାଡ଼ିଭେଲାନଙ୍କ ସଂସାର ଠିକ୍ ଠାକ୍ ଚାଲିଥିଲା। ହେଲେ ଗତ କିଛି ମାସ ହେଲା ଉଭୟଙ୍କ ସମ୍ପର୍କରେ ତିକ୍ତତା ଆସିଥିଲା। ପ୍ରାୟ ସମୟ ସେମାନଙ୍କ ମଧ୍ୟରେ ଝଗଡ଼ା ହେଉଥିଲା। ତେଣୁ ତୁଳସୀ ଦୁଇ ସନ୍ତାନକୁ ଧରି ବାପଘରକୁ ଚାଲିଆସିଥିଲେ।

ବାପଘରକୁ ଆସିବା ପରେ ସ୍ଵାମୀ ଭାଡ଼ିଭେଲାନଙ୍କଠାରୁ କୌଣସି ମତେ ପ୍ରତିଶୋଧ ନେବାକୁ ତୁଳସୀ ପାଞ୍ଚିଥିଲେ। ତେଣୁ ନିଜର ଦୁଇ ସନ୍ତାନଙ୍କ ଉପରେ ସେ ଅତ୍ୟାଚାର ଆରମ୍ଭ କରିଦେଇଥିଲେ, ଆଉ ଏହି ସମୟର ଦୃଶ୍ୟକୁ ଭିଡିଓ କରି ସ୍ଵାମୀଙ୍କ ନିକଟକୁ ପଠାଉଥିଲେ। ଏସବୁ ଦେଖିବା ପରେ ନିଜ ପିଲାଙ୍କ ସୁରକ୍ଷା ପାଇଁ ଭାଡ଼ିଭେଲାନ ପୋଲିସର ଦ୍ଵାରସ୍ଥ ହୋଇଥିଲେ। କିନ୍ତୁ ମାମଲାଟି ଆନ୍ଧ୍ରର ହୋଇଥିବାରୁ ତାମିଲନାଡୁ ପୋଲିସ କୌଣସି ପଦକ୍ଷେପ ନେଉ ନଥିଲେ।

ଦିନକୁ ଦିନ ପିଲାଙ୍କ ଉପରେ ନିର୍ଯାତନା ଅଧିକ ହେବାରୁ ଶେଷରେ ଭାଡ଼ିଭେଲାନ କିଛି ରାସ୍ତା ନପାଇ ସୋସିଆଲ ମିଡିଆର ସାହାଯ୍ୟ ନେଇଥିଲେ। ସ୍ତ୍ରୀ ପଠାଉଥିବା ଭିଡିଓଗୁଡ଼ିକୁ ସେ ସୋସିଆଲ ମିଡିଆରେ ପୋଷ୍ଟ କରି ତାମିଲନାଡୁବାସୀଙ୍କୁ ସହାୟତା ମାଗିଥିଲେ। ଏହି ଘଟଣା ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ନିକଟରେ ପହଞ୍ଚିବାପରେ ତୁରନ୍ତ ପଦକ୍ଷେପ ନିଆଯାଇଥିଲା।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଅଭିଯୁକ୍ତ ମା’ କୁ ଆନ୍ଧ୍ରପ୍ରଦେଶରୁ ଗିରଫ କରାଯାଇଛି। ଏଥିସହ ଦୁଇ ସନ୍ତାନକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ଚେନ୍ନାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପିଲାଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଥିବାବେଳେ ତାମିଲନାଡୁ ସରକାର ସେମାନଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରୁଛନ୍ତି। ଅନ୍ୟପକ୍ଷେ ଅଭିଯୁକ୍ତ ତୁଳସୀକୁ ଏଭଳି ଅମାନବୀୟ କାଣ୍ଡ ପାଇଁ କଠୋର ଦଣ୍ଡ ଦେବାକୁ ରାଜ୍ୟ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ।

Comment