ଓଡ଼ିଶାଲାଇଭ୍ ବ୍ୟୁରୋ

ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଆଉ ଏକ ଲଘୁଚାପ। ଏହା ନଭେମ୍ବର ୨୯ ତାରିଖ ବେଳକୁ ଅବପାତରେ ପରିଣତ ହେବ। ପରବର୍ତ୍ତୀ ସମୟରେ ଅବପାତଟି ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ଵର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଲଘୁଚାପ କ୍ଷେତ୍ରଟି ଏବେ ବଙ୍ଗୋପସାଗର ମଧ୍ୟସ୍ଥ ଦକ୍ଷିଣ ଆଣ୍ଡାମାନ ସାଗରରେ ସକ୍ରିୟ ରହିଛି। ଏବେ ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛି। ତେବେ ବାତ୍ୟାରେ ପରିଣତ ହେଲେ ଏହାର ଗତିପଥ କ’ଣ ରହିବ, ସେ ନେଇ ଏ ଯାଏଁ କୌଣସି ଆକଳନ କରାଯାଇ ନାହିଁ।

ତେବେ ସାମ୍ଭାବ୍ୟ ବାତ୍ୟାଟି ଅଧିକ ସମୟଧରି ସମୁଦ୍ର ମଧ୍ୟରେ ରହିଲେ ଏହା ଶକ୍ତିଶାଳୀ ହେବ ବୋଲି ପାଣିପାଗ ବିଜ୍ଞାନୀମାନେ ପୂର୍ବାନୁମାନ କରିଛନ୍ତି। ତେବେ ଏହାର ପ୍ରଭାବ ଓଡ଼ିଶା ଉପରେ କିଭଳି ରହିବ ସେଥିଲାଗି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆଗକୁ ସୂଚନା ଦିଆଯିବ।

ସେହିପରି ଲଘୁଚାପ ପ୍ରଭାବରେ ନଭେମ୍ବର ୨୮ ତାରିଖରେ କୋରାପୁଟ, ମାଲାକାନଗିରି, ରାୟଗଡ଼ା, ଗଜପତି, କଳାହାଣ୍ଡି, ନବରଙ୍ଗପୁର, କନ୍ଧମାଳ ଓ ନୂଆପଡ଼ା ଜିଲ୍ଲାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ଅନ୍ୟପଟେ ରାଜ୍ୟରେ ଏବେ ଶୀତର ପ୍ରଭାବ ବଢ଼ିବାରେ ଲାଗିଛି। ଏଥିପାଇଁ ପାଗ ଶୁଖିଲା ରହୁଥିବାବେଳେ ସକାଳୁ ସାମାନ୍ୟ କୁହୁଡ଼ି ପଡ଼ୁଛି।

ସୋମବାର ସୁନ୍ଦରଗଡ଼ ଜିଲ୍ଲାର କିରେଇରେ ୧୨ ଡିଗ୍ରୀ ସହ ରାଜ୍ୟର ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି। ଏହାସହ କେନ୍ଦୁଝରରେ ୧୨.୨ ଡିଗ୍ରୀ, କୋରାପୁଟରେ ୧୨.୪ ଡିଗ୍ରୀ, ରାଉରକେଲାରେ ୧୩.୮ ଡିଗ୍ରୀ ଏବଂ ସୁନ୍ଦରଗଡ଼, ଫୁଲବାଣୀ ଓ ଦାରିଙ୍ଗବାଡ଼ିରେ ୧୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।    

Tags: #LowPressure #Cyclone #BayofBengal #Rain #MCBBSR #Odisha

LEAVE A REPLY

Please enter your comment!
Please enter your name here