ଓଡ଼ିଶାଲାଇଭ୍ ବ୍ୟୁରୋ

ନୟାଗଡ଼ ଜିଲ୍ଲାରେ ନିର୍ବାଚନ ଲାଗି ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଜିଲ୍ଲାର ୪ଟି ବିଧାନସଭା ଆସନରେ ମୋଟ ୩୨ ଜଣ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଛନ୍ତି। ଭୋଟ ଗ୍ରହଣ ପାଇଁ ନୟାଗଡ଼ରେ ୯୩୭ଟି ମତଦାନ କେନ୍ଦ୍ର ହେବା ଲାଗି ସ୍ଥିର ହୋଇଛି। ଏନେଇ ନୟାଗଡ଼ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ନୟାଗଡ଼

ନୟାଗଡ଼ ବିଧାନସଭା ଆସନରେ ୭ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୬ ଜଣଙ୍କ ପ୍ରାର୍ଥୀପତ୍ର କାଏମ ରହିଛି। ଅରୁଣ କୁମାର ସାହୁ ବିଜେଡ଼ିରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ବିଜେପି ପ୍ରାର୍ଥୀ ହୋଇଛନ୍ତି। ରଣଜିତ ଦାଶ କଂଗ୍ରେସ ପ୍ରାର୍ଥୀ ରହିଥିବାବେଳେ ଗିରିଧାରୀ ରାଉତ, ସନ୍ତୋଷ ନାରାୟଣ ଓ ହେମନ୍ତ କୁମାର ପୃଷ୍ଟି ସ୍ୱାଧୀନ ପ୍ରାର୍ଥୀ ରୂପେ ଲଢ଼େଇରେ ଅବତୀର୍ଣ୍ଣ ହୋଇଛନ୍ତି।

ରଣପୁର

ରଣପୁର ବିଧାନସଭା ଆସନରେ ୮ ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ିବେ। ଏଠାରେ ୯ ଜଣ ପ୍ରାର୍ଥିପତ୍ର ଦାଖଲ କରିଥିବାବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କର ପ୍ରାର୍ଥିପତ୍ର ଖାରଜ ହୋଇ ଯାଇଛି। ସେମାନଙ୍କ ମଧ୍ୟରେ ମାକ୍ସବାଦୀ କମ୍ୟୁନିଷ୍ଟ ପାର୍ଟିରୁ ସରୋଜ କୁମାର ନାୟକ, ବିଜେପିରୁ ସୁରମା ପାଢ଼ି, ବିଜେଡ଼ିରୁ ସତ୍ୟନାରାୟଣ ପ୍ରଧାନ, କଂଗ୍ରେସରୁ ବିଭୁପ୍ରସାଦ ମିଶ୍ର, ସୋସାଲିଷ୍ଟ କମ୍ୟୁନିଷ୍ଟ ପାର୍ଟିରୁ କୃଷ୍ଣଚନ୍ଦ୍ର ମହାପାତ୍ର, ଆମ ଆଦ୍‌ମୀ ପାର୍ଟିରୁ ସୁଧିର କୁମାର ଦାସ, ସ୍ୱାଧୀନ ଭାବେ ହୁଲାସ ବାରିକ ଏବଂ ସନ୍ତୋଷ କୁମାର ସାହୁ ପ୍ରାର୍ଥୀ ରହିଛନ୍ତି।

ଖଣ୍ଡପଡ଼ା

ଖଣ୍ଡପଡ଼ା ଆସନରେ ମୋଟ ୧୦ ଜଣ ନିର୍ବାଚନ ଲଢ଼ିବେ। ସେମାନେ ହେଲେ କଂଗ୍ରେସ ପ୍ରାର୍ଥୀ ବୈଜୟନ୍ତିମାଳା ମହାନ୍ତି, ବିଜେପିର ଦୁଷ୍ମନ୍ତ କୁମାର ସ୍ୱାଇଁ ଓ ବିଜେଡ଼ିରୁ ସାବିତ୍ରୀ ପ୍ରଧାନ ରହିଛନ୍ତି। ସେହିପରି ମାନସ ଲୋକଶକ୍ତି ଦଳର ରଶ୍ମିତା ବେହେରା, ଓଜେପିର ତ୍ରିନାଥ ନାୟକ, ସ୍ୱାଧୀନ ପ୍ରାର୍ଥୀ ଭାବେ ଅନୁଭବ ପଟ୍ଟନାୟକ, ଜିତେନ୍ଦ୍ର ବେହେରା, ଲୋପାମୁଦ୍ରା ଷଡ଼ଙ୍ଗୀ, ଶିବନାରାୟଣ ମହାନ୍ତି ଏବଂ ମଲ୍ଲୀ ବେହେରା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।

ଦଶପଲ୍ଲା

ଦଶପଲ୍ଲା ଆସନରେ ୧୦ ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ଏହାପରେ ପ୍ରତ୍ୟାହାର ପ୍ରକ୍ରିୟାରେ ୨ ଜଣ ପ୍ରାର୍ଥୀ ବାଦ ପଡ଼ିଥିବାବେଳେ ୮ ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼େଇରେ ଅଂଶଗ୍ରହଣ କରୁଛନ୍ତି। ସେମାନଙ୍କ ମଧ୍ୟରେ ବିଜେପିରୁ ରାଘବ ମଲ୍ଲିକ, ବିଜେଡ଼ିରୁ ରମେଶ ଚନ୍ଦ୍ର ବେହେରା, କଂଗ୍ରେସରୁ ନକୁଳ ନାୟକ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସେହିପରି ମାନସ ଲୋକଶକ୍ତି ଦଳରୁ ସନ୍ତୋଷ ନାୟକ ଲଢ଼ୁଥିବାବେଳେ ଇନ୍ଦୁମତୀ ନାୟକ, କାହ୍ନୁଚରଣ ନାୟକ, ସୁରଥ ନାୟକ ଏବଂ ରବିନ୍ଦ୍ର ସେଠୀ ସ୍ୱାଧୀନ ପ୍ରାର୍ଥୀ ହୋଇଥିବା ଜଣାପଡ଼ିଛି।

ନୟାଗଡ଼ ଜିଲ୍ଲାର ୪ଟି ବିଧାନସଭା ଆସନ ମଧ୍ୟରୁ କନ୍ଧମାଳ ଲୋକସଭା ଅଧିନସ୍ଥ ଦଶପଲ୍ଲାରେ ମେ’ ୨୦ ତାରିଖରେ ଭୋଟ ଗ୍ରହଣ ହେବ। ସେହିପରି କଟକ ଲୋକସଭା ଅଧିନସ୍ଥ ଖଣ୍ଡପଡ଼ା ଏବଂ ପୁରୀ ଲୋକସଭା ଅଧିନସ୍ଥ ରଣପୁର ଓ ନୟାଗଡ଼ରେ ମେ’ ୨୫ ତାରିଖରେ ଭୋଟ ଗ୍ରହଣ ହେବ। ଜିଲ୍ଲାର ୭ ଲକ୍ଷ ୧ ହଜାର ୧୯ ଜଣ ମତଦାତା ଏହି ୩୨ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ।

Tags: #OdishaAssemblyElections2024 #Candidates #ECI #Nayagarh

Comment