ଓଡ଼ିଶାଲାଇଭ୍ ବ୍ୟୁରୋ

(ବିଶାଖାପାଟଣାରୁ ଯଶୋବନ୍ତ ନାରାୟଣ ପାଢ଼ୀ): କିଛି ଦିନ ହେବ ଆନ୍ଧ୍ରପ୍ରଦେଶ ଉପକୂଳରେ ରହିଥିବା ବଙ୍ଗୋପସାଗରରେ ଅଜବ ଧରଣର ପରିସ୍ଥିତି ଦେଖିବାକୁ ମିଳୁଛି। କେତେବେଳେ ସମୁଦ୍ରରେ ଜୁଆର ଆସି କୂଳ ଲଙ୍ଘୁଛି, ତ ପୁଣି କେତେବେଳେ ସମୁଦ୍ର ଉଭେଇ ଯିବାର ଦୃଶ୍ୟ ଦେଖିବାକୁ ମିଳୁଛି। ଠିକ୍ ସେହିଭଳି ଏକ ଘଟଣା ପୂର୍ବ ଗୋଦାବରୀ ଜିଲ୍ଲାରେ ପ୍ରବାହିତ ହେଉଥିବା ସମୁଦ୍ର ବେଳାଭୂମିରେ ଶୁକ୍ରବାର ଦିନ ଦେଖିବାକୁ ମିଳିଥିଲା। ସୂଚନା ଅନୁସାରେ ସ୍ଥଳଭାଗଠାରୁ ପ୍ରାୟ ୨ କିଲୋମିଟର ପଛକୁ ଘୁଞ୍ଚିଯାଇଥିଲା ସମୁଦ୍ର। ଗତ କିଛି ଦିନ ହେବ ସମୁଦ୍ରର ଏଭଳି ଅସ୍ଵାଭାବିକ୍ ପରିସ୍ଥିତିକୁ ଦେଖି ଉପକୂଳବର୍ତ୍ତୀ ଅଞ୍ଚଳର ଲୋକ ଭୟଭୀତ ହୋଇପଡ଼ିଛନ୍ତି।

କିଛି ଦିନ ହେବ ଆନ୍ଧ୍ରପ୍ରଦେଶ ଉପକୂଳରେ ବଙ୍ଗୋପସାଗର କୁଳ ଲଙ୍ଘିବା ସହ ବହୁ କ୍ଷୟକ୍ଷତି କରିବାରେ ଲାଗିଛି। ନିକଟରେ ସମୁଦ୍ରରେ ହଠାତ ୧୦ ରୁ ୧୨ଫୁଟର ଜୁଆର ଆସି ଉପକୂଳରେ ରହିଥିବା ମତ୍ସଜୀବୀଙ୍କ ଘର, ଡଙ୍ଗା ଓ ଦୋକାନଗୁଡ଼ିକୁ ଭସେଇ ନେଇଯାଇଥିଲା। କିନ୍ତୁ ଶୁକ୍ରବାର ଦିନ ବିପରୀତ ପରିସ୍ଥିତି ଦେଖିବାକୁ ମିଳିଥିଲା।ପୂର୍ବ ଗୋଦାବରୀ ଜିଲ୍ଲାର ସାଖିନେଟିପାଲ୍ଲି ପଞ୍ଚାୟତର ଆଣ୍ଟାରଭେଡି ହେଉଛି ଗୋଦାବରୀ ନଦୀ ଓ ବଙ୍ଗୋପସାଗରର ମିଳନ ସ୍ଥଳ। ଏଠାରେ ପୂର୍ଣ୍ଣିମା ସମୟରେ ସମୁଦ୍ର ସାଧାରଣତଃ ୧୦୦ରୁ ୨୦୦ ମିଟର ଭିତରକୁ ଚାଲିଯାଇଥାଏ। କିନ୍ତୁ ଅଚାନକ ୨କିଲୋମିଟର ପର୍ଯ୍ୟନ୍ତ ଭିତରକୁ ଚାଲିଯିବା ଘଟଣାକୁ ନେଇ ଉପକୂଳବାସୀମାନେ ଭୟଭୀତ ହୋଇପଡ଼ିଛନ୍ତି।

ଅନ୍ୟପକ୍ଷରେ ଏ ସମ୍ପର୍କରେ ଜାଣିବାପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପସ୍ତୁତି କରାଯାଇଥିଲା। ସମୁଦ୍ର କୂଳିଆ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବା ସହ, ପରବର୍ତ୍ତୀ ନିର୍ଦ୍ଦେଶ ନମିଳିବା ପର୍ଯ୍ୟନ୍ତ ସେଠାକୁ ଆସିବାକୁ ବାରଣ କରାଯାଇଛି। ଏଥିସହ ଆନ୍ଧ୍ରପ୍ରଦେଶର ସମୁଦ୍ର ଉପକୂଳ ସ୍ଥାନମାନଙ୍କରେ ହାଇଆଲର୍ଟ ଜାରି କରାଯାଇଛି। ଏଭଳି ଘଟଣା ଏଠାରେ ପ୍ରଥମଥର ଘଟିଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦା।

Comment