ଓଡ଼ିଶାଲାଇଭ୍ ବ୍ୟୁରୋ

(ବିଶାଖାପାଟଣାରୁ ଯଶୋବନ୍ତ ନାରାୟଣ ପାଢ଼ୀ): ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ସୀମାଞ୍ଚଳସ୍ଥିତ ପ୍ରସିଦ୍ଧ ଶ୍ରୀବରାହ ନରସିଂହ ସ୍ଵାମୀ ମନ୍ଦିରର ବିକାଶ ପାଇଁ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରାଳୟ ପକ୍ଷରୁ ୫୫ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହାଦ୍ଵାରା ମନ୍ଦିରର ପୁନଃ ନବୀକରଣ କରାଯିବା ସହ ତୀର୍ଥଯାତ୍ରୀଙ୍କ ପାଇଁ ମନ୍ଦିର ପରିସରରେ ଆବଶ୍ୟକୀୟ ସୁବିଧା କରାଯିବ।

ଆନ୍ଧ୍ରପ୍ରଦେଶର ବହୁ ପ୍ରସିଦ୍ଧ ମନ୍ଦିର ମଧ୍ୟରୁ ଶ୍ରୀବରାହ ନରସିଂହ ସ୍ଵାମୀ ମନ୍ଦିର ଅନ୍ୟତମ। କରୋନା ସଂକ୍ରମଣ ପାଇଁ ଏହି ମନ୍ଦିର ବନ୍ଦ ରହିଥିବାରୁ ପର୍ଯ୍ୟଟକମାନଙ୍କ ଯାତାୟତ ମଧ୍ୟ ଏକ ପ୍ରକାର ଠପ୍ ହୋଇଯାଇଥିଲା। ଏହାର ସିଧାସଳଖ ପ୍ରଭାବ ମନ୍ଦିରର ଆର୍ଥିକ ସ୍ଥିତି ଉପରେ ପଡ଼ିଛି। ତେଣୁ ଏଭଳି ପରିସ୍ଥିତିରେ ମନ୍ଦିରର ଉନ୍ନତିକରଣ ନିମନ୍ତେ ଅଣ୍ଟା ଭିଡ଼ିଛି ପର୍ଯ୍ୟଟନ ବିଭାଗ।ଆନ୍ଧ୍ରପ୍ରଦେଶର ସମସ୍ତ ପ୍ରସିଦ୍ଧ ମନ୍ଦିରମାନଙ୍କ ସ୍ଥିତି ସମୀକ୍ଷା କରିବା ପାଇଁ ଗୁରୁବାର ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ମୁତ୍ତାମସେଟ୍ଟି ଶ୍ରୀନିବାସା ରାଓ ଏକ ବୈଠକ କରିଥିଲେ। ସେ ଏହି ବୈଠକରେ କହିଥିଲେ, ରାଜ୍ୟ ସରକାର ଧାର୍ମିକ ଅନୁଷ୍ଠାନଗୁଡ଼ିକର ପୁନଃ ରାଜସ୍ଵ ବୃଦ୍ଧି ଓ ନୂଆ ନିଯୁକ୍ତି ସୃଷ୍ଟି କରିବାକୁ ଚହୁଁଛନ୍ତି। ତେଣୁ ସେ ଏହି ନବୀକରଣ ଯୋଜନାରେ ଆବାସ, ମେଡିକାଲ, ଔଷଧୀୟ ଉଦ୍ୟାନ, ଯାତ୍ରୀଙ୍କ ଉଦ୍ୟାନ, ପ୍ରାର୍ଥନା ହଲ୍ ଏବଂ ଧ୍ୟାନକେନ୍ଦ୍ର ଇତ୍ୟାଦି ନିର୍ମାଣ କରିବେ। ଏଥିସହ ଶ୍ରୀବରାହ ନରସିଂହ ସ୍ଵାମୀ ମନ୍ଦିର ଦର୍ଶନ କରିବାକୁ ଆସୁଥିବା ୨ହଜାର ଶ୍ରଦ୍ଧାଳୁଙ୍କ ପାଇଁ ରହିବାର ସୁବିଧା କରାଯିବ ଏବଂ ସୀମାଞ୍ଚଳ ପୁଷ୍କରିଣୀର ବିକାଶ ମଧ୍ୟ କରାଯିବ।

ସେ ଆଉ ମଧ୍ୟ କହିଛନ୍ତି, “ସିମାଞ୍ଚଳ ମନ୍ଦିରର ବିକାଶ ପାଇଁ କେନ୍ଦ୍ର ସରକାରଙ୍କୁ ଅତୀତରେ ପ୍ରସ୍ତାବ ଦିଆଯାଇଥିଲା। ଏଥିସହ ୭୦ କୋଟି ଟଙ୍କାର ଆର୍ଥିକ ସହାୟତା ଦେବାକୁ କୁହାଯାଇଥିଲା। କିନ୍ତୁ କରୋନା ମହାମାରୀ ହେତୁ ଏହାର ମଞ୍ଜୁରିରେ ବିଳମ୍ବ ହୋଇଥିଲା।କିଛି ଦିନ ପୂର୍ବରୁ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଜି କିଶାନ ରେଡ୍ଡୀଙ୍କ ପ୍ରତିନିଧିତ୍ୱରେ ଏକ ଟିମ୍ ବିଶାଖାପାଟଣାରେ ପହଞ୍ଚି ପ୍ରସ୍ତାବଗୁଡ଼ିକର ଯାଞ୍ଚ କରି କେନ୍ଦ୍ରକୁ ଏକ ରିପୋର୍ଟ ଦେଇଥିଲେ। ଏହି ରିପୋର୍ଟ ମୂତାବକ ମନ୍ଦିରର ବିକାଶ କାର୍ଯ୍ୟ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୫୫କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିସହ ଆଗାମୀ ଦିନରେ ରାଜ୍ୟରେ ଥିବା ଅନ୍ୟ ସବୁ ପ୍ରସିଦ୍ଧ ମନ୍ଦିରଗୁଡ଼ିକର ବିକାଶ ଓ ନବୀକରଣ ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବାକୁ କେନ୍ଦ୍ର ପ୍ରତିଶ୍ରୁତି ଦେଇଥିବା କହିଛନ୍ତି ପର୍ଯ୍ୟଟନ ମନ୍ତ୍ରୀ ମୁତ୍ତାମସେଟ୍ଟି ଶ୍ରୀନିବାସା ରାଓ।

Comment