ଓଡ଼ିଶାଲାଇଭ୍ ବ୍ୟୁରୋ

(ବିଶାଖାପାଟଣାରୁ ଯଶୋବନ୍ତ ନାରାୟଣ ପାଢ଼ୀ): ଆନ୍ଧ୍ରପ୍ରଦେଶରୁ ଓଡ଼ିଶା, ପୁଣି ଓଡ଼ିଶାରୁ ଆନ୍ଧ୍ରପ୍ରଦେଶ ଓ ପରେ ତାମିଲନାଡୁ ଓ କର୍ଣ୍ଣାଟକକୁ ଚାଲାଣ ହେଉଥିବା ରକ୍ତ ଚନ୍ଦନ କାଠ ପୋଲିସ ଜବତ କରିବା ସହ ୧୧ ଜଣଙ୍କୁ ଗିରଫ କରିଛି।

ଶ୍ରୀକାକୁଲମ ଜିଲ୍ଲା ଏସପି ରାଧିକାଙ୍କ ସୂଚନା ଅନୁଯାୟୀ ଆନ୍ଧ୍ରପ୍ରଦେଶର ତିରୁପତି ଜିଲ୍ଲାର ସେସାଚଲମ ଜଙ୍ଗଲରୁ ଓଡ଼ିଶାର ଗଜପତି ଜିଲ୍ଲାକୁ ଚନ୍ଦନ କାଠ ଆସୁଥିଲା। ସୁବିଧା ଦେଖି କିଛି ଦିନ ବ୍ୟବଧାନରେ ଆନ୍ଧ୍ରପ୍ରଦେଶ ଓ ପରେ ତାମିଲନାଡୁ ଏବଂ କର୍ଣ୍ଣାଟକ ରାଜ୍ୟକୁ ଏହା ଚାଲାଣ କରାଯାଉଥିଲା। ଏହି ଚୋରା କାରବାରରେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶର ଗୋଟିଏ ବଡ଼ ଗ୍ୟାଙ୍ଗ କାର୍ଯ୍ୟ କରୁଥିଲା।

ଚନ୍ଦନ କାଠଗୁଡ଼ିକୁ ୩ଟି ଗାଡ଼ିରେ ଭିନ୍ନ ଭିନ୍ନ ରାସ୍ତା ଦେଇ ଚାଲାଣ କରାଯାଉଥିବା ଖବର ପାଇ ଶ୍ରୀକାକୁଲମ ପୋଲିସ ଟେକାଲିଠାରେ ଜଗି ରହିଥିଲା। ପୋଲିସର ଆଉ ଏକ ଟିମ ବିଭିନ୍ନ ସ୍ଥାନରେ ଯାତାୟତ କରୁଥିବା ଗାଡ଼ି ଉପରେ ନଜର ରଖିଥିଲା। ଏହି ସମୟରେ ପଲାସା ସର୍କଲ ଅନ୍ତର୍ଗତ ମୋଗିଲିପାଡୁ ନର୍ସାନାପେଟା ଅନ୍ତର୍ଗତ ସିଙ୍ଗୁପୁରମ ନିକଟରୁ ୩ଟି ଗାଡ଼ି ଅଟକାଇ ଛାନବିନ କରିବା ପରେ ପୋଲିସ ରକ୍ତ ଚନ୍ଦନ କାଠ ଚାଲାଣ କରାଯାଉଥିବା ଦେଖିଥିଲା। ଏହି ଗାଡ଼ିଗୁଡ଼ିକରେ ଥିବା ୩୯୬ ଖଣ୍ଡ ଚନ୍ଦନ କାଠକୁ ପୋଲିସ ଜବତ କରିବା ସହ ଏହି ଚାଲାଣରେ ସମ୍ପୃ୍କ୍ତି ଅଭିଯୋଗରେ ୧୧ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଘଟଣାସ୍ଥଳରୁ ଅନ୍ୟ ଜଣେ ଫେରାର ହୋଇଯାଇଛି।

ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଅଧିକାଂଶ ଓଡ଼ିଶାର ଗଜପତି ଜିଲ୍ଲାର ବୋଲି ପୋଲିସ୍ ସୂଚନା ଦେଇଛି। ଗିରଫ ଅଭିଯୁକ୍ତମାନଙ୍କ ନିକଟରୁ ୧୪ଟି ମୋବାଇଲ ଜବତ କରାଯାଇଛି। ଜବତ ରକ୍ତ ଚନ୍ଦନ କାଠର ଆନୁମାନିକ ମୂଲ୍ୟ ୨ କୋଟି ୧୦ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି। ଫେରାର ଅଭିଯୁକ୍ତକୁ ଧରିବା ପାଇଁ ଏକ ସ୍ବତନ୍ତ୍ର ପୋଲିସ ଦଳ ଗଠନ କରାଯିବ ବୋଲି ଶ୍ରୀକାକୁଲମ ଏସପି ରାଧିକା କହିଛନ୍ତି।

Tags: #SandalWood #RedSandal #Seized #Police

LEAVE A REPLY

Please enter your comment!
Please enter your name here