ଓଡ଼ିଶାଲାଇଭ୍ ବ୍ୟୁରୋ

(ନୟାଗଡ଼ରୁ ନିଶିକାନ୍ତ ରଥ): ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ବଳଦିଆନୂଆଗାଁ ମତଦାନ କେନ୍ଦ୍ରରେ ଜଣେ ବୟୋଜ୍ୟେଷ୍ଠ ମହିଳା ଭୋଟରଙ୍କ ମୃତ୍ୟୁ ହୋଇଛି। ଖଣ୍ଡପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ବଳଦିଆନୂଆଗାଁ ୧୬୮ ନମ୍ବର ବୁଥ ବାରଣ୍ଡାରେ ମହିଳା ଭୋଟର କୁମୁଦିନୀ ଦଳେଇ ମତଦାନ ସମୟରେ ବେହୋଷ ହୋଇ ପଡ଼ିଥିଲେ। ତାଙ୍କୁ ନିକଟସ୍ଥ ଖଣ୍ଡପଡ଼ା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର କୁମୁଦିନୀଙ୍କୁ ମୃତ ଘୋଷଣା କରିଥିଲେ।

ଶନିବାର ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀର ବଳଦିଆନୂଆଗାଁ ସ୍ଥିତ ୧୬୮ ନମ୍ବର ବୁଥ୍‌ରେ ଭୋଟ ଗ୍ରହଣ ଚାଲିଥିଲା। ୧୬୮ ନମ୍ବର ବୁଥରେ ମହିଳା କୁମୁଦିନୀ ଦଳେଇ ନିଜ ପରିବାର ଲୋକଙ୍କ ସହ ଭୋଟ ଦେବାକୁ ଆସିଥିଲେ। ହେଲେ ଅଚାନକ ସେ ଅସୁସ୍ଥ ଅନୁଭବ କରି ବେହୋଷ ହୋଇ ପଡ଼ିଲେ।

ଭୋଟର କୁମୁଦିନି ଦଳେଇଙ୍କର ମୃତ୍ୟୁକୁ ସ୍ଥାନୀୟ ବ୍ଲକ ରିଟର୍ଣ୍ଣିଂ ଅଫିସର ରଞ୍ଜିତ କୁମାର ମଲ୍ଲିକ ସ୍ପଷ୍ଟ କରିଛନ୍ତି। ହେଲେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ତାଙ୍କର କେଉଁ ପରିସ୍ଥିତିରେ ମୃତ୍ୟୁ ହେଲା ତାହା କିଛି ଜଣାନଥିବା କହିଛନ୍ତି ରିଟର୍ଣ୍ଣି ଅଧିକାରୀ। ଶବ ବ୍ୟବଚ୍ଛେଦ୍ଦ ରିପୋର୍ଟ ପରେ ମୃତ୍ୟୁର କାରଣ ଜଣାପଡ଼ିବା ସେ କହିଛନ୍ତି।

ଅନ୍ୟପଟେ ମୃତ ଭୋଟର କୁମୁଦିନୀଙ୍କ ପରିବାର ଲୋକ କହିଛନ୍ତି ଭୋଟ କେନ୍ଦ୍ରରେ ପ୍ରବଳ ଭିଡ଼ ଲାଗି ରହିଥିଲା। ଇଭିଏମରେ ତ୍ରୁଟି ଲାଗି ଭୋଟରଙ୍କୁ ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଛିଡ଼ା ହୋଇ ଭୋଟ ଦେବାକୁ ପଡ଼ିଛି। ଏପରି ସ୍ଥିତିରେ ପ୍ରବଳ ଗୁଳୁଗୁଳି କାରଣରୁ ମହିଳା ଭୋଟର କୁମୁଦିନି ଅସୁସ୍ଥ ହୋଇ ପଡ଼ିଥିଲେ। ଭୋଟ ଦେଇସାରି ବୁଥ ବାରଣ୍ଡାକୁ ବାହାରିବା ସମୟରେ କୁମୁଦିନୀ ବେହୋସ ହୋଇ ପଡ଼ିଥିଲେ। ତାଙ୍କୁ ଖଣ୍ଡପଡ଼ା ଡାକ୍ତରଖାନା ନିଆଯାଇ ଥିଲା । ସେଠାରେ ଡାକ୍ତର କୁମୁଦିନୀଙ୍କୁ ମୃତ ଘୋଷଣା କରିଥିଲେ।

ପରିବାର ଲୋକେ ମୃତ ଦେହକୁ ଡାକ୍ତରଖାନାରେ ରଖି ଘଣ୍ଟା ଘଣ୍ଟା ଅପେକ୍ଷା କରି ବା ପରେ ଶବ ବ୍ୟବଚ୍ଛେଦ୍ଦ ନେଇ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିଲା। ଶେଷରେ ପରିବାର ଲୋକେ ମୃତ କୁମୁଦିନୀଙ୍କ ଶରୀରକୁ ଗାଁ ଶ୍ମସାନରେ ଦାହ କରିଥିବା କହିଛନ୍ତି।

ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଭୋଟ କେନ୍ଦ୍ରରେ ପାନୀୟ ଜଳ, ଓଆଏସ୍ ପାଉଡ଼ର, ଭୋଟରଙ୍କ ପାଇଁ ଛାଇର ବ୍ୟବସ୍ଥା ସହ ତତ୍କକାଳ ପ୍ରାଥମିକ ଚିକିତ୍ସା ଉପଲବ୍ଧ କରାଯାଇଥିବା ଜିଲ୍ଲା ନିର୍ବାଚନ ଅଧିକାରୀ ପୂର୍ବରୁ ସୂଚନା ଦେଇ ଆସିଛନ୍ତି। ହେଲେ ଖଣ୍ଡପଡ଼ା ୧୬୮ ନମ୍ବର ବୁଥରେ ବରିଷ୍ଠ ମହିଳା ଭୋଟର କୁମୁଦିନୀଙ୍କ ମୃତ୍ୟୁ ଲୋକଙ୍କ ମନରେ ନାନା ପ୍ରଶ୍ନ ସୃଷ୍ଟି କରିଛି । 

Tags: #OdishaStateAssemblyelections2024 #WomanVoter #Death #Bhapur #Nayagarh

LEAVE A REPLY

Please enter your comment!
Please enter your name here