ଓଡ଼ିଶାଲାଇଭ୍ ବ୍ୟୁରୋ

(କିଶୋର ମହାପାତ୍ର, ନୟାଗଡ଼ ରୁରାଲ): ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ସାତକୋଶିଆକୁ ‘ରାମସର ସାଇଟ୍’ ମାନ୍ୟତା ମିଳିଛି। କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ଟୁଇଟ କରି ଏହି ଘୋଷଣା କରାଯାଇଛି। ଦେଶର ମୋଟ ୧୦ଟି ଆର୍ଦ୍ରଭୂମିକୁ ଏହି ମାନ୍ୟତା ମିଳିଛି। ସେଥି ମଧ୍ୟରେ ସାଶାତକୋଶିଆ ଗଣ୍ଡର ନାଁ ସାମିଲ ରହିଛି। ବିଶ୍ୱର ଆର୍ଦ୍ରଭୂମିକୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ ‘ରାମସର ସାଇଟ୍’ ଘୋଷଣା କରାଯାଉଛି। ଅନ୍ତର୍ଜାତୀୟ ସ୍ତରରେ ଏହା ଏକ ବଡ଼ ପଦକ୍ଷେପ ବୋଲି କୁହାଯାଉଛି। ଆର୍ଦ୍ରଭୂମିର ଗୁରୁତ୍ୱକୁ ଦୃଷ୍ଟିରେ ରଖି ୟୁନେସ୍କୋ ଏହି ମାନ୍ୟତା ପ୍ରଦାନ କରିଥାଏ।

ପୂର୍ବରୁ ଓଡ଼ିଶାର ଚିଲିକା ଓ ଭିତରକନିକାକୁ ଏହି ମାନ୍ୟତା ମିଳିସାରିଛି। ରାମସର ସାଇଟ ମାନ୍ୟତା ପାଇବାରେ ସାତକୋଶିଆ ରାଜ୍ୟର ତୃତୀୟ ସ୍ଥାନ ଅଧିକାର କରିଛି। ରାମସାର ସାଇଟ୍ ମାନ୍ୟତା ମିଳିଥିବା ଦେଶର ୧୦ଟି ସ୍ଥାନ ମଧ୍ୟରେ ତାମିଲନାଡୁର ସର୍ବାଧିକ ୬ଟି ସ୍ଥାନ ରହିଛି। ଏହା ସହିତ ଗୋଆ, କର୍ଣ୍ଣାଟକ, ମଧ୍ୟପ୍ରଦେଶ ଓ ଓଡ଼ିଶାରୁ ଗୋଟିଏ ଲେଖାଏଁ ସ୍ଥାନ ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ମୋଟ ୬୪ଟି ସ୍ଥାନକୁ ‘ରାମସର ସାଇଟ୍’ ଘୋଷଣା କରାଯାଇଛି।

ସୂଚନା ଅନୁସାରେ ଘଞ୍ଚ ଜଙ୍ଗଲ ଏବଂ ପ୍ରାକୃତିକ ପରିବେଶକୁ ନେଇ ଗଢ଼ି ଉଠିଥିବା ସାତକୋଶିଆ ଗଣ୍ଡ ଏକ ବିରଳ ସ୍ଥାନ। ଏହା ଆଜି ମଧ୍ୟ ସଭ୍ୟତାର ମୋହଠାରୁ ବହୁ ଦୂରରେ। ସମ୍ବର, ବାର୍କିଂ ହରିଣ, ଜଙ୍ଗଲି ବାରହା ଆଦି ଜୀବମାନଙ୍କର ବାସସ୍ଥାନ। ଏହି ଅଭୟାରଣ୍ୟରେ ଚିତା, ମହାବଳ ବାଘ ମଧ୍ୟ ପରିଦୃଷ୍ଟ ହୋଇଥାନ୍ତି। କୋଚିଲାଖାଇ, ଫିସିଂ ଇଗଲ୍, କ୍ରେଷ୍ଟେଡ୍ ସର୍ପେଣ୍ଟ ଇଗଲ, କଜଳପାତି ଏବଂ ଶାରୀ ଆଦି ପକ୍ଷୀମାନଙ୍କର ମଧୁର କାକଳିରେ ପ୍ରକୃତିର ଶାନ୍ତି ଚହକି ଯାଇଥାଏ।

ବିରଳ ବାଡ଼ି, କଇଁଛ, ଗୁଣ୍ଡୁଚି, ଅହିରାଜ, ଅଜଗର, ଗୋଧି, ଘଡ଼ିଆଳ କୁମ୍ଭୀର ଏବଂ ମଗର କୁମ୍ଭୀର ଆଦି ବିଭିନ୍ନ ସରୀସୃପର ସମ୍ଭାର ଏହି ସ୍ଥାନରେ ଦେଖିବାକୁ ମିଳେ। ପାହାଡ଼ର ଉପରି ଭାଗରେ ଶୀତଳ ପାଣି ଏକ ସ୍ଥାନରେ ରହିଛି, ଯେଉଁଠାରେ ବର୍ଷ ତମାମ ବରଫ ପରି ଥଣ୍ଡା ପାଣି ଉପଲବ୍ଧ। ମୂଲ୍ୟବାନ ଶିଶୁକାଠ ଶାତକୋଶିଆ ଅଭୟାରଣ୍ୟରେ ରହିଛି। ସାତକୋଶିଆ ଗଣ୍ଡ ଓ ବିଶାଳ ମହାନଦୀର ମନୋରମ ଦୃଶ୍ୟକୁ ଉପଭୋଗ କରିବା ନିମନ୍ତେ ଛାମୁଣ୍ଡିଆ ନିକଟସ୍ଥ ବଡ଼ମୂଳଠାରେ ମହାନଦୀ ବନ୍ୟବିଭାଗ ତରଫରୁ ଏକ ସୁଉଚ୍ଚ ଟାଓ୍ୱାର ନିର୍ମାଣ କରାଯାଇଛି।

ବଡ଼ମୂଳଠାରୁ ୮ କିମି ଦୂର କୁତୁରୀଠାରେ ପଶୁମାନଙ୍କ ପ୍ରାକୃତିକ ପ୍ରଜନନସ୍ଥଳୀ କେନ୍ଦ୍ର ରହିଛି। ଅଭୟାରଣ୍ୟର ଜୀବଜନ୍ତୁଙ୍କ ନିମନ୍ତେ ମହାନଦୀ ବନ୍ୟ ବିଭାଗ ଦ୍ୱାରା ପାଣିଟାଙ୍କି, ଖାଦ୍ୟଉପଯୋଗୀ ଘାସ ଏବଂ ବୃକ୍ଷ ବାଟିକା ନିର୍ମାଣ କରାଯାଇ ଏହି କେନ୍ଦ୍ରକୁ ଆସୁଥିବା ବନ୍ୟ ଜୀବଜନ୍ତୁମାନଙ୍କୁ ସମୂର୍ଣ୍ଣ ସୁରକ୍ଷା ଯୋଗାଇ ଦିଆଯାଏ। ରାତିରେ ଜୀବଜନ୍ତୁଙ୍କ ଗତିବିଧି ଓ ଚାଲି ଚଳନ ଲକ୍ଷ୍ୟ କରିବା ଲାଗି ଯାତ୍ରୀମାନଙ୍କ ନିମନ୍ତେ ବୃକ୍ଷ ଉପରେ ମଞ୍ଚ ଓ କୁଟୀର ବ୍ୟବସ୍ଥା ଥିବା ସହିତ ସ୍ଵାସ୍ଥ୍ୟସେବା ପାଇଁ ନିକଟରେ ଗଣିଆ ସ୍ୱାସ୍ଥ୍ୟକେନ୍ଦ୍ର ଅଛି। ସାତକୋଶିଆ ଅଭୟାରଣ୍ୟ ନୟାଗଡ଼ର ମହାନଦୀ ସଂରକ୍ଷିତ ଜଙ୍ଗଲଠାରୁ ବୌଦ୍ଧ ଜିଲ୍ଲାର ନନ୍ଦାଗଡୁ ସଂରକ୍ଷିତ ଜଙ୍ଗଲ ପର୍ଯ୍ୟନ୍ତ ବ୍ୟାପିଥିବା ଏହାର ପ୍ରାକୃତିକ ଦୃଶ୍ୟ ଅତ୍ୟନ୍ତ ମନୋହର।

Tags: #Nayagarh #Gania #Satkoshia #RamsarTags

Comment