ଓଡ଼ିଶାଲାଇଭ୍ ବ୍ୟୁରୋ

ନୟାଗଡ଼ ବିଧାନସଭା ଆସନରୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ବିଜେଡି ପ୍ରାର୍ଥୀ ଡକ୍ଟର ଅରୁଣ କୁମାର ସାହୁ। ସୋମବାର ବିରାଟ ଶୋଭାଯାତ୍ରାରେ ଆସି ସେ ନୟାଗଡ଼ ଉପଜିଲ୍ଲାପାଳଙ୍କ ନିକଟରେ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ଏହି ଅବସରରେ ବିଜେଡିର ବହୁ ବରିଷ୍ଠ ନେତା ଯୋଗ ଦେଇଥିଲେ।

ପ୍ରାର୍ଥିପତ୍ର ଦାଖଲ କରିବା ଅବସରରେ ଅରୁଣ ସାହୁ ନୟାଗଡ଼ ଜିଲ୍ଲା ବିଜେଡି କାର୍ଯ୍ୟାଳୟରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଯାଏଁ ବଡ଼ ଶୋଭାଯାତ୍ରା କରିଥିଲେ। ଏଥିରେ ୩୦ ହଜାରରୁ ଅଧିକ ବିଜେଡି କର୍ମକର୍ତ୍ତା ସାମିଲ ହୋଇଥିଲେ। ଶୋଭାଯାତ୍ରାରେ ଛାତ୍ର, ଯୁବକ, ମହିଳା, ବରିଷ୍ଠ ନାଗରିକଙ୍କଠାରୁ ଆରମ୍ଭ କରି ସବୁ ବର୍ଗର ବ୍ୟକ୍ତିଙ୍କୁ ଦେଖିବାକୁ ମିଳିଥିଲା।

ଅରୁଣ କୁମାର ସାହୁ ପ୍ରାର୍ଥିପତ୍ର ଦାଖଲ କରିବା ଅବସରରେ ବିଜେଡିର ଶକ୍ତି ପ୍ରଦର୍ଶନ କରିଥିଲେ। ଏହି ଅବସରରେ ତାଙ୍କୁ ସମର୍ଥକମାନେ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଏହାପରେ ସେ ଦଳୀୟ କର୍ମୀଙ୍କ ଗହଣରେ ଆସି ଉପଜିଲ୍ଲାପାଳଙ୍କ ନିକଟରେ ପ୍ରାର୍ଥିପତ୍ର ଦାଖଲ କରିଥିଲେ।

ଏହି ଶୋଭାଯାତ୍ରାରେ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ, ପୁରୀ ଲୋକସଭା ଆସନରୁ ବିଜେଡି ପ୍ରାର୍ଥୀ ଅରୁପ ପଟ୍ଟନାୟକ, ଦଶପଲ୍ଲା ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ରମେଶ ଚନ୍ଦ୍ର ବେହେରା, ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଞ୍ଜିନିୟର ଦେବାଶିଷ ପଟ୍ଟନାୟକ, ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଓଡ଼ଗାଁ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ ଏବଂ ନୟାଗଡ଼ ପୌର ପରିଷଦ ଅଧ୍ୟକ୍ଷା ନିରୁପମା ଖଟେଇ ପ୍ରମୁଖ ଯୋଗ ଦେଇଥିଲେ।

Tags: #NayagarhAssemblySeat #DrArunKumarSahoo #BJD #Politics #Nayagarh #Odisha

Comment